ହେଡଲାଇନସ୍:

ଗୁଣାତ୍ମକ ଓ ଢାଞ୍ଚାଗତ ପରିବର୍ତ୍ତନ ଦ୍ୱାରା କୃଷି ହେବ ଲାଭଜନକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


୨୬ତମ କଳାହାଣ୍ଡି ଉତ୍ସବ ଅବସରରେ 'କୃଷି ଆୟର ଦ୍ବିଗୁଣନ ପ୍ରକ୍ରିୟା' ଶୀର୍ଷକ ସଂପାନ ଅନୁଷ୍ଠିତ

ଭବାନୀପାଟଣା,୧୬/୦୧( ରୋହିତ କୁମାର ନାଏକ )-ଆଜିର ଦିନରେ କୃଷିକ୍ଷେତ୍ର ପ୍ରତି ଗୁରୁତ୍ବ ଦେବା ଏକ ଆହ୍ବାନ ହୋଇ ଛିଡ଼ା ହୋଇଛି। ଜିଲ୍ଲାର ଧାନ ଉତ୍ପାଦନ ଆଜି ରେକର୍ଡ କରିଛି ସତ କିନ୍ତୁ କୃଷି ଓ କୃଷିଜାତ ସାମଗ୍ରୀର ବିପଣନକୁ ନେଇ ଅନେକ ସମସ୍ୟା ରହିଛି। ଗୁଣାତ୍ମକ ତଥା ଢାଞ୍ଚାଗତ ପରିବର୍ତ୍ତନ ଓ ନିରନ୍ତର ଉଦ୍ୟମ ଜରିଆରେ କୃଷିକୁ ଏକ ଲାଭଜନକ ବ୍ୟବସାୟ ଓ ବୃତ୍ତି ଭାବେ ପରିଗଣିତ କରାଯାଇ ପାରିବ।ଜିଲ୍ଲାର ବିଶାଳ କୃଷି ଭିତ୍ତିଭୂମି ଆଗାମୀ ଦିନରେ ରାଜ୍ୟ ତଥା ଦେଶର ଅର୍ଥନୀତିରେ ଏକ ସମ୍ମାନଜନକ ସ୍ଥାନ ହାସଲ କରିବ। ସୁନିୟନ୍ତ୍ରିତ ଯୋଜନା, ସଠିକ ସୂଚନା ଓ କଠିନ ପରିଶ୍ରମ କୃଷି ଉପରେ ନିର୍ଭରଶୀଳ ଏ ଜିଲ୍ଲାର ବାହ୍ୟ ସ୍ଥାନାନ୍ତରଣ ରୋକିବା ସହିତ ଜିଲ୍ଲାର କୃଷିଜୀବୀଙ୍କୁ ପୂର୍ଣ୍ଣ ସ୍ବାବଲମ୍ବୀ ହେବାରେ ସହାୟକ ହେବ ବୋଲି ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଅବସରରେ ଅନୁଷ୍ଠିତ ସଂପାନରେ ଆଲୋଚକମାନେ ମତ ଦେଇଛନ୍ତି। ସ୍ଥାନୀୟ ଟାଉନ ହଲଠାରେ 'କୃଷି ଆୟର ଦ୍ବିଗୁଣନ ପ୍ରକ୍ରିୟା' ଶୀର୍ଷକ ଏକ ସଂପାନ ଆୟୋଜିତ ହୋଇଥିଲା। ଏଥିରେ ଓୟୁଏଟି, ଭବାନୀପାଟଣାର ସହକାରୀ ନିର୍ଦ୍ଦେଶକ ଡ. ଭବାନୀଶଙ୍କର ନାୟକ, ଓୟୁଏଟି, ଭବାନୀପାଟଣା ଅର୍ଥନୀତି ବିଭାଗର ଡ. ଆର୍.କେ ରାଉତ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ. ରଜନୀକାନ୍ତ ରଥ, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କେଦାର ଖମାରୀ, ମତ୍ସ୍ୟ ବିଭାଗର ଉପନିର୍ଦ୍ଦେଶକ ଅରୁଣ ବେହେରା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ବେଶ୍ବର ସାହୁ, ଉଦ୍ୟାନବିଭାଗର ଉପ ନିର୍ଦ୍ଦେଶକ କିଶୋର କୁମାର ମହାଲିଙ୍ଗି, ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗ ମୁଖ୍ୟ ଚିତ୍ରସେନ ଭୁଏ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସଂପାନ ଉପକମିଟିର ସଭାପତି ତଥା ମାଁ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ସଞ୍ଜୟ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ସଞ୍ଜିତ କୁମାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉପକମିଟିର ସହ ଅଧ୍ୟକ୍ଷ ପ୍ରଫେସର ସୀମାଞ୍ଚଳ ମିଶ୍ର ସ୍ବାଗତ ଅଭିଭାଷଣ ଓ ସଦସ୍ୟ ସୁଢ଼ଳଦେବ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବାଲଗୋପାଳ ସେବା ନିକେତନର ଅନ୍ତେବାସୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଉପକମିଟିର ନୋଡ଼ାଲ ଅଫିସର ଭୂପିନ୍ଦର ସିଂହ, ଆବାହକ ଶେଷଦେବ ମିଶ୍ର, ବିଶ୍ବରଞ୍ଜନ ବେହେରା, ପ୍ରତାପ କୁମାର ପଣ୍ଡା, ଦୁର୍ଗା ପ୍ରସାଦ ବେହେରା ପ୍ରମୁଖ ସେମିନାର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଇ ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ତିନିଶହରୁ ଉର୍ଦ୍ଧ୍ବ ଚାଷୀ, ବୁଦ୍ଧିଜୀବୀ, ସାଧାରଣ ନାଗରିକ ଏବଂ ବହୁସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

0
0
0
s2sdefault