ନୟାଗଡ଼,(ଲକ୍ଷ୍ମୀଧର ସାହୁ): ପୁନଃ ନବୀକରଣ ହୋଇ ଅତ୍ୟାଧୁନିକ ପ୍ରେକ୍ଷାଳୟରେ ପରିଣତ ହୋଇଥିବା ପଠାଣି ସାମନ୍ତ ସଂସ୍କୃତି ଭବନ ଆଜି ଲୋକାର୍ପିତ ହୋଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଡ. ରବୀନ୍ଦ୍ର ନାଥ ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୂଖ ଯୋଗ ଦେଇଥିଲେ । ପୌର ନିର୍ବାହୀ ଅଧିକାରୀ ସ୍ଵାତୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ସହରର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାହିତ୍ୟିକ ଏବଂ ଗଣମାଧ୍ୟମ ପ୍ରତିନିଧୂ ଯୋଗ ଦେଇଥିଲେ । ଏହି ଅବସରରେ ନୟାଗଡ଼ ସହରର ବିକାଶ ଓ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଦୁଇଟି ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ପରେ ପରୀକ୍ଷା ମୂଳକ ଭାବେ ରକେଶ କୁମାର ଦାସ ,ସାମ୍ବାଦିକ ରାମକୃଷ୍ଣ ରଥ, ଡ. ଆଶୁତୋଷ ମିଶ୍ର କିଛି ନାଟକର ସଂଳାପ ପରିବେଷଣ କରିଥିବା ବେଳେ ସୁରଗନ୍ଧର୍ବ ନବକିଶୋର ମିଶ୍ର ଏକ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଡ. ସାହୁ ତାଙ୍କ ବକ୍ତବ୍ୟରେ ରୂପାନ୍ତରିତ ସଂସ୍କୃତି ଭବନର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ । ନୟାଗଡ଼ ଜିଲ୍ଲାପାଳ ପଠାଣି ସାମନ୍ତ ସଂସ୍କୃତି ଭବନର ରହିଯାଇଥିବା ଆନୁସଙ୍ଗିକ କାର୍ଯ୍ୟ ପାଇଁ ପାଇଁ ଆବଶ୍ୟକ ଅର୍ଥ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ଯିବା ସହିତ କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ରାଜ୍ୟ
ରୂପାନ୍ତରିତ ସଂସ୍କୃତି ଭବନ ଲୋକାର୍ପିତ,ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଜରୁରୀ:ଅରୁଣ
- Hits: 229








