ପାଣ୍ଡିଆନଙ୍କ ହେଲିକପ୍ଟର ଉଡାଣ ଚର୍ଚା: ବିଜେପିକୁ କଡା ଜବାବ ଦେଲେ ଟୁକୁନି
"ସାମାନ୍ୟ ଲଜ୍ଜା ଥିଲେ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ"
ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀଙ୍କର ସଚିବ ଭିକେ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମରେ, ବାହାଘର ଭୋଜି ଖାଇବାକୁ ଯିବା ଭଳି କାର୍ଯ୍ୟରେ ସରକାରୀ ହେଲିକ୍ୟାପ୍ଟରକୁ ବ୍ୟବହାର କରିଛନ୍ତି ବୋଲି ଏଆରପୋର୍ଟ ଅଥରିଟ ଅଫ୍ ଇଣ୍ଡିଆ ସୂଚନା ଅଧିକାର ଆଇନ ଅନୁସାରେ ଦେଇଥିବା ତଥ୍ୟନୁସାରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିବା ପରେ ଆଜି ତାର କଡା ଜବାବ ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ | ଆଜି ଟୁଇଟ କରି ବିରୋଧୀଙ୍କ ଏପରି ଅଭିଯୋଗକୁ ସେମାନଙ୍କ ମାନସିକ ବିକୃତି ବୋଲି ବର୍ଣ୍ଣ କରିବା ସହ ଆସନ୍ତା ଵିଧାନସଭାରେ ପ୍ରକୃତ ସତ୍ୟ ଓ ତଥ୍ୟ ରଖିବେ ବୋଲି ଚାଲେଞ୍ଜ ଦେଇଛନ୍ତି |
ଆଜି ତାଙ୍କ ଏକ୍ସ(ପୂର୍ବର ଟୁଇଟର) ହାଣ୍ଡଲରେ ଶ୍ରୀମତୀ ସାହୁ ଉଲ୍ଲେଖ କରିଛନ୍ତି " କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ସେମାନଙ୍କର ମୁଣ୍ଡ କାମ କରୁନି। ସେଥିପାଇଁ ଇଆଡୁ ସିଆଡୁ ବୟାନ ଦେଉଛନ୍ତି। ଏମାନେ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଇଚାଲିଛନ୍ତି। କିଏ କହୁଛି ହେଲିକପଟରରେ ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ’ କିଏ କହୁଛି ୫୦୦ କୋଟି। ସେମାନଙ୍କ ନିଜ କଥାରେ ବି ତାଳମେଳ ନାହିଁ। ପ୍ରକୃତରେ ଗତ ୫ ବର୍ଷରେ ହେଲିକପଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଖର୍ଚ୍ଚ ହୋଇଛି। ଅର୍ଥାତ୍ ବର୍ଷକୁ ହାରାହାରି ୧୦ ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି। ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି। ସେତେବେଳେ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡିଯିବ ଓ ମୁଖା ଖୋଲିଯିବ। ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର। ଏମାନଙ୍କ ପାଖରେ ଯଦି ସାମାନ୍ୟ ଲଜ୍ଜା ଥିବ ତେବେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ" ବୋଲି କଡା ଜବାବ ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ |









