ହେଡଲାଇନସ୍:

ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ, ଓଡ଼ିଆଙ୍କ ଅସ୍ମିତା ପ୍ରତି କୁଠାରଘାତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅର୍ପଣ ରଥ କାର୍ଯ୍ୟକ୍ରମରେ ଘୋର ବିଭ୍ରାଟ

  • ପ୍ରଚାର ପାଇଁ କେତେ ଖର୍ଚ୍ଚ ହୋଇଛି ହିସାବ ଦିଅନ୍ତୁ ସରକାର

  • ଓଡ଼ିଶାବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ତା. ୧୯.୧- କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପାଇଁ ରାଜ୍ୟ ତମାମ ଅର୍ପଣ ରଥ ବୁଲିଲାବେଳେ ଜଗନ୍ନାଥଙ୍କୁ ପିଲାଙ୍କ ଖେଳନାଠୁ ଆହୁରି ତୁଚ୍ଛ ଭାବରେ ପ୍ରଦର୍ଶିତ କରାଯାଇଛି । କେଉଁଠି ଡାଲା ଅଟୋ ଅବା କେଉଁଠି ଟାଟା ମ୍ୟାଜିକରେ ସୁଲୋ ବା ଥର୍ମକଲରେ ଜଗନ୍ନାଥଙ୍କୁ ଅତ୍ୟନ୍ତ ବିକଳ ଭାବରେ ଚିତ୍ରିତ କରାଇ ବୁଲାଇବା କୋଟି କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନତା ଏଥିରେ କ୍ଷୁବ୍ଧ ଓ ଅନେକ ସ୍ଥାନରେ ଏହାର ପ୍ରତିବାଦ କରିଛନ୍ତି ।
ଜଗନ୍ନାଥ ହେଛନ୍ତି ଓଡ଼ିଆ ଜାତି ଓ ଓଡ଼ିଆ ଅସ୍ମିତାର ପ୍ରତୀକ । ତାଙ୍କ ପ୍ରତି ଏଭଳି ଅସମ୍ମାନକୁ ଓଡ଼ିଆବାସୀ ବରଦାସ୍ତ କରିବେ ନାହିଁ । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ଦଳର ଇସ୍ତାହାର କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ ବିଜେଡ଼ି ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସାରା ଅର୍ପଣ ରଥ ବୁଲାଇବା ମାଧ୍ୟମରେ ବଡ଼ ଠାକୁରଙ୍କ ପ୍ରତି ଯେଉଁ ଅସମ୍ମାନ କରିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଉଚିତ । ସେ ପୁଣି କହିଛନ୍ତି ଅର୍ପଣ ରଥ କାର୍ଯ୍ୟକ୍ରମରେ ଚରମ ବିଭ୍ରାଟ ଦେଖାଦେଇଛି । ଜଗନ୍ନାଥଙ୍କ ପ୍ରତି ଲୋକଙ୍କର ଗଭୀର ଭକ୍ତି ଭାବର ସୁଯୋଗ ନେଇ ଶାସକ ଦଳର ନେତା/କର୍ମୀମାନେ ହଜାର ହଜାର କ୍ୱିଂଟାଲ ଚାଉଳ, ପ୍ରଚୁର ପରିମାଣରେ ଗୁଆ ଓ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ସେସବୁ ଚାଉଳ, ଗୁଆ, ଟଙ୍କା ଇତ୍ୟାଦି ମନ୍ଦିରକୁ ଆସିନାହିଁ କିମ୍ବା ତାର ହିସାବ ମଧ୍ୟ ନାହିଁ । ବିଭିନ୍ନ ପଂଚାୟତ ଓ ସହରାଂଚଳର ୱାର୍ଡ ଗୁଡ଼ିକରୁ କେତେ ଟଙ୍କା ଆଦାୟ ହୋଇଛି ତା’ର ହିସାବ ସରକାର ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଶ୍ରୀ ପଂଚାନନ କାନୁନଗୋ ଦାବି କରିଛନ୍ତି ।
ଜଗନ୍ନାଥଙ୍କ ରତ୍ନ ଭଣ୍ଡାରର ଚାବି ହଜିଲା । ଏତେ ପର୍ଯ୍ୟନ୍ତ ରତ୍ନ ଭଣ୍ଡାରରେ କେତେ ରତ୍ନ ରହିଛି ତା’ର ହିସାବ ସରକାର ଦେଲେ ନାହିଁ । ଜଗନ୍ନାଥଙ୍କ ଅମୃତ ମଣୋଇ ଜମିକୁ ରାଜ୍ୟ ସରକାର ଘରୋଇ ଶିଳ୍ପ ସଂସ୍ଥା ବେଦାନ୍ତକୁ ଟେକିଦେଲେ । ସୁପ୍ରିମକୋର୍ଟଙ୍କ ତାଗିତ ଓ ଭତ୍ସର୍ନା ପରେ ମଧ୍ୟ ରାଜ୍ୟ ସରକାର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଲେ ନାହିଁ କିମ୍ବା ଜଗନ୍ନାଥଙ୍କ ଜମିକୁ ଫେରାଇ ଆଣିଲେ ନାହିଁ । ଏହା ରାଜ୍ୟ ସରକାରଙ୍କର ବିଶେଷ କରି ମୁଖ୍ୟମନ୍ତ୍ରୀଙ୍କ ଜଗନ୍ନାଥ ପ୍ରତି ଭକ୍ତିଭାବର ଅସଲ ଚେହେରାକୁ ଉନ୍ମୋଚନ କରୁଛି ବୋଲି ଶ୍ରୀ କାନୁନଗୋ କଡ଼ା ଭାଷାରେ ସମାଲୋଚନା କରିଥିଲେ ।
ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବାର ସଂଗୀନ ଅଭିଯୋଗ ଆଣିଥିଲେ । ରାଜ୍ୟ ସରକାର ଏହି ଅର୍ପଣ ରଥ ବୁଲାଇବା ଓ ଭୋଜିଭାତ କରିବା ପାଇଁ ପ୍ରତି ପଂଚାୟତକୁୁ ୨ଲକ୍ଷ ଓ ପ୍ରତି ବ୍ଲକକୁ ୫ ଲକ୍ଷ କରି ଅନୁଦାନ ଦେଇଥିଲେ । ରାଜ୍ୟରେ ୬୭୯୪ ପଂଚାୟତ ଓ ୩୧୪ ଟି ବ୍ଲକ ପାଇଁ ୧୫୧ କୋଟି ୫୮ ଲକ୍ଷ ଟଙ୍କା ରାଜ୍ୟ ରାଜ କୋଷରୁ ଖର୍ଚ୍ଚ ହୋଇଛି ଅର୍ପଣ ରଥ ପାଇଁ । ଅନୁରୂପ ଭାବରେ ରାଜ୍ୟର ୪୮ଟି ମ୍ୟୁନିସପାଲଟିର ୯୬୭ ଟି ୱାର୍ଡ ପାଇଁ ୧୯.୩୪ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ୬୭ ଟି ବିଜ୍ଞପିତ ଅଂଚଳର ୱାର୍ଡପ୍ରତି ୧ଲକ୍ଷ ଓ ମ୍ୟୁନିସପାଲ କର୍ପୋରେସନର ୱାର୍ଡ ପିଛା ୫ଲକ୍ଷ ଲେଖାଏ ଅନୁଦାନ ଦେଇଛନ୍ତି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ କୋଟି କୋଟି ଟଙ୍କା ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଛି । ଏହି ସବୁ ପ୍ରଚାର କାର୍ଯ୍ୟକ୍ରମରେ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି ଏବଂ ବିଜେଡ଼ି ଦଳର ନେତା ଓ କର୍ମୀମାନେ ହାତକୁ ଚିକଣ କରିଛନ୍ତି ବୋଲି ଶ୍ରୀ ଦାସ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏ ଅର୍ଥ କେଉଁଠୁ ଆସିଲା ଏବଂ ଏହାର ବିନିଯୋଗ ପାଇଁ କିଏ ଉତରଦାୟୀ ତାହା ସରକାର ସ୍ପଷ୍ଟ କରନ୍ତୁ । ଯଦି ତା’ ନହୁଏ ତେବେ ଦଳପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ସମୀକ୍ଷା କରି ଅର୍ପଣ ରଥ କାର୍ଯ୍ୟକ୍ରମର ଦୁର୍ନିତିକୁ ପର୍ଦ୍ଦାଫାଶ କରାଯିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।

0
0
0
s2sdefault