ଚଳିତ ବର୍ଷ ଶେଷସୁଦ୍ଧା ୫ କୋଟି ଚାରା ରୋପଣ ଲକ୍ଷ୍ୟ ହାସଲ ହେବ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ଶୁକ୍ରବାର ଗ୍ରେଟର ନଏଡାସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ (ସିଆର୍ପିଏଫ)ର ଗ୍ରୁପ୍ ସେଣ୍ଟର ପରିଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ଶାହ ସେଠାରେ ‘ସର୍ବଭାରତୀୟ ବୃକ୍ଷ ଚାରା ରୋପଣ ଅଭିଯାନ’ ଅଧୀନରେ ୪କୋଟିତମ ଚାରା ରୋପଣ କରିଥିଲେ । ଏହି ଅବସରରେ ସେ ମଧ୍ୟ ସିଆର୍ପିଏଫ୍ର ଆଠଟି ଭିନ୍ନ ଭିନ୍ନ କ୍ୟାମ୍ପସ୍ କୋଠାକୁ ଆଭାସୀରେ ଉଦ୍ଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ଶାହା ଦୃଢ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ, “ଆଜି ୪୦ ନିୟୁତ ଚାରା ରୋପଣ ଲକ୍ଷ୍ୟ ସହିତ ଆମେ ୫୦ ନିୟୁତ ଚାରା ରୋପଣ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛୁ । ସିଆର୍ପିଏଫ ଜବାନମାନଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି ।”
ଶ୍ରୀ ଶାହ ଚାରାରୋପଣ କାର୍ଯ୍ୟକ୍ରମ ଅବସରରେ ଏକ ଅଶ୍ୱତ୍ଥ ଚାରା ରୋପଣ କରିଥିଲେ | ସେ କହିଥିଲେ ଯେ, ଅଶ୍ୱତ୍ଥ ବୃକ୍ଷ ସର୍ବାଧିକ ଅମ୍ଳଜାନ ଯୋଗାଇଥାଏ । ୨୦୨୦ ଜୁଲାଇରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପରିବେଶ ସୁରକ୍ଷା ନିମନ୍ତେ ‘ସର୍ବଭାରତୀୟ ବୃକ୍ଷ ଚାରା ରୋପଣ ଅଭିଯାନ’ ଆରମ୍ଭ କରିଥିଲା ।
ଶ୍ରୀ ଶାହଙ୍କ ତତ୍ତ୍ୱାବଧାନରେ ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି ମଧ୍ୟରେ ୩.୫୫ କୋଟିରୁ ଅଧିକ ଚାରା ରୋପଣ କରାଯାଇଥିଲା । ୪କୋଟି ବୃକ୍ଷ ଚାରା ରୋପଣ ସହିତ ଚଳିତ ବର୍ଷ ୧ କୋଟି ଚାରା ରୋପଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଶ୍ରୀ ଶାହ ଏହା ସ୍ପଷ୍ଟ କରିଦେଇ କହିଥିଲେ ଯେ, ଦେଶର ସୁରକ୍ଷା ସହିତ ସିଆର୍ପିଏଫ୍ ଜବାନମାନେ ମଧ୍ୟ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ଚାରା ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ଶ୍ରୀ ଶାହଙ୍କ ମାର୍ଗଦର୍ଶନରେ ପରିବେଶ ସୁରକ୍ଷା ପ୍ରସଙ୍ଗ କେବଳ ଦେଶ ଭିତରେ ନୁହେଁ, ବରଂ ବିଶ୍ୱସ୍ତରରେ ଉତ୍ଥାପନ କରାଯାଇଛି । ବିଗତ ୯ ବର୍ଷ ମଧ୍ୟରେ ବିଶ୍ୱ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଅନେକ ପ୍ରୟାସ ହାତକୁ ନିଆଯାଇଛି । ମୋଦୀ ଜୀଙ୍କର ଏହି ସମସ୍ତ ପ୍ରୟାସ କାରଣରୁ ଜାତିସଂଘ ତାଙ୍କୁ ‘ଚମ୍ପିଆନ୍ ଅଫ୍ ଦି ଆର୍ଥ’ ଉପାଧ ପ୍ରଦାନ କରିଛି ।








