ହେଡଲାଇନସ୍:

ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,୧୮/୦୧/୨୦୨୪ ସୁମନ୍ତ କୁମାର ଦାସ; ଜଗତସିଂହପୁର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଜଗତସିଂହପୁର ପୁସ୍ତକ ମେଳାର ରୌପ୍ୟ ଜୟନ୍ତୀ ସମାରୋହର ଆଜି ଥିଲା ଚତୁର୍ଥ ସଂଧ୍ୟା । ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ବିଜୟ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । ଏଥିରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଗାନ୍ଧୀବାଦୀ ସାମାଜିକ କର୍ମୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂ କହିଥିଲେ ଯେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସଂଯୋଗ ହେଉଛି ପୁସ୍ତକ । ଏଭଳି କୈାଣସି ଦେଶ ନାହିଁ ଯେଉଁଠି କି ମହାତ୍ମାଗାନ୍ଧୀଙ୍କ ବିଷୟରେ ବହି ପ୍ରଚଳିତ ହୋଇନାହିଁ । ଗାନ୍ଧୀ ସାହିତ୍ୟରେ ଭରି ରହିଛି ଦେଶ ପ୍ରେମ ଉଦ୍ରେକ କଲାଭଳି ବାର୍ତ୍ତା । ଆମର ସଂସ୍କୃତି ଓ ସମାଜକୁ ଉଚ୍ଚକୋଟୀର କରିବାକୁ ହେଲେ ଆମକୁ ଅଧିକରୁ ଅଧିକ ବହି ପଢିବାକୁ ପଡ଼ିବ । ଅନ୍ୟତମ ସମ୍ମାନନୀୟ ଅତିଥି ଜଗତସିଂହପୁରର ପ୍ରାକ୍ତନ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ କୁମାର ମଲ୍ଲିକ କହିଥିଲେ ଯେ ଇଣ୍ଟରନେଟ୍ ଯୁଗରେ ମଧ୍ୟ ପାଠକଙ୍କ ସଂଖ୍ୟା ବଢ଼ିଛି । ପ୍ରତ୍ୟେକ ବର୍ଷ ପୂର୍ବ ବର୍ଷ ଅପେକ୍ଷା ୨୦ ପ୍ରତିଶତ ଅଧିକ ମୁଦ୍ରଣ ହେଉଛି । ସାରା ବିଶ୍ବରେ ମୁଦ୍ରଣ କ୍ଷେତ୍ରରେ ଭାରତ ଷଷ୍ଠ ସ୍ଥାନରେ ରହିଛି । ଏହା ନିଶ୍ଚୟ ଆଗାମୀ ଦିନ ପାଇଁ ଖୁସିର ଖବର । ଜ୍ଞାନ ବାଣ୍ଟିବାର ମେଳା ହେଉଛି ପୁସ୍ତକ ମେଳା । ଓଡ଼ିଶା ବିଧାନସଭାର ସଚିବ ଶ୍ରୀଯୁକ୍ତ ଦାଶରଥି ଶତପଥୀ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ପାଠକ ସଂଖ୍ୟା ବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ବାପା ଓ ମାଆଙ୍କ ପରେ ଯଦି କାହାକୁ ଭଲ ପାଉଛ ତା ହେଲେ ପୁସ୍ତକ ଓ ପ୍ରକୃତିକୁ ଭଲପାଅ । ଏହି ଅବସରରେ ସେ କହିଥିଲେ ଜଗତସିଂହପୁର ଜିଲ୍ଲା ଯାହା ଓଡ଼ିଶାକୁ ଦେଇଛି, ଯାହା ଭାରତକୁ ଦେଇଛି, ଯାହା ବିଶ୍ବକୁ ଦେଇଛି ତାହା ହୁଏତ ଅନ୍ୟ କେଉଁ ଜିଲ୍ଲା ଦେଇ ନଥାଇ ପାରେ । ପ୍ରାରମ୍ଭରେ ଶ୍ରୀଯୁକ୍ତ ଅଭିରାମ ଶତପଥି ଵେଦପାଠ କରିଥିବା ବେଳେ କାର୍ଯ୍ୟକାରିଣୀ ସଭ୍ୟ ସତ୍ୟବ୍ରତ ବିଶ୍ବାଳ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ସୁଗୃହିଣୀ, ଆଦର୍ଶ ମହିଳା କାଞ୍ଚନବାଳା ରଥଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସର ଉତ୍ସର୍ଗ କରିଥିଲେ । ଆଜିର ଉତ୍ସବରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା । ପରିଶେଷରେ ସାଂସ୍କୃତିକ ପରିଷଦର କାର୍ଯ୍ୟକାରିଣୀ ସଭ୍ୟ ସୌଭାଗ୍ୟ ରଞ୍ଜନ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ "ସୁନା ଭଉଣୀ" ପାକନପୁର ଜଗତସିଂହପୁର ପକ୍ଷରୁ କବିତା ପାଠୋତ୍ସବ ଆୟୋଜିତ ହୋଇଥିବା ବେଳେ ଅପରାହ୍ନରେ "ମହିମା ସ୍କୁଲ୍ ଆଣ୍ଡ୍ କଲେଜ୍ ଅଫ୍ ନର୍ସିଂ, ଜଗତସିଂହପୁର ପ୍ରାୟୋଜିତ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ବାଳ, ମହିମା ସ୍କୁଲ୍ ଆଣ୍ଡ୍ କଲେଜ୍ ଅଫ୍ ନର୍ସିଂର ଅଧ୍ୟକ୍ଷା ଖୁଲଣା କୁମାରୀ ଦେଇ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜଗତସିଂହପୁର ପ୍ରତିଚି ତନୟା ମହାନ୍ତି, ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ଗଣେଶ୍ୱର ମାଣିଆ ଅତିଥି ଭାବେ ଯୋଗ ଦେଇଥିଲେ । କୁଇଜ୍ କାର୍ଯ୍ୟକ୍ରମକୁ କୁଇଜ୍ ମାଷ୍ଟର୍ ପ୍ରଦୀପ୍ତ କିଶୋର ଚୌଧୁରୀ ପରିଚାଳନା କରିଥିବା ବେଳେ ଦୁର୍ଯୋଧନ ମହାରଣା,ଅବିନାଶ ସ୍ବାଇଁ ଓ ପ୍ରିୟବ୍ରତ ଦାସ ସହଯୋଗ କରିଥିଲେ । ସଂଧ୍ୟାରେ ମା ଗାୟତ୍ରୀ ଭଜନ ସଂଧ୍ୟା, ଭୁବନେଶ୍ୱର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହା ସହିତ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

0
0
0
s2sdefault