ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା , ଶିକ୍ଷା ଓ ଯୋଗାଯୋଗ ନେଇ ହେବାକୁ ଥିବା ସଚେତନତା କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ୨ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି।
ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ଯୋଗ ଦେଇ ୨ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରକୁ ଉଦଘାଟିତ କରିଛନ୍ତି। ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟିତ କରି କହିଥିଲେ ଯେ ଲୋକକଳା ମାଧ୍ୟମରେ ସରକାରଙ୍କର ବିଭିନ୍ନ ଯୋଜନାକୁ , ପ୍ରଚାର , ପ୍ରସାର କରି ଜନସାଧାରଣଙ୍କୁ ସଚେତନତା କରାଯାଇପାରିବ। ଓଡ଼ିଶାର ପାରମ୍ପାରିକ ଲୋକକଳାର ସଂରକ୍ଷଣ , ବିକାଶ ତଥା ପ୍ରଚାର ପ୍ରସାର ହେବା ସହିତ କଳାକାର ମାନଙ୍କର ଜୀବନ ଜୀବିକାରେ ସହାୟକ ମଧ୍ୟ ହୋଇପାରିବ। ସୂଚନା , ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଚଳିତ ମାସ ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ଗ୍ରାମାଞ୍ଚଳରେ ଯୋଜନାବଦ୍ଧ ଭାବେ ଆୟୋଜିତ ହେବ। ପାରମ୍ପରିକ ଲୋକନୃତ୍ୟ ଓ ସଙ୍ଗୀତ ପରିବେଷଣ କରୁଥିବା ସମସ୍ତ ସାଂସ୍କୃତିକ ଦଳ ଏହି ଅଭିଯାନରେ ସାମିଲ ହୋଇ ପାରିବେ। ବିଶେଷ କରି ପାଲା , ଦାସକାଠିଆ , ଘୋଡ଼ାନାଚ ଓ ବିଭିନ୍ନ ଲୋକନୃତ୍ୟ ଓ ଲୋକ ସଂଗୀତ ଜରିଆରେ ଏହି କାର୍ଯ୍ୟକ୍ରମ ପରିବେଷଣ କରାଯିବ।
ଏହି ଅବସରରେ ବ୍ଲକସ୍ତରୀୟ କଳାକାର ସଂଘ ସଭାପତି , ବ୍ଲକ କଳାକାର ସଂଘ , ସମସ୍ତ ବ୍ଲକ୍ ବି ଏସ୍ ଏସ୍ ଓ ଏହି ଶିବିରରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଓ ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରି ପ୍ରଶିକ୍ଷାର୍ଥୀ ମାନଙ୍କର ପ୍ରଶ୍ନ ଉତ୍ତର ପ୍ରଦାନ କରିଥିଲେ। ସରକାରଙ୍କର ଜନ ହିତାଧିକାରୀ ଯୋଜନା ତଥା ମମତା ଯୋଜନା , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା , ମଧୁବାବୁ ପେନସନ ଯୋଜନା , ମିଶନ ଶକ୍ତି ଯୋଜନା , ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଫସଲ ବୀମା ଯୋଜନା , ଫସଲ ଋଣ ସୁଧ ରିହାତି , ଆମ ହସ୍ପିଟାଲ , କ୍ରୀଡ଼ା , ଆମ ଓଡ଼ିଶା ନବୀନ ଓଡ଼ିଶା ଓ ୫-ଟି ହାଇସ୍କୁଲ ରୂପାନ୍ତରିତ କରଣ ଇତ୍ୟାଦି ବିଭିନ୍ନ ଯୋଜନା ସମ୍ବନ୍ଧରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ତଥ୍ୟ ପ୍ରଦାନ କରିଥିଲେ।
ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ତାଲିମ ପାଇଥିବା ସଂସାଧନ ସଭ୍ୟମାନେ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିରରେ କଳାକାରମାନଙ୍କୁ ତାଲିମ ଦେବେ। ଏହି ତାଲିମ ଶିବିରରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ , ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଡିଟର ଶ୍ରୀ ଇଶାନ ଚାନ୍ଦ ଓକାର , ମିଶନ ଶକ୍ତି , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ , ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବିଭାଗୀୟ ଅଧିକାରୀ ମାନେ ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।
ରାଜ୍ୟ
ପାରମ୍ପରିକ ଲୋକକଳା ମାଧ୍ୟମରେ ହେବ ସଚେତନତା : ୨ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ
- Hits: 393








