ପାଣ୍ଡିଆନଙ୍କ ଓଡ଼ଗାଁ ଗସ୍ତ ପାଇଁ ଦିନଟିଏ ଚାଲୁ କରାଯାଇଥିଲା
୫ଟି ସଚିବଙ୍କ ପରିଦର୍ଶନ ପରେ ବନ୍ଦ ପଡିଛି, କର୍ତ୍ତୃପକ୍ଷ କହୁଛନ୍ତି " ଚାଲିବ"
ଓଡ଼ଗାଁ,୩।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶାର ଏକମାତ୍ର ସର୍ବ ବୃହତ ଛତୁ ପକ୍ରିୟାକରଣ ୟୁନିଟ୍ କାର୍ଯ୍ୟକ୍ଷମରେ ବିଳମ୍ବ ପରିଲକ୍ଷିତ ହୋଇଛି । ୫ଟି ସଚିବଙ୍କ ପରିଦର୍ଶନ ଠାରୁ ଏହା ବନ୍ଦ ପଡିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ରାବେରା ପଞ୍ଚାୟତ ଠାରେ ସ୍ଥାପିତ ଓଡ଼ିଶାର ଏକମାତ୍ର ସର୍ବବୃହତ ଛତୁପକ୍ରିୟା କରଣ ପ୍ରକଳ୍ପ କାର୍ଯ୍ୟକ୍ଷମ ନିମନ୍ତେ ଅନୁଦାନ ମଞ୍ଜୁର ହୋଇଛି । ବାହାଡ଼ାଝୋଲା ନିୟନ୍ତ୍ରୀତ ବଜାର କମିଟି ସହାୟତାରେ ୨କୋଟି ୫୪ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କାର୍ଯ୍ୟ ହୋଇଛି । ତେବେ ଅର୍ଥ ମଞ୍ଜୁରୀ ମିଳିବାର ୨ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରକ୍ରିୟାକରଣ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ। ଗତ ଜୁଲାଇ ମାସ ୨୧ତାରିଖ ଦିନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଓଡ଼ଗାଁ ଗସ୍ତ ସମୟରେ ଡେମୋ ସ୍ବରୂପ ଏହାକୁ ଗୋଟିଏ ଦିନପାଇଁ ଚାଲୁ କରାଯାଇଥିଲା । ସୂଚନା ଅନୁଯାୟୀ ୨୦୨୧ ମସିହାରେ ଓଡ଼ଗାଁର ରାବରା ଠାରେ ରାଜ୍ୟର ବୃହତ ଛତୁ ପକ୍ରିୟାକରଣ କେନ୍ଦ୍ର ନିର୍ମାଣ ଉଦଘାଟନୀ ଦିବସରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ତତ୍କାଳୀନ ଜିଲ୍ଲାପାଳ ଡ. ପୋମା ଟୁଡୁ, ନିୟନ୍ତ୍ରୀତ ବଜାର କମିଟି ସମ୍ପାଦକ ସୁଦାମ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଯୁଦ୍ଧକାଳୀନ ଭିତିରେ ଏହିପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଏହା ଓଡ଼ଗାଁ ଅଞ୍ଚଳ ଛତୁ ଚାଷୀ ମାନଙ୍କ ଲାଇଫ ଲାଇନ ହୋଇପାରିବ ବୋଲି ଆଶା ସୃଷ୍ଟି ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମହିଳାମାନେ ସ୍ବାବଲମ୍ବୀ ହେବା ସହିତ ବିଭିନ୍ନ ପ୍ରକାରର ଛତୁ ପ୍ରସ୍ତୁତ ସାମଗ୍ରୀ ତିଆରି କରି ବଜାରରେ ବିକ୍ରି କରାଯିବ । ଫଳରେ ଛତୁଚାଷୀ ଗୋଟିଏ ସ୍ଥାନରେ ନିଜର ଆଦାୟ ଦେଇ ଲାଭବାନ ହୋଇପାରିବେ ।
ଏହି ଘଟଣାରେ ଓରମାସ ବିଭାଗ ଅଧିକାରୀ ପ୍ରବୀଣ କୁମାର ତୁରନ୍ତ ଛତୁ ପକ୍ରିୟା କରଣ କାର୍ଯ୍ୟକ୍ଷମ କରାଯିବ ବୋଲି କହିଥିବା ବେଳେ ଆହୁରି ଅନେକ ମେସିନ୍ ଏଠାରେ ଲାଗିବାର ଅଛି । ସମସ୍ତ କାର୍ଯ୍ୟ ସରିବା ପରେ ମହିଳାମାନଙ୍କ ମାଧ୍ୟମରେ ଏଠାରେ ଛତୁନିର୍ମିତ ସାମଗ୍ରୀ ଉପଲବ୍ଧ ହୋଇପାରିବ ।








