ହେଡଲାଇନସ୍:

"ଦୁର୍ନୀତି ଏକ ସଂକ୍ରାମକ ରୋଗ ଭାବେ ଗ୍ରାସ କରିବାକୁ ବସିଛି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ବାରିପଦା(ଦିଲ୍ଲୀପ ମହାନ୍ତି )-  ସମଗ୍ର ଦେଶରେ ଦୁର୍ନୀତି ଏକ ସଂକ୍ରାମକ ରୋଗ ଭାବେ ଗ୍ରାସ କରିବାକୁ ବସିଛି । ତେଣୁ ଦେଶବାସୀଙ୍କୁ ଏହା କବଳରୁ ରକ୍ଷା କରିବା ନିମନ୍ତେ ଦୁର୍ନୀତି ନିବାରଣ ବିଭାଗ ଆଗେଇ ଆସିଛି । ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶ କ୍ରମେ ସମଗ୍ର ଭାରତରେ ଅକ୍ଟୋବର ୨୯ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଆସୁଅଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାରେ ରହିଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଉଦ୍ୟୋଗଗୁଡ଼ିକରେ ସ୍ୱଚ୍ଛତା ଓ ସାଧୁତା ବଜାୟ ରଖିବା ପାଇଁ ସରକାରୀ କର୍ମଚାରୀମାନଙ୍କୁ ନେଇ ଏକ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେହିପରି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ନେଇ ଦୁର୍ନୀତି ନିବାରଣ ସମ୍ପର୍କୀତ ତର୍କ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅଧ୍ୟକ୍ଷ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସରକାରୀସ୍ତରରେ କାର୍ଯ୍ୟକାରୀ କରାଯାଉଥିବା ସୂଚନା ଅଧିକାର ଆଇନ, ଓଡ଼ିଶା ଲୋକ ସେବା ଆଇନ, ଇ-ଗର୍ଭନାନ୍ସ, ପ୍ରଯୁକ୍ତିଜ୍ଞାନ କୌଶଳର ଉପଯୋଗ ଦ୍ୱାରା କାର୍ଯ୍ୟରେ ସ୍ୱଚ୍ଛତା ଅଣାଯାଇ ପାରିଲେ ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବା ସମ୍ଭବ ହୋଇପାରିବ । ତେଣୁ ସମସ୍ତ ଜନତା ସତର୍କ ରହି କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ । ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଓ ଅତିରିକ୍ତ ଜିଲ୍ଲାପାଳ ଆବୁଲୀ ସୁନୀଲ ନରୱାଣେ ଯୋଗ ଦେଇ ସମାଜ ଓ ଦେଶର ପ୍ରଗତୀରେ ଅନ୍ତରାୟ ସୃଷ୍ଟି କରାଇଥିବା ଦୁର୍ନୀତିର ଦୂରୀକରଣ ନିମନ୍ତେ ପ୍ରତ୍ୟେକ ନିଜ ନିଜର ମାନସିକତାରେ ପରିବର୍ତ୍ତନ ଆଣି ନୈତିକ ମୂଲ୍ୟବୋଧ ପ୍ରତି ସଜାଗ ରହି କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆହ୍ୱାନ ଦେଇଥିବା ସମୟରେ ମୁଖ୍ୟବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ଜଗନ୍ନାଥ ଲେଙ୍କା ଭାରତ ସହିତ ସମଗ୍ର ବିଶ୍ୱର ଭିଭିନ୍ନ ଦେଶରେ ଦୁର୍ନୀତିର ପରିସଂଖ୍ୟାନର ବିସ୍ତୃତ ବିବରଣୀ ଉପସ୍ଥାପନ କରିବା ସଂଗେସଂଗେ ଭାରତରେ ଦୁର୍ନୀତିର ହାର ହ୍ରାସ ପାଇଥିବାର ସୂଚନା ଦେଇଥିଲେ ଓ ଅସାଧୁ ଉପାୟରେ ଅର୍ଥ ଉପାର୍ଜନ ଦେଶର ଜାତୀୟ ଅଭିବୃଦ୍ଧି ଅନ୍ତରାୟ ସୃଷ୍ଟି କରାଉଥିବା ସମୟରେ ବ୍ୟକ୍ତିର ଆତ୍ମ ସମୀକ୍ଷା ଦ୍ୱାରା ଦୁର୍ନୀତି ଦୂରୀକରଣ ସମ୍ଭବ । ସାମାଜିକ, ଅର୍ଥନୈତି ଓ ରାଜନୈତିକ କ୍ଷେତ୍ରରେ ସ୍ୱଚ୍ଛତା ଅଣାଯାଇପାରିଲେ ନବଭାରତର ନିର୍ମାଣ ହୋଇପାରିବ ବୋଲି ମତ ବକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭିଜିଲାନ୍ସ ବିଭାଗର ବାଲେଶ୍ୱର ଡ଼ିଭିଜନ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ସେନାପତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଦୁର୍ନୀତି ନିବାର ବିଭାଗର କାର୍ଯ୍ୟଧାରା ଉପରେ ଆଲୋକପାତ କରିବା ଅବସରରେ ଦୁର୍ନୀତି କିପରି ସାମାଜିକ ବ୍ୟବସ୍ଥାରେ କ୍ଷତି ପହଁଞ୍ଚାଇଥାଏ ସେ ସମ୍ପର୍କରେ ଉଲ୍ଲେଖ କରିବା ସହ ଏ ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଇବା ଉପରେ ସମସ୍ତ ଜନସାଧାରଣଙ୍କ ସମ୍ମିଳିତ ସହଯୋଗ କାମନା କରିଥିଲେ ଏବଂ ୨୦୧୭ ଆର୍ଥିକ ବର୍ଷରେ ଦୁର୍ନୀତି ନିବାରଣ ବିଭାଗର ବାଲେଶ୍ୱର ଡ଼ିଭିଜନରେ ଦୁର୍ନୀତି ସଂକ୍ରାନ୍ତିୟ ୭୦ଟି ଫୌଜଦାରୀ ମାମଲା ପଞ୍ଜିକୃତ କରାଯାଇ ବିଭିନ୍ନ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସରକାରୀ କର୍ମଚାରୀମାନଙ୍କୁ ଗିରଫ କରାଯାଇଥିବାର ସୂଚନା ଦେଇଥିଲେ । ଉକ୍ତ ଆଲୋଚନା ଚକ୍ରକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିବା ସମୟରେ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି ଶରତ କୁମାର ଦାସମହାପାତ୍ର ସହାୟତା କରିଥିଲେ ଏବଂ ଏଥିରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ପଦାଧିକାରୀ, ଅଧିକାରୀ, କର୍ମଚାରୀ ପ୍ରମୁଖଙ୍କ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଏନଏସଏସ ସ୍କାଉଟ ଗାଇଡ଼, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault