ହେଡଲାଇନସ୍:

ଓଡ଼ଗାଁ ଏନ୍ଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ମୋ ପ୍ରିୟ ଓଡ଼ଗାଁ ବୁକଲେଟ ଉନ୍ମୋଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୩୧।୮ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଗୁରୁବାର ସ୍ବାୟତ୍ତ ଶାସନ ଦିବସ ୨୦୨୩ ମହା ସମାରୋହ ପାଳିତ ହୋଇଯାଇଛି। ପ୍ରଭାତ ସମୟରେ ପ୍ରଭାତ ଫେରି ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ କାର୍ଯ୍ୟାଳୟ ମଧ୍ୟରେ ପତାକା ଉତ୍ତୋଳନ କରାଯାଇଥିଲା । ମଧ୍ୟାହ୍ନରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୂଖ୍ୟ ଅତିଥି, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ପଞ୍ଚାୟତ ସମିତି ଅଧ୍ଯକ୍ଷ ଲୋକନାଥ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ବାର୍ଷିକ ବିବରଣୀ ପାଠ କରି ୨୦୧୭ ମସିହାରେ ମାନ୍ୟତା ପ୍ରାପ୍ତ ଓଡ଼ଗାଁ ଏନଏସିର ସର୍ବାଙ୍ଗିନ ବିକାଶର ବିବରଣୀ ପାଠ କରିଥିଲେ । ଅଧିବାସୀଙ୍କ ସହଯୋଗ ରହିଲେ ଆଗାମୀ ଦିନରେ ଏହା ଅଧିକ ସରସ ସୁନ୍ଦର ହୋଇପାରିବ ବୋଲି ମତ ରଖିଥିଲେ । ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ ଓଡ଼ଗାଁ ବିକାଶର ଟିପ୍ପଣୀ ପ୍ରଦାନ କରିଥିବା ବେଳେ ଉପଜିଲ୍ଲାପାଳ ତଥା ଏନ୍ଏସିର ମୁଖ୍ୟ ପ୍ରଶାସକ ଶକ୍ତିକାନ୍ତ ରାୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନେକ ପୁରୁଣା ଏନ୍ଏସି ଠାରୁ ମାତ୍ର ୬ ବର୍ଷ ମଧ୍ୟରେ ଓଡ଼ଗାଁରେ ଅଧିକ ମାତ୍ରାରେ ବିକାଶ ହୋଇପାରିଛି ବୋଲି କହିଥିଲେ । ରଘୁନାଥ ଜୀଉଙ୍କ କୃପା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ସହିତ ଜନସାଧାରଣଙ୍କ ସହଯୋଗ ବଳରେ ଗୋଟିଏ ସହରର ସମସ୍ତ ଆବଶ୍ୟକତା ଓଡ଼ଗାଁରେ ପୂରଣ ହୋଇପାରିଛି । ଗମନାଗମନ, ଯୋଗାଯୋଗଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ଗାଁର ବିକାଶ ହୋଇପାରିଛି । ଆଦର୍ଶ ବିଦ୍ୟାଳୟ, ମଡେଲ କୋର୍ଟ କମ୍ପ୍ଲେକ୍ସ, ରାମ ସାଗର ପାର୍କ, ମିନି ଷ୍ଟାଡିୟମ, ମୁକ୍ତାକାଶ ବ୍ୟାୟାମଶାଳା, ଆଦର୍ଶ ସ୍ମଶାନ, ୫ଟି ସ୍କୁଲ ଏସବୁର ପ୍ରମାଣ ଦେଉଛି । ଆଗାମୀ ଦିନରେ ୨ କୋଟି ୪୦ ଲକ୍ଷରେ ଡାକ୍ତରଙ୍କ କ୍ବାଟର, ୧ କୋଟି ୨୦ ଲକ୍ଷ ବ୍ୟୟ ଅଟକଳରେ ତିନୋଟି ପୋଖରୀର ପୁନରୁଦ୍ଧାର, ୬ କୋଟି ୨୫ ଲକ୍ଷରେ ମଡେଲ ବସଷ୍ଟାଣ୍ଡ, ୩ କୋଟି ଟଙ୍କାରେ ଏନଏସିର ନୂତନ କାର୍ଯ୍ୟାଳୟ, ୫ କୋଟି ୨୪ ଲକ୍ଷରେ ଦୁଇଟି କଲ୍ୟାଣୀମଣ୍ଡପ, ୧ କୋଟି ୫୦ ଲକ୍ଷରେ ଓଡ଼ଗାଁ କଲେଜର ଉନ୍ନତିକରଣ ଓ ୩ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଓଡ଼ଗାଁ ଆରାଧ୍ୟ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯିବ କହିଥିଲେ ।

ଅନ୍ୟପକ୍ଷେ ୩୦ କୋଟି ବ୍ୟୟ ଅଟକଳରେ ବୁଢ଼ାବୁଢ଼ିଆଣି ଠାରୁ ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ଓଡ଼ଗାଁର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ, ୪ କୋଟି ୫୦ ଲକ୍ଷରେ ନୂତନ ମାତୃ ଓ ଶିଶୁ ଚିକିତ୍ସାଳୟ, ୧ କୋଟି ଟଙ୍କାର ମାଛ ମାର୍କେଟ କାର୍ଯ୍ୟ ଚାଲୁ ରହିଛି । ଖୁବ୍ କମଦିନ ମଧ୍ୟରେ ଓଡ଼ଗାଁରେ ଡାକ୍ତର ସମସ୍ୟା ଦୁରୀଭୂତ ହେବ । ଓଡ଼ଗାଁ ବିକାଶର ଧାରା ଆଗେଇ ଚାଲିଥିବା ବେଳେ ସମସ୍ତ ବିକାଶର ରକ୍ଷଣାବେକ୍ଷଣ ଆପଣମାନଙ୍କର ଦାୟିତ୍ଵ ବୋଲି ବିଧାୟକ କହିଥିଲେ ।ଏହି ଅବସରରେ ମୋ ପ୍ରିୟ ଓଡ଼ଗାଁ ପୁସ୍ତିକା ଉନ୍ମୋଚିତ ହୋଇଥିଲା।ଏଥ‌ିରେ ପ୍ରତି ୱାର୍ଡର ଉନ୍ନୟନମୁଳକ କାର୍ଯ୍ୟର ତାଲିକାମାନ ସ୍ଥାନ ପାଇଛି । ଓଡ଼ଗାଁରେ ପ୍ରତି ଘରେ ଏହି ପୁସ୍ତିକା ବଣ୍ଟନ କରାଯିବ । ଆଜି ଓଡ଼ଗାଁ ଏନଏସିର ୧୫ ଗୋଟି ୱାର୍ଡ ପାଇଁ ନିଯୁକ୍ତି ପାଇଥିବା ସଂଞ୍ଜୋଜକ ମାନଙ୍କୁ ବିଧାୟକଙ୍କ ଦ୍ବାରା ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଜନସାଧାରଣ ନିଜ ୱାର୍ଡର ସମସ୍ୟା ସିଧାସଳଖ ସେମାନଙ୍କ ପାଖରେ ରଖି ସମାଧାନ ପାଇପାରିବେ ।

କାର୍ଯ୍ୟକ୍ରମ ଶେଷରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault