“ଭୋଟ ଦେବା.. ଦେଶ ଗଢିବା”
ପଦ୍ମପୁର :- ହକିର ଯାଦୁଗର ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମତିଥି ଅବସରରେ ଆଜି ପଦ୍ମପୁର ଉପଖଣ୍ଡରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ଦ୍ବାରା ସହର ପରିକ୍ରମାକରି ଭୋଟର ସଚେତନତା ସୃଷ୍ଟି କରାଯାଇଥିଲା । ପ୍ରଥମେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯାଳୟ ପରିସରରୁ ଉପଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ବିଭିନ୍ନ କଲେଜ ଓ ସ୍କୁଲର ଛାତ୍ରୀଛାତ୍ର ମାନଙ୍କ ସହ ଉପଖଣ୍ଡର ବିଭିନ୍ନ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବି ସମସ୍ତେ “ମେଜର ଧ୍ଯାନଚାନ୍ଦ .. ଅମର ରହେ” , “ ଭୋଟ ଦେବା.. ଦେଶ ଗଢିବା, “ ଆସ ଆମେ ଭୋଟ ଦେବା.. ଭାରତକୁ ଆଗେଇ ନେବା” ଭଳି ସ୍ଲୋଗାନ୍ ଦେଇ ଜନସଚେତନତା ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏଥିରେ ଉପଜିଲ୍ଲାପାଳ, ଏନ୍ ଏ ସି ଇଓ, ବିଡିଓ, ସହକାରୀ ଜିଲ୍ଲାପାଳ, ତହସିଲଦାର୍, ଥାନା ଅଧିକାରୀ, କ୍ରୀତାବିତ୍, କ୍ରୀଡା ଶିକ୍ଷକ ଆଦି ସମସ୍ତେ ସାମିଲ୍ ହୋଇଥିଲେ ।
ସହର ପରିକ୍ରମା ପରେ ସ୍ଥାନୀୟ ଆର୍ ବି ହାଇସ୍କୁଲ୍ ପରିସରରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ରଙ୍କ ସଂଯୋଜନାରେ ଏକ ମୁକ୍ତମଞ୍ଚ ସଭା ଅନୁଷ୍ଠିତ ହୋଇଥିଲା । ଏଠାରେ ମେଜର୍ ଧ୍ୟାନଚାନ୍ଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଉପଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର ସମବେତ ଛାତ୍ରଛାତ୍ରୀଙ୍କୁ ଉଦ୍-ବୋଧନ ଦେଇ କ୍ରୀଡାର ମହତ୍ବ ସଂପର୍କରେ ଆଲୋକପାତ କରିଥିଲେ । ଏହା ସହ କିଭଳି ଭାବରେ ଦେଶର ଗଣତାନ୍ତ୍ରୀକ ସ୍ବାସ୍ଥ୍ଯ ପାଇଁ ପ୍ରତିଟି ଭୋଟ ମୂଲ୍ୟବାନ ସେ ଉପରେ ଆଲୋଚନା କରିବା ସହ ଯେଉଁ ମାନେବି ୧୮ ବର୍ଷର ହେବାକୁ ଯାଉଛନ୍ତି ପଞ୍ଜୀକରଣ ଦ୍ବାରା ଭୋଟର ତାଲିକାରେ ସାମିଲ ହେବାପାଇଁ ଶ୍ରୀ କୁମ୍ଭାର ଉତ୍ସାହିତ କରିଥିଲେ । ଏହି ବାର୍ତ୍ତାକୁ ପରିବାର ତଥା ବନ୍ଧୁମହଲରେ ପ୍ରସାରିତ କରିବା ପାଇଁ ମଧ୍ୟ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ପରିଶେଷରେ ସୂଚନା ଓ ଲୋକସଂପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ଯବାଦ ଜ୍ଞାପନ କରିବା ସହ ଖେଳ ମାଧ୍ଯମରେ ନିଜ ସ୍ବାସ୍ଥ୍ଯର ଯତ୍ନ ଓ ଭୋଟ୍ ମାଧ୍ଯମରେ ଦେଶର ସ୍ବାସ୍ଥ୍ଯର ଯତ୍ନ ନେବାପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହାପରେ ଆର୍ ଏମ୍ ସି ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପାଇଁ ସ୍ବଳ୍ପାହାର ଓ ପାନୀୟ ଜଳର ବ୍ଯବସ୍ଥା କରାଯାଇଥିଲା ।









