-
କାମ କରିବା ପାଇଁ "ଟାଇମ ବାଉଣ୍ଡ", ବିଲ ଦେଲା ବେଳକୁ "ଟାଇମ ବାଉଣ୍ଡ" ଯାଉଛି ଚୁଲୀକୁ
-
5T ଅଧିନସ୍ଥ ମୋ ସ୍କୁଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ଦୁଇବର୍ଷ ପରେ ବି ପାସ୍ ହେଉନି ବିଲ୍
-
ମଜୁରୀ ନମିଳିବାରୁ ଅସନ୍ତୋଷ ଶ୍ରମିକଙ୍କୁ ନେଇ ଚିନ୍ତାରେ ଠିକାଦାର
ଢ଼େଙ୍କାନାଳ / ରବିନ୍ ଦାସ ; ରାଜ୍ୟର ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟ ଗୁଡିକୁ 5T ଅଧିନରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କିଛି ସ୍କୁଲକୁ ଆସିଥିଲା କାମ । ଏହି ପର୍ଯ୍ୟାୟରେ ଭୁବନ ହାଇସ୍କୁଲର ଉନ୍ନତି କରଣ କାର୍ଯ୍ଯ ମଧ୍ୟ ହୋଇଛି । କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୨ ବର୍ଷ ପରେ ବି ବକେୟା ଟଙ୍କା ନ ମିଳିବାରୁ ଆଜି ଭୁବନ ହାଇସ୍କୁଲର ଆଲୁମିନି କମିଟି, ରାଜମିସ୍ତ୍ରୀ , ରଙ୍ଗମିସ୍ତ୍ରୀ ଓ ପାଇପ୍ ମିସ୍ତ୍ରୀ ମଧ୍ୟ ଆଜି ହାଇସ୍କୁଲ ଫାଟକ ସାମ୍ନାରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟାଦେଶ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁଙ୍କ ନାମରେ ରହିଛି । ଏଥିରେ ମିଳିଥିବା ଅନୁଦାନକୁ ସୁବିନିଯୋଗ କରିବା ପାଇଁ ଭୁବନ ହାଇସ୍କୁଲର ଆଲୁମିନି କମିଟିକୁ ତା-୨୫.୦୬.୨୦୨୧ ରିଖ ଏକ ଅଧିବେଶନରେ ଜଣାଯାଇଥିଲା । ଅଧିବେଶନ ସଂଖ୍ୟା - ୭ ଅନୁସାରେ ଏହି କାର୍ଯ୍ଯ କରିବା ପାଇଁ ଆଲୁମିନି ସଭାପତି ଶ୍ରୀଯୁକ୍ତ ପ୍ରଭାସ ସେନାପତିଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା । ଭୁବନ ହାଇସ୍କୁଲର ଅଧିକାଂଶ ଶ୍ରେଣୀ ଗୃହ ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ତତ୍କାଳୀନ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହୁରା ଙ୍କ ସହ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ଭୁବନ ତହସିଲଦାର ଏବଂ ଭୁବନର ସମସ୍ତ ସରକାରୀ ଅଧିକାରୀ ମାନେ ସ୍କୁଲକୁ ଅନୁଧ୍ୟାନ କରିଥିଲେ । ପରେ ୨୧୦୦ ବର୍ଗଫୁଟ ର ନୂତନ ବିଜ୍ଞାନ ପାଠାଗାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରାଯିବା ପାଇଁ ସ୍କୁଲର ଆଲୁମିନି କମିଟିକୁ ନିର୍ଭର ପ୍ରତିଶୃତି ଦେଇଥିଲେ । ଫଳରେ ଆଲୁମିନି କମିଟି ମାଧ୍ୟମରେ ଏଜେନ୍ସୀ ମାନଙ୍କୁ କାର୍ଯ୍ଯ ଦିଆଯାଇ ଯୁଦ୍ଧକାଳୀନ ଭିତ୍ତିରେ ସ୍କୁଲର ରୁପାନ୍ତରିତ କାର୍ଯ୍ଯ ସମ୍ପୂର୍ଣ୍ଣ କରାଯାଇଛି । ସଠିକ୍ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟନ ମଧ୍ୟ ହୋଇଛି । ହେଲେ ଦୀର୍ଘ ୨ ବର୍ଷ ପରେ ବି ଅଦ୍ୟାବଧି ପାଖାପାଖି ୨୮ ଲକ୍ଷ ବକେୟା ଟଙ୍କା ଆଜି ପର୍ଯ୍ୟନ୍ତ କାର୍ଯ୍ଯ କରିଥିବା ଏଜେନ୍ସୀ ମାନଙ୍କୁ ପ୍ରଦାନ କରାଯାଇ ନାହିଁ । ଭୁବନ ହାଇସ୍କୁଲର ୫ ଗୋଟି ଶ୍ରେଣୀ ଗୃହକୁ ରୁପାନ୍ତରିତ କରାଯିବା ପାଇଁ ମୋ ସ୍କୁଲ ତରଫରୁ ୪୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା । ତେବେ ଭୁବନ ହାଇସ୍କୁଲ ସହିତ ବ୍ଲକ ଉପ୍ରା ସ୍କୁଲକୁ ମିଶ୍ରଣ କରାଯିବା ପରେ ୨ ଟି ସ୍କୁଲକୁ ଗୋଟିଏ ସ୍କୁଲରେ ପରିଣତ କରାଗଲା । ଯାହା ଫଳରେ ଏହାର କ୍ଷେତ୍ରଫଳ ବଢିଯିବା ହେତୁ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରି ସ୍କୁଲର ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ଏଥି ସହିତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ନିକଟକୁ ଲେଟର ନଂ - ୬୯୪, ତା - ୧୪.୦୩.୨୨ ରିଖ ରେ ଚିଠି କରିଥିବା ବେଳେ ୩ ମାସ ପୂର୍ବେ ୨୬ ଲକ୍ଷ ୩୫ ହଜାର ୮୫୪ ଟଙ୍କାର ବକେୟା ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ହୋଇଥିଲା । ଭୁବନରୁ ଭୁବନେଶ୍ବର ପର୍ଯ୍ୟନ୍ତ ଏ ଅଫିସ ରୁ ସେ ଅଫିସ ଏମିତି କଲେକ୍ଟର ଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପାଖକୁ ବାରମ୍ବାର ଯାଇ ଅନୁରୋଧ କରିବା ପରେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିଲା ନାହିଁ। ତେଣୁ ବାଧ୍ଯ ହୋଇ ଭୁବନ ହାଇସ୍କୁଲର ଆଲୁମିନି ସଦସ୍ଯଙ୍କ ସହିତ ଏଜେନ୍ସୀ ମାନେ ସ୍କୁଲର ମୂଖ୍ଯ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ।ଏବଂ ବକେୟା ଟଙ୍କା ଯଥାଶୀଘ୍ର ପ୍ରଦାନ କରା ନଗଲେ ଖୁବଶୀଘ୍ର ଭୁବନ ହାଇସ୍କୁଲରେ ତାଲା ପକାଇବା ସହିତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ୟ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା 5T ର ସଫଳତା କୁ ନେଇ ଡିଣ୍ଡିମ ପିଟୁଥିବା ନବୀନ୍ ସରକାର ଧାରଣାରେ ବସିଥିବା ଠିକାଦାର ଓ ଶ୍ରମିକ ମାନଙ୍କୁ ତାଙ୍କ ବକେୟା ଟଙ୍କା ଦାବି ଅନୁଯାୟୀ ପ୍ରଦାନ କରୁଛନ୍ତି । ନା ଆଗାମୀ ଦିନରେ ଭୁବନ ଉଚ୍ଚ ବିଦ୍ୟାଳୟ ଏବଂ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ତାଲା ଝୁଲୁଛି ।








