ଭୁବନେଶ୍ୱର: ଭୁବନେଶ୍ଵର ଉପକଣ୍ଠ ନିସ୍ତାରିଣୀପୁର ମୌଜା ଅନ୍ତର୍ଗତ ଇଟିପୁର ପଞ୍ଚାୟତର ଜୟପୁର ପାଟଣା ଗ୍ରାମରେ " ନିସ୍ତାରିଣୀପୁର ୱେଲ୍ଫେୟାର ସୋସାଇଟି " ଦ୍ୱାରା ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରା ଆଧାରରେ ଏକ ଗେଟ୍ ଟୁ ଗେଦର ଶ୍ରୀ ଶ୍ରୀପଶ୍ଚିମେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି l ଏଥିରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଡକ୍ଟର ଲେନିନ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସଭା ପ୍ରାରମ୍ଭରେ ସୋସାଇଟିର ସଭାପତି ପ୍ରଫୁଲ୍ଲ ବେହେରା ସ୍ଵାଗତ ଭାଷଣ ଦେଇଥିଲେ l ସୋସାଇଟିର ସଦସ୍ୟ ବିକ୍ରମ ମହାରଣା ସୋସାଇଟିର ଆଭିମୁଖ୍ୟ ସଂପର୍କରେ କହିଥିଲେ ଯେ, ସମଗ୍ର ନିସ୍ତାରିଣୀପୁର ମୌଜାର ସର୍ବବିଧ ଉନ୍ନତି ନିମନ୍ତେ ଉକ୍ତ ଅନୁଷ୍ଠାନ ସମର୍ପିତ ଓ ଏଥି ନିମନ୍ତେ ସମସ୍ତ ଅଞ୍ଚଳବାସୀଙ୍କୁ ସ୍ଵାଗତ l ଉତ୍ସବକୁ ନିମନ୍ତ୍ରିତ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ନିରୁପମା ସାହୁ ଏପରି ଆୟୋଜନ ଦ୍ଵାରା ତଥା ପାରସ୍ପରିକ ସହଯୋଗରେ ଅଞ୍ଚଳର ଉନ୍ନତି ନିମନ୍ତେ ଜନମତ ସୃଷ୍ଟି ହୋଇ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ।
ସ୍ମାର୍ଟ ସିଟି ଭୁବନେଶ୍ଵରର ଅନତି ଦୂରରେ ଅବସ୍ଥିତ ଉକ୍ତ ଅଞ୍ଚଳରେ ୫ ଟି ଆଧାରରେ କାର୍ଯ୍ୟ କରି ଅନୁମୋଦିତ ଯୋଜନାଗୁଡ଼ିକର ତ୍ଵରିତ୍ କାର୍ଯ୍ୟନ୍ୱୟନ ସମ୍ଭବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା l ଏଠାକାର ଲୋକଙ୍କ ଜୀବନରେଖା ରୂପେ ଅଭିହିତ ନଦୀବନ୍ଧ ରାସ୍ତା କାର୍ଯ୍ୟ ଅବିଳମ୍ବେ ଆରମ୍ଭ କରିବାକୁ ନିବେଦନ ସହ ଶ୍ରୀ ଶଶାଙ୍କ ଶେଖର ରାଉତ ମୁଖ୍ୟ ଅତିଥିଙ୍କୁ ସମ୍ବୋଧିତ ସ୍ମାରକ ପତ୍ର ପାଠ କରିଥିଲେ l ଗ୍ରାମ୍ୟ ପରିବେଶର ଶାନ୍ତ ସ୍ନିଗ୍ଧ ବାତାବରଣ ଓ ପାରସ୍ପରିକ ସହଯୋଗ ତଥା ଭାଇଚାରାରେ ଅଭିଭୂତ ମୁଖ୍ୟ ଅତିଥି ଡକ୍ଟର ମହାନ୍ତି ତାଙ୍କର ସଂକ୍ଷିପ୍ତ ତଥା ଅର୍ଥପୂର୍ଣ୍ଣ ବକ୍ତବ୍ୟରେ ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରାର ଭୂରି ଭୂରି ପ୍ରଶଂସା କରି ଏହା ହିଁ ମଜଭୁତ ଭାରତର ଆଧାର ବୋଲି ମତବ୍ୟକ୍ତ କରିଥିଲେ l ଅଞ୍ଚଳର ଉନ୍ନତି ନିମନ୍ତେ ସରକାରୀ ଯୋଜନା କାର୍ଯ୍ୟକାରିତାରେ ଥିବା ପ୍ରତିବନ୍ଧକ ଦୂର କରିବାକୁ ଉଚ୍ଚ ସ୍ତରରେ ଆଲୋଚନା ନିମନ୍ତେ ସେ ଅଞ୍ଚଳବାସୀଙ୍କୁ ଆଶ୍ୱାସନା ଦେଇଥିଲେ l ଏହି ଅବସରରେ ମୁଖ୍ୟ ଅତିଥି କୃତି ପ୍ରତିଭାମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ମୁଖ୍ୟ ଉପଦେଷ୍ଟା ଶ୍ରୀ ବିଭୂତି ଭୂଷଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
"ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରାର ପଟାନ୍ତର ନାହିଁ"
- Hits: 380








