ହେଡଲାଇନସ୍:

ନିଷ୍ଠାର ସହ ମାନବ କଲ୍ୟାଣରେ ଜ୍ଞାନର ଉପଯୋଗ କରିବା ଉଚିତ: ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ

ଭୁବନେଶ୍ୱର, ୧୯ ।୮: କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ସମାବର୍ତ୍ତନରେ ମୋଟ ୬୬୩୮ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍‍ଡି ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ କହିଲେ, ନିଷ୍ଠାର ସହ ମାନବ କଲ୍ୟାଣରେ ଜ୍ଞାନର ଉପଯୋଗ କରିବା ଉଚିତ । ସେ କହିଲେ, ଈଶ୍ୱର ଆମକୁ ଅନେକଗୁଡ଼ିଏ ଭଲ ଗୁଣ ଦେଇ ଧରାପୃଷ୍ଠକୁ ପଠାଇଛନ୍ତି । ଆମେମାନେ ମାନବକଲ୍ୟାଣରେ ଏହି ସବୁ ଉତ୍ତମ ଗୁଣର ସୁବିନିଯୋଗ କରିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଫୁଲର ଉଦାହରଣ ଦେଇ କହିଲେ, ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ଓ କଷ୍ଟ ସତ୍ତ୍ୱେ ଫୁଲ ଯେପରି ହସିହସି ତାର ସୁଗନ୍ଧ ଆମକୁ ପ୍ରଦାନ କରିଚାଲିଛି, ସେହିପରି ଆମେ ଫୁଲର ଏହି ଗୁଣକୁ ଆହରଣ କରିବା ଉଚିତ ।

କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ କୁମାର ପରିଜା କହିଲେ, ଉନ୍ନତ ଭବିଷ୍ୟତ ପାଇଁ ଶିକ୍ଷା ଏକ ପାସ୍‍ପୋର୍ଟ ସଦୃଶ । ସ୍ନାତକ ଅର୍ଥ କେବଳ ଡିଗ୍ରୀ ହାସଲ କରିବା ନୁହେଁ, ଏହା ହେଉଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖା ଦେଇଥିବା ଗୁଣାତ୍ମକ ପରିବର୍ତ୍ତନ । ଆଗକୁ ତୁମେମାନେ ତୁମର ସ୍ୱପ୍ନ ସାକାର କରିବାକୁ ଯାଉଛ । ତେବେ ସର୍ବଦା ଦୟା ଓ କରୁଣା ଭାବ ପ୍ରଦର୍ଶନ କରିବା ସହ ସାମାଜିକ ଦାୟିତ୍ୱବାନ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ, ଏହି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ସ୍ନାତକମାନଙ୍କର ଏକ ଅନନ୍ୟ ସମାଜିକ ଦାୟିତ୍ୱ ରହିଛି । ଛାତ୍ରଛାତ୍ରୀଙ୍କ ଯୋଗଦାନ ଏଭଳି ଆବଶ୍ୟକ ଯାହା କି ନିଜନିଜ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିପାରିବେ ବୋଲି ସେ କହିଥିଲେ ।

ଏହି ଅବସରରେ ଭାରତ ସରକାରଙ୍କ ପରମାଣୁ ଶକ୍ତି ଆୟୋଗ ଅଧ୍ୟକ୍ଷ ତଥା ପରମାଣୁ ଶକ୍ତି ବିଭାଗ ସଚିବ ଡ. ଅଜିତ କୁମାର ମହାନ୍ତି, ସ୍ୱସ୍ତି ଗ୍ରୁପ୍‍ ହୋଟେଲ୍‍ସ ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି ଓ ଟେକ୍‍ ମହିନ୍ଦ୍ରା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଚନ୍ଦର ପ୍ରକାଶ ଗୁର୍‍ନାନିଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରାଯାଇଥିଲା । ସମ୍ମାନସୂଚକ ଡିଗ୍ରୀ ଗ୍ରହଣ କରି ଡ. ମହାନ୍ତି, ଶ୍ରୀ ଗୁର୍‍ନାନି ଓ ଶ୍ରୀ ମହାନ୍ତି କିଟ୍‍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ ।

କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରି କିଟ୍‍ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ହାସଲ କରିଥିବା ବିଭିନ୍ନ ଉଲ୍ଲେଖନୀୟ ସଫଳତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ସାମଗ୍ରିକ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଛାତ୍ରୀ ଭାବେ ବିଦିତା ସାମନ୍ତଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ଅନନ୍ୟା ତ୍ରିପାଠୀଙ୍କୁ ଶ୍ରେଷ୍ଠ ପିଏଚ୍‍ଡି ଛାତ୍ରୀ, ଶ୍ରେଷ୍ଠ ସ୍ନାତକୋତ୍ତର ଛାତ୍ରୀ ସ୍ୱାତୀ ସୁଦେଷ୍ଣା ପଣ୍ଡା ଓ ଶ୍ରେଷ୍ଠ ସ୍ନାତକ ଭାବେ ନିର୍ମଳ କୁମାର ପଣ୍ଡିତଙ୍କୁ ମଧ୍ୟ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ସେହିପରି ବିଭିନ୍ନ ପାଠ୍ୟକ୍ରମରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ, ନନିବାଳା ସ୍ମୃତି ସ୍ୱର୍ଣ୍ଣ ପଦକ, ଶ୍ରୀକୃଷ୍ଣଚନ୍ଦ୍ର ପଣ୍ଡା ସ୍ମୃତି ସ୍ୱର୍ଣ୍ଣ ପଦକ, ଡ. ୱାତିପରମଗୁରୁ ସ୍ମୃତି ସ୍ୱର୍ଣ୍ଣପଦକ, ପି କେ ବଳ ସ୍ମୃତି ସ୍ୱର୍ଣ୍ଣପଦକ, ପିପିଏଲ୍‍ ସ୍ୱର୍ଣ୍ଣ ପଦକ ଏବଂ କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ଶରଣଜିତ ସିଂହ, କିମ୍‍ସ ଉପକୁଳପତି ପ୍ରଫେସର ସିବିକେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault