କଣ୍ଟାବାଞ୍ଝିରୁ ଜିଣିଲେ ହିଞ୍ଜିଳିକୁ ଛାଡି କଣ୍ଟାବାଞ୍ଝିର ପ୍ରତିନିଧିତ୍ୱ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋସଲ ଜନତା ଦଳର ‘ସ୍ୱାଭିମାନ ଇସ୍ତାହାର’ ଜାରି, ସ୍ୱତନ୍ତ୍ର କୋସଳ ରାଜ୍ୟ ଏକମାତ୍ର ବିକଳ୍ପ

ରାଉରକେଲା, ୨୧ା୪ : କୋସଲ ଜନତା ଦଳର ଛେଣ୍ଡ ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ ଆଜି ପୂର୍ବାହ୍ନରେ ଦଳର ନିର୍ବାଚନୀ ଘୋଷଣାପତ୍ର "ସ୍ୱାଭିମାନ ଇସ୍ତାହାର'କୁ ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ର ଲୋକାର୍ପଣ କରିଛନ୍ତି । ଏ ଉପଲକ୍ଷେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଯେ ଓଡିଶା ସରକାର ଏବେ ପଶ୍ଚିମ ମୁହାଁ । ଏ ଅଞ୍ଚଳ ପ୍ରତି ଉଭୟ କଂଗ୍ରେସ ଓ ବିଜେଡି ସରକାର ବର୍ଷ ବର୍ଷ ଧରି ଅବହେଳା ପ୍ରଦର୍ଶନ କରିଆସିଛନ୍ତି, ଯା'ଫଳରେ ରାଜ୍ୟରେ ଉତ୍କଟ ଆଞ୍ଚଳିକ ବୈଷମ୍ୟ ଜନ୍ମ ନେଇଛି । ସୁତରାଂ ଏ ଅଞ୍ଚଳ ଏକ ସ୍ୱତନ୍ତ୍ର ରାଜ୍ୟ ଦାବି କରୁଛି । ବିଜେପି ମଧ୍ୟ ନିଜକୁ ଛୋଟ ଛୋଟ ରାଜ୍ୟର ପକ୍ଷଧର ବୋଲି କହି ସ୍ୱତନ୍ତ୍ର କୋସଳ ରାଜ୍ୟ ଦାବିକୁ ପ୍ରକାରାନ୍ତରେ ସମର୍ଥନ କରୁଥିଲେ ମଧ୍ୟ ପ୍ରତ୍ୟକ୍ଷ ଭାବେ କିଛି କରୁନାହିଁ । ସୁତରାଂ ଏହି ତିନୋଟି ଯାକ ଦଳକୁ ଏ ଅଞ୍ଚଳର ଲୋକେ ପ୍ରତ୍ୟାଖ୍ୟାନ କରି କୋସଳ ଜନତା ଦଳକୁ ସମର୍ଥନ କରିବାକୁ ସେ ଆହ୍ୱାନ ଦେଇଥିଲେ । ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଓ କୋସଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ପାଇଁ ହେଉଥିବା ଦାବି ପ୍ରତି ନବୀନ ପଟ୍ଟନାୟକଙ୍କ ଆନ୍ତରିକତା ନାହିଁ । ସେ ଏବେ କଣ୍ଟାବାଞ୍ଝି ବିଧାନସଭା ଆସନର ପ୍ରାର୍ଥୀ ଭାବେ ଏହି ଦାବିଗୁଡିକ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦିଅନ୍ତୁ ଏବଂ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଝିରୁ ଜିଣିଲେ ହିଞ୍ଜିଳିକୁ ଛାଡି କଣ୍ଟାବାଞ୍ଝି ବିଧାନସଭାର ପ୍ରତିନିଧିତ୍ୱ କରନ୍ତୁ ବୋଲି ସେ କହିଥିଲେ ।
ଘୋଷଣାପତ୍ରକୁ ଆନୁଷ୍ଠାନିକ ଭାବେ ଜାରି କରିବା ପାଇଁ ଆୟୋଜିତ ଏହି ବୈଠକରେ ଦଳର କୋଷାଧ୍ୟକ୍ଷ ଲଲାଟେନ୍ଦୁ ଚୌଧୁରୀ, ମୁଖପାତ୍ର ଡା.ସୁରମା ମିଶ୍ର, ସମ୍ପାଦକ ଜୟସିଂ ସିଂହ,
ଶ୍ୟାମସୁନ୍ଦର କର ଏବଂ ମିଡିଆ ପ୍ରଭାରୀ ସ୍ୱରୂପ ମିଶ୍ର ଉପସ୍ଥିତ ଥିଲେ । ଦଳର ପ୍ରାର୍ଥୀ ତାଲିକା କେବେ ପ୍ରକାଶ କରାଯିବ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଏହା ପ୍ରକାଶ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ ।

0
0
0
s2sdefault