ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରୁଷିଆ ଓ ୟୁରୋପର ସର୍ବଶ୍ରେଷ୍ଠ ଗିରିଶୃଙ୍ଗରେ ପହଞ୍ଚିଥିବା ଇଟାମାଟିର ପୁଅ ସୌଭାଗ୍ୟ କୁମାର ରଥଙ୍କୁ ଇଟାମାଟି ଠାରେ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କହିଥିଲେ ଯେ ନିଷ୍ଠାପର ଉଦ୍ୟମ ରହିଲେ ଅସମ୍ଭବ କାମକୁ ସମ୍ଭବ କରିହେବ । ସେଥି ପାଇଁ ନିଜର ନିଷ୍ଠାର ଆବଶ୍ୟକତା ରହିଛି । ଯୁବ ପିଢ଼ି ମାନେ ପୂର୍ବ ପୁରୁଷଙ୍କୁ ଅନୁସରଣ କରନ୍ତୁ । ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସମୟାନୁବର୍ତିତା, ନିଷ୍ଠା,କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ଏ କାର୍ଯ୍ୟ ଯିଏ କରିଛି ସିଏ ସଫଳତାର ଶୀର୍ଷରେ ପହଞ୍ଚିଛି । ଦୃଢ଼ ଇଚ୍ଛାଶକ୍ତି ଜଣେ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ। ମୁଖ୍ୟ ଅତିଥି ଡ. ସାହୁ ପୁନଶ୍ଚ ତାଙ୍କ ବକ୍ତବ୍ୟରେ କହିଥିଲେ ନୟାଗଡ଼ ଜିଲ୍ଲା ମଧ୍ୟରେ ଇଟାମାଟି ପଞ୍ଚାୟତର ଇଟାମାଟି ଗ୍ରାମର ରହିଛି ଏକ ସ୍ବତନ୍ତ୍ର ପରିଚୟ । ଏହି ଗ୍ରାମର ମାଟି ସମଗ୍ର ରାଜ୍ୟକୁ ଏକ ସ୍ବତନ୍ତ୍ର ବାର୍ତା ଦେଇଛି । ଏହି ମାଟିରେ ଜନ୍ମ ନେଇଛନ୍ତି ଉତ୍କଳଘଣ୍ଟ କବି ଯଦୁମଣି ଦାସ ମହାପାତ୍ର । ଇଟାମାଟି ଅନେକ ପ୍ରତିଭା ସୃଷ୍ଟି କରି ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆଜି ଇଟାମାଟି ଗ୍ରାମ ପଞ୍ଚାୟତର ବିଜୁ-ମହତାବ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥୁଲା । ଏହି କାର୍ଯ୍ୟକ୍ରମରେ ସୌଭାଗ୍ୟ କୁମାର ରଥଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଆଶିଷ କୁମାର ଅଗ୍ରୱାଲ, ସ୍ଥାନୀୟ ସରପଞ୍ଚ ସ୍ବପ୍ଲେଶ୍ବରୀ ସେଠୀ, ସମିତି ସଭ୍ୟା ଗୋଲାପରାଣୀ ସେଠୀ, ଇଟାମାଟି ଶିକ୍ଷା ଓ ବୈଶୟିକ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଓ ବର୍ତ୍ତମାନର ଅଧ୍ୟକ୍ଷ ଅଭିମନ୍ୟୁ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । କୋଡିଏ ରୁ ଉର୍ଦ୍ଧ୍ବ ସଙ୍ଗଠନ ସୌଭାଗ୍ୟଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଟାମାଟି ଗ୍ରାମ ପଞ୍ଚାୟତର ବହୁ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ ।
ରାଜ୍ୟ
ନିଷ୍ଠାପର ଉଦ୍ୟମ ରହିଲେ ଅସମ୍ଭବକୁ ସମ୍ଭବ କରିହେବ: ଅରୁଣ
- Hits: 662








