ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପୁନଃବିନ୍ୟାସ ର ଦୀର୍ଘ ଦିନ ଧରି ପ୍ରଚେଷ୍ଟା ଏବଂ ଅନୁରୋଧ ସତ୍ତ୍ୱେ ବିଭାଗ ତରଫରୁ କୌଣସି ନ୍ୟାୟୋଚିତ ପଦକ୍ଷେପ ପରିଲକ୍ଷିତ ନ ହେବାରୁ ଅଗଷ୍ଟ ୩୧ ତାରିଖରୁ ଅନିର୍ଦ୍ଦଷ୍ଟ କାଳ ପାଇଁ ସମୂହ ଛୁଟି ରେ ଯାଇଛନ୍ତି କୃଷି ବିଭାଗର ସମସ୍ତ ଅଧିକାରୀ ।ସୂଚନା ଯୋଗ୍ୟ ଯେ, କୃଷି ସେବା ସଂଘ ଦୀର୍ଘ ଦିନ ଧରି କ୍ୟାଡର ର ପୁନର୍ବିନ୍ୟାସ ସମ୍ବନ୍ଧରେ ନିରନ୍ତର ସରକାରଙ୍କ ସହାୟତା ଲୋଡ଼ି ଆସିଛି ଏବଂ ସମୟାନୁସାରେ ସରକାରଙ୍କ ଦ୍ଵାରା ମଗା ଯାଇଥିବା ସମସ୍ତ ତଥ୍ୟାବଳି ଦେବା ସହ ରାଷ୍ଟ୍ରୀୟ କୃଷି ସଂପ୍ରସାରଣ ଓ ପ୍ରବନ୍ଧନ ସଂସ୍ଥାନ (MANAGE) ଦ୍ଵାରା ସୁପାରିଶ କରାଯାଇଥିବା ପୁନର୍ବିନ୍ୟାସ ଦସ୍ତାବିଜ ସମ୍ବନ୍ଧୀୟ ଆଲୋଚନା ଉଚ୍ଚ ସ୍ତରୀୟ ଅଧିକାରୀ ତଥା ମାନ୍ୟବର କୃଷି ମନ୍ତ୍ରୀ ଙ୍କ ସହ କରି ଆସିଛି । କିନ୍ତୁ ପରିଲକ୍ଷିତ ହୋଇଛି ଯେ ମାନ୍ୟବର କୃଷି ମନ୍ତ୍ରୀ ଙ୍କ ଆଲୋଚନା ପରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପଦକ୍ଷେପ ନିଆ ଯିବାର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହେଇ ରହିଯାଇଛି । ଏହି ସଂକ୍ରାନ୍ତ ରେ କୃଷି ସେବା ସଂଘ ନିଜର ସାମୂହିକ ଛୁଟିର ନିଷ୍ପତ୍ତି କୁ ଅଗଷ୍ଟ ୮ ରୁ ସ୍ଥଗିତ କରିଥିଲା କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଅଗ୍ରଗତି ନ ହେବା ଯୋଗୁଁ ଦୁଃଖିତ ହୋଇ ସଂଘ ଏହି ଭଳି କଷ୍ଟକର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । ଏହି ସଂକ୍ରାନ୍ତ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ଅଗଷ୍ଟ ୧୬ ତାରିଖରୁ ସମସ୍ତ ଜିଲ୍ଲା ର ଜିଲ୍ଲାପାଳଙ୍କ ଦ୍ୱାରା ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲା । ପରବର୍ତ୍ତୀ ସମୟରେ ୩୧ ତାରିଖ ରୁ ଓଡ଼ିଶା କୃଷି ସେବା ସଂଘ ର ସବୁ ଅଧିକାରୀ ମାନେ ସାମୁହିକ ଛୁଟି ରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ।
ପଦ୍ମପୁର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଅଧୀନରେ ଥିବା ପଦ୍ମପୁର, ଝାରବନ୍ଧ, ପାଇକମାଳ ବ୍ଲକ କୃଷି ଅଧିକାରୀ ଏବଂ ସହକାରୀ କୃଷି ଅଧିକାରୀ ମାନେ ଓଡ଼ିଶା କୃଷି ସେବା ସଂଘ ର ନିଷ୍ପତ୍ତି କୁ ସମର୍ଥନ ଜଣାଇଛନ୍ତି ଏବଂ ପଦ୍ମପୁର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ସାମୁହିକ ଛୁଟି ନେଇ ନିରବ ପ୍ରତିବାଦ ରେ ବସିଛନ୍ତି l ଅପର ପକ୍ଷରେ କୃଷି କ୍ଷେତ୍ର ରେ ଏହିଭଳି ଘଡିସନ୍ଧି ମୁହୂର୍ତ୍ତ ରେ କୃଷି କାର୍ଯ୍ୟ ଯଥା ରୋଗପୋକ ନିୟନ୍ତ୍ରଣ, ସାର ବିହନ ର ସୁବିଧା ଏବଂ ସରକାରୀ ସୁବିଧା ସୁଯୋଗ ଅଭାବ କୃଷି ଅଧିକାରୀଙ୍କ କାର୍ଯ୍ୟବନ୍ଦ ଡାକରା ଦ୍ୱାରା ବିପର୍ଯ୍ୟୟ ଶିକାର ହେବାର ଆଶଂକା ଯୋଗୁଁ ରାଜ୍ୟର କୃଷକ ସମାଜ ମଧ୍ୟରେ ଏକ ପ୍ରକାର ର ଭୟ ବସା ବାନ୍ଧି ରହିଛି । ଯଥାଶୀଘ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବିଭାଗୀୟ ଅଧିକାରୀଙ୍କ ପ୍ରତି ନ୍ୟାୟୋଚିତ ସହାନୁଭୂତି ନିମନ୍ତେ ଉଭୟ କୃଷି ସେବା ସଂଘ ଏବଂ କୃଷକ ସମାଜ ଆଗ୍ରହ ପ୍ରକାଶ କରିଛି ।








