ଭୁବନେଶ୍ୱର :: ରାଜ୍ୟର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଦାବି ଏବଂ ବିଭିନ୍ନ ସ୍ତରରେ ମିଳିଥିବା ଅଭିଯୋଗକୁ ବିଚାରକୁ ନେଇ ସରକାର ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଆନ୍ତଃଜିଲ୍ଲା ବଦଳି ନିୟମାବଳୀରେ କେତେକ ପରିବର୍ତ୍ତନ ଆଣିଛନ୍ତି । ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରର ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଚାକିରି ଜିଲ୍ଲା ସ୍ତରୀୟ ହୋଇଥିବାରୁ, ପୂର୍ବରୁ ସେମାନଙ୍କର ଆନ୍ତଃଜିଲ୍ଲାବଦଳି ପାଇଁ କୌଣସି ନିୟମ ପ୍ରଣୟନ ନ ଥିଲା । ପ୍ରଥମେ, ୨୦୧୫ ମସିହାରେ,ଏହି ସରକାର ଉକ୍ତ ଶିକ୍ଷକ ମାନଙ୍କ ପାଇଁ ସହମତି ଭିତ୍ତିରେ ଆନ୍ତଃଜିଲ୍ଲା ବଦଳିପାଇଁ ଯୋଜନା କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୮ ମସିହାରେ କେତେକ Terminal ରୋଗରେ ପୀଡିତ ଥିବା ଶିକ୍ଷକ ମାନଙ୍କ ପାଇଁ ଆନ୍ତଃଜିଲ୍ଲା ବଦଳି ବ୍ୟବସ୍ତା କରିଥିଲେ । ତଦନୁଯାୟୀ ୨୦୧୮ ମସିହା ଠାରୁ ଅଦ୍ୟାବଧି ସମସ୍ତ ଶିକ୍ଷକଙ୍କ ବଦଳି କାର୍ଯ୍ୟ online ମାଧ୍ୟମରେ କରାଯାଉଅଛି। ଇତି ମଧ୍ୟରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ତରର ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର କେତେକ ବ୍ୟକ୍ତିଗତ ଅସୁବିଧାକୁ ବିଚାର କରି, ସରକାର ସେମାନଙ୍କର ଆନ୍ତଃଜିଲ୍ଲା ବଦଳି ନିୟମାବଳୀରେ ନିମ୍ନଲିଖିତ ପରିବର୍ତ୍ତନ ଆଣିଛନ୍ତି,ଯାହାଦ୍ୱାରା ଆନ୍ତଃଜିଲ୍ଲା ବଦଳି ଚାହୁଁଥିବା ଅନେକ ଶିକ୍ଷକ ଉପକୃତ ହେବେ ।
୧। ନିୟମିତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକ/ ଶିକ୍ଷୟତ୍ରୀ ମାନେ ତାଙ୍କର ସମାନ Grade/Level (VA,VB etc.) ଏବଂ ସମାନ ସାମାଜିକ ବର୍ଗ (Social Category)ରେ ସହମତି ଭିତ୍ତିରେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ। ଶିକ୍ଷାଗତ ଯୋଗ୍ୟତା ଏହି କ୍ଷେତ୍ରରେ ନିର୍ଦ୍ଦାରକ ହେବନାହିଁ।
୨। ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କର ପତି/ପତ୍ନୀ ବା ନିଜର ସନ୍ତାନ କୌଣସି Terminal ରୋଗରେ ପୀଡିତ ଥିଲେ, ସେମାନେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କ StateMedicalBoardର ପ୍ରମାଣପତ୍ର ଆବଶ୍ୟକ ଅଟେ ଏବଂ ଉକ୍ତ ଶିକ୍ଷକଙ୍କ ପାଇଁ ଉପଯୁକ୍ତ ସ୍ତରରେ ପଦବୀ ଖାଲି ଥିବା ଜରୁରୀ ଅଟେ।
୩। ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର କୌଣସି ସନ୍ତାନ ଯଦି ୯୦ ପ୍ରତିଶତ ବା ତଦୁର୍ଦ୍ଧ ଶାରୀରିକ ଭିନ୍ନକ୍ଷମ ହୋଇଥିବେ ଏବଂ ସେହି ସନ୍ତାନ ବିଦ୍ୟାଳୟ ଯାଇ ଶିକ୍ଷା ଗ୍ରହଣ କରିବାକୁ ସକ୍ଷମ ହେଉନଥିବେ ତଥା DistrictMedicalBoard ର ପ୍ରମାଣପତ୍ର ଅନୁଯାୟୀ ଘରୋଇ ତତ୍ବାବଧାନ ଆବଶ୍ୟକ କରୁଥିବେ, ସେହି ଶିକ୍ଷକ/ଶିକ୍ଷୟତ୍ରୀ ମାନେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ଉକ୍ତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଇଁ ସମାନ ସାମାଜିକ ବର୍ଗ (Social Category)ତଥା ସମାନ Grade/Level ସ୍ତରରେ ପଦବୀ ଖାଲି ଥିବା ଜରୁରୀ ଅଟେ ।
୪। ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ପତି/ପତ୍ନୀ ଯଦି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଭାବେ ଶିକ୍ଷକତା କରୁଥିବେ ସେହି କ୍ଷେତ୍ରରେ ପତି/ପତ୍ନୀ ସେମାନଙ୍କର କାର୍ଯ୍ୟ କରୁଥିବା କୌଣସି ଏକ ଜିଲ୍ଲାକୁ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଉକ୍ତ ଶିକ୍ଷକଙ୍କ ପାଇଁ ଚାହୁଁଥିବା ଜିଲ୍ଲାରେ ସମାନସାମାଜିକ ବର୍ଗ (Social Category) ତଥା ସମାନ Grade/Level ସ୍ତରରେ ପଦବୀ ଖାଲି ଥିବା ଜରୁରୀ ଅଟେ ।
୫। ଉପରୋକ୍ତ ପରିବର୍ତ୍ତନ ଗୁଡିକୁ Online Transfer Portal ରେ ୩୦ ଦିନ ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଓଡିଶାଙ୍କୁ ଅନୁରୋଧ କରାଯାଇଅଛି। ତାହା ପରେ Online Transfer Portal ର ବିଜ୍ଞପ୍ତି ଅନୁଯାୟୀ ଶିକ୍ଷକ/ଶିକ୍ଷୟତ୍ରୀମାନେ ବଦଳି ପାଇଁ ଆବେଦନକରିପାରିବେ ।
****









