ଓଜନ କରି ଚାଉଳ ରଖିବାକୁ ବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ
ଓଡ଼ଗାଁ, ୨୯|୮ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ପଞ୍ଚମ ସାଧାରଣ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ଉପାଧ୍ୟକ୍ଷା ମୀରା ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା,ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ ଏବଂ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରତିନିଧି ଲିଙ୍କନ ସୁବୁଦ୍ଧି ପ୍ରମୁଖଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ,ବିରଜାଲକ୍ଷ୍ମୀ ସାହୁ,ସଂଯୁକ୍ତା ପଢିଆରୀ,ଚିନ୍ମୟୀ ଦାସ ଓ ସମସ୍ତ ପଞ୍ଚାୟତ ପ୍ରତିନିଧି ବୈଠକରେ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟ ମାନଙ୍କୁ ମଧ୍ୟାହ୍ନଭୋଜନ ପାଇଁ ଚାଉଳ ଯୋଗାଉଥିବା ପ୍ରାଧିକୃତ ବିତରକ ପ୍ରତି ବସ୍ତାରେ କମ ଚାଉଳ ଦେଉଥିବା ନେଇ ବୈଠକରେ ଅଭିଯୋଗ ହୋଇଥିଲା।ଘଟଣାର ଆଲୋଚନା ଏବଂ ପର୍ଯ୍ୟାଲୋଚନା କରାଯାଇ ବିଦ୍ୟାଳୟମାନେ ଚାଉଳ ରଖିବା ସମୟରେ ଯୋଗାଣକାରୀମାନଙ୍କ ଠାରୁ ଓଜନ କରି ଚାଉଳ ରଖିବାକୁ ପ୍ରତ୍ୟେକ ବିଦ୍ୟାଳୟକୁ ସୂଚନା ପ୍ରଦାନ ନିମନ୍ତେ ବ୍ଲକ ଅଧ୍ୟକ୍ଷ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ କହିଥିଲେ।ନୂତନ ହିତାଧିକାରୀ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଘରକୁ ବିଦ୍ୟୁତ ଯୋଗାଣ ପାଇଁ ଦରଖାସ୍ତ କରିପାରିବେ।
ରାଜ୍ୟ ସରକାରଙ୍କର ଲୋକାଭିମୁଖୀ ଯୋଜନା ଗୁଡିକର ପ୍ରଚାର ପ୍ରସାର ପାଇଁ ଲୋକକଳା,ଲୋକନୃତ୍ୟ ପରିବେଷଣ ନିମନ୍ତେ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ନୃତ୍ୟାଭିନୟ ଯଥା ପାଲା,ଦାସକାଠିଆ,ଘୋଡା ନାଚ ମାଧ୍ୟମରେ ପ୍ରଚାର ପ୍ରସାର କରିବେ।ଜିଲ୍ଲା ପରିଷଦ ଦ୍ୱାରା ପ୍ରତି ପଞ୍ଚାୟତରେ କିଛି ଦିନ ପୂର୍ବେ କରାଯାଇଥିବା ଆଲୋକିକରଣ ବ୍ୟବସ୍ଥା ନିମ୍ନମାନର ଯନ୍ତ୍ରାଶ ଓ ବଲବ ବ୍ୟବହାର ଯୋଗୁଁ ବାରମ୍ବାର ସମସ୍ୟା ଉପୁଜିବା ନେଇ ଜନପ୍ରତିନିଧି ମାନେ ଅଭିଯୋଗ କରିଥିଲେ।କ୍ଷୁଦ୍ର ଓ ମଧ୍ୟବିତ୍ତ ଚାଷୀମାନେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଜନସେବା କେନ୍ଦ୍ରରେ ଆବେଦନ କରିପାରିବେ।ମନରେଗା ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ,ଚାରା ରୋପଣ ଓ ରୋପଣ କାର୍ଯ୍ୟ ଚାଲୁ ରଖିବା ପାଇଁ ଆଲୋଚିତ ହୋଇଥିଲା।








