ଯାଜପୁର,(ଜୟଶଙ୍କର ଦାଶ):ଯାଜପୁର ଏନ୍.ସି. ମହାବିଦ୍ୟାଳୟ ଏକ ପୁରାତନ ମହାବିଦ୍ୟାଳୟ ଭାବେ ଯେତିକି ପରିଚିତ ସେଠାରୁ ପଢିଥିବା ଛାତ୍ରଛାତ୍ରୀଙ୍କର ଉଲ୍ଲେଖନୀୟ କୃତିତ୍ୱ ପାଇଁ ମଧ୍ୟ ତତୋଧିକ ଗୌରବାନ୍ୱିତ । ତେଣୁ ଏହାକୁ ଏକ ସୁନ୍ଦର, ଆକର୍ଷଣୀୟ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ଏଥିପାଇଁ ସମସ୍ତଙ୍କ ଆଶିଷ ଓ ସହଯୋଗ ମଧ୍ୟ ଶ୍ରୀ ଦାସ କାମନା କରିଛନ୍ତି ।
ଏହି କଲେଜର ମରାମତି ଓ ଉନ୍ନତିକରଣ ପାଇଁ ୩୪ କୋଟି ଟଙ୍କା ସରକାର ମଂଜୁର କରିଛନ୍ତି । ତେଣୁ ଏହି ମହାବିଦ୍ୟାଳୟର କ୍ଲାସରୁମ୍, ଅଡିଟୋରିୟମ, ଲାବ, କମନରୁମ, ଇତ୍ୟାଦିକୁ ଅତ୍ୟାଧୁନିକ ଭାବେ ପ୍ରସ୍ତୁତ କରାଯିବ । କଲେଜର ସୌନ୍ଦର୍ଯ୍ୟକରଣ ସହ ଏହାର ରକ୍ଷଣାବେକ୍ଷଣ, ସୁରକ୍ଷା ଇତ୍ୟାଦି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତ ଦେଇଛନ୍ତି । ଏଥିପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଛି । ଏହା ଜାତୀୟ ଆନ୍ତଃଜାତୀୟସ୍ତରର ପରିବେଶ ସୃଷ୍ଟି କଲାଭଳି ପ୍ଲାନ ପ୍ରସ୍ତୁତ ହୋଇଛି ବୋଲି ଉଭୟ ବିଧାୟକ ଓ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏହା ଯେଉଁସ୍ତରର ହେଲେ ମଧ୍ୟ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନଙ୍କର ସହଯୋଗ ଓ ସଦିଚ୍ଛା ମହାବିଦ୍ୟାଳୟର ଗାରିମାକୁ ଅଧିକ ଋଦ୍ଧିମନ୍ତ ଓ ଚଳଚଂଚଳ କରିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି ଫଳରେ ନୂତନ ପିଢୀଙ୍କର ବିକାଶ ହେବାସହ ଜିଲ୍ଲାପାଇଁ ନୂତନ ପ୍ରତିଭାବାନ ସମ୍ବଳ ଉପଲବ୍ଧ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ମତ ଦେଇଛନ୍ତି ।