ପାରଳାଖେମୁଣ୍ଡି, / ବାଳକୃଷ୍ଣ ପାଣିଗ୍ରାହୀ : ସମଗ୍ର ବିଶ୍ୱ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ ପରେ ଦେଶର ଜୟ ଜୟକାର କରୁଛି। ସବୁଆଡେ ଭାରତର ଏହି ଐତିହାସିକ ତଥା ସ୍ବଳ୍ପ ବିନିଯୋଗରେ ଉନ୍ନତଜ୍ଞାନ କୌଶଳର ବ୍ୟବହାରକୁ ସାରା ବିଶ୍ୱବାସୀ ଅଭିନନ୍ଦନ ଜଣାଉଛନ୍ତି। ଏହି ସଫଳତାରେ ଇସ୍ରୋର ବୈଜ୍ଞାନିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସର୍ବତ୍ତମ ଜ୍ଞାନ କୌଶଳକୁ ସମଗ୍ର ମାନବ ଜାତି ନମନ କରୁଛି।
ଏହି ବୈଜ୍ଞାନିକ ଦଳରେ ଓଡିଶାର ତଥା ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ମାଟିର ସନ୍ତାନ ଇ. କ୍ରିଷ୍ଣା ଇସ୍ରୋର ସଫଳତାରେ ଭାଗିଦାର ଅଛନ୍ତି। ଏହି ଯୁବ ବୈଜ୍ଞାନିକ ଜଣକ ପାରଳାଖେମୁଣ୍ଡି ସହରର ନୂଆକାମ୍ପ ସାହିବାସୀନ୍ଦା ଅବସର ପ୍ରାପ୍ତ ପଶୁ ଚିକିତ୍ସକ ଡାକ୍ତର ଇ.ରାମଲିଙ୍ଗମଙ୍କ ସୁପୁତ୍ର ଇ. କ୍ରିଷ୍ଣା। ଯୁବ ବୈଜ୍ଞାନିକ ଇ.କ୍ରିଷ୍ଣା କେରଳ ରାଜ୍ୟର ତ୍ରିଭେନ୍ଦ୍ରମ୍ ସ୍ଥିତ ଇସ୍ରୋରେ ଏସଏଫ୍ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ଚନ୍ଦ୍ରଯାନ-୨ ଏବଂ ୩ ପାଇଁ କାମ କରିଥିବାର ପ୍ରକାଶ କରିଛନ୍ତି। ସେ ଏହି ଦୁଇ ପ୍ରକଳ୍ପରେ ନେଭିଗେଶନ ସେନ୍ସର ଉପରେ କାମ କରିଛନ୍ତି। ସେଟେଲାଇଟ କିଭଳି ନିଜ କକ୍ଷପଥ ରେ ଗତି କରିବ ଏବଂ ଚନ୍ଦ୍ରପୃଷ୍ଠରେ କିଭଳି ସଫଳ ଅବତରଣ କରିବ ସେହି ଦାୟିତ୍ୱ କ୍ରିଷ୍ଣାଙ୍କ ଟିମ ଉପରେ ରହିଥିଲା। ସେ ପାରଳାଖେମୁଣ୍ଡିର ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ପାଠ ପଢି ପରେ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମାପନ କରି ପରେ ଆଇଆଇଟି ଖଡଗପୁର ଏମ.ଟେକ୍. କରିଥିଲେ।
୨୦୦୮ମସିହାରେ ଇସ୍ରୋ ବୈଜ୍ଞାନିକ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ସମଗ୍ର ବିଶ୍ବବାସୀ ଗୋଟିଏ ପଟେ ଭାରତର ଚନ୍ଦ୍ରଯାନର ସଫଳତାକୁ ଭୂୟସୀ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ଗଜପତି ମାଟିର ଏହି ସଫଳ ସନ୍ତାନକୁ ନେଇ ଜିଲ୍ଲାବାସୀ ଗର୍ବ ଅନୁଭବ କରିଛନ୍ତି। ବୈଜ୍ଞାନିକ କ୍ରିଷ୍ଣା ଗତକାଲି ନିଜ ଘରେ ପହଞ୍ଚିବା ପରେ ତାଙ୍କ ସାଙ୍ଗସାଥି ଓ ସହର ବାସିନ୍ଦା ତାଙ୍କୁ ଭେଟିବା ପାଇଁ ଲୋକଙ୍କ ସୁଅ ଛୁଟିଛି। ଇସ୍ରୋର ଏତେବଡ଼ ସଫଳତାରେ ପାରଳାଖେମୁଣ୍ଡି ମାଟିର ଜଣେ ଏହି ସଫଳତାର ଭାଗିଦାର ହୋଇ ପାରିଛନ୍ତି ତାହା ସବୁଠାରୁ ବଡ଼କଥା। ଲୋକେ ତାଙ୍କୁ ଭେଟିବା ସମୟରେ ବଖାଣିଛନ୍ତି ଚନ୍ଦ୍ରୟାନ ୩ ସଫଳ ଅବତରଣର ପଛରେ ଅକ୍ଲାନ୍ତ ପରିଶ୍ରମର କାହାଣୀ। ଆଗକୁ ଇସ୍ରୋର ସୂର୍ଯ୍ୟାୟନ ପ୍ରକଳ୍ପରେ ପରୋକ୍ଷ ଭାବେ ତାଙ୍କର ଦାୟିତ୍ଵ ରହିବ ବୋଲି ସେ କହିଛନ୍ତି।
ରାଜ୍ୟ
ଜିଲ୍ଲା ପାଇଁ ଗୌରବ ଆଣିଲେ ଯୁବ ବୈଜ୍ଞାନିକ ଇଂ କ୍ରିଷ୍ଣା
- Hits: 280








