ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ସ୍ଥାନୀୟ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ଏହି ସ୍ଵାଧୀନତା ଦିବସ ପାଳନ ସମାରୋହ ରେ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ମାନ୍ୟବର ମନ୍ତ୍ରୀ ଯୋଜନା ଓ ସଂଯୋଜନ ବିଭାଗ, ଓଡ଼ିଶା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିତିତ ପ୍ୟାରେଡ୍ ରେ ଅଭିଭାଦନ ଗ୍ରହଣ କରିଥିଲେ ଏବଂ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ।
ମାନ୍ୟବର ମନ୍ତ୍ରୀ ଶ୍ରୀ ଢୋଲକିଆ ନିଜ ଅଭିଭାଷଣ ମାଧ୍ୟମରେ ପବିତ୍ର ସ୍ଵାଧୀନତା ଦିବସ ଉପଲକ୍ଷେ ଜିଲ୍ଲାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଦେଶର ସ୍ଵାଧୀନତା ସଂଗ୍ରାମ ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଯାଇଥିବା ସେହି ବୀର ମାଟି ର ସନ୍ତାନ ମାନଙ୍କ ସ୍ମୃତି ଚାରଣ କରିବା ସହିତ ସେମାନଙ୍କ ପ୍ରତି
ଭକ୍ତିଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେହି ମହାନ୍ ବରପୁତ୍ର ମାନଙ୍କ ଅସୀମ ତ୍ୟାଗ, ଅଦମ୍ୟ ସାହସ ଓ ଦୃଢ ଶପଥ ର କଥା ସ୍ମରଣ କରି ଦେଶ ର ସାମଗ୍ରିକ ବିକାଶ ସାଙ୍ଗକୁ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ଜାତୀୟ ସଂହତି ପ୍ରତି କାର୍ଯ୍ୟ କରିବାକୁ ସମାଜ କୁ ଆହ୍ବାନ ଦେଇଥିଲେ।
ସେହିପରି ମାନ୍ୟବର ମନ୍ତ୍ରୀ ଶ୍ରୀ ଢୋଲକିଆ ନିଜ ଅଭିଭାଷଣ ରେ ଆମ ରାଜ୍ୟ ଓଡ଼ିଶା ର ବିକାଶ ଧାରା ଉପରେ ଆଲୋକପାତ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ୫- ଟି ଶାସନ ପଦ୍ଧତିରେ ଓଡ଼ିଶା ସରକାର ଏକ ନୂତନ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଵଦ୍ଧ। ରାଜ୍ୟର ବିଭିନ୍ନ ଅଞ୍ଚଳ ରେ ବିକାଶମୂଳକ କାର୍ଯ୍ୟକ୍ରମ ର ଆବଶ୍ୟକତା କୁ ଉପଲବ୍ଧି କରି ସରକାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ତଥା ଯୋଜନା ଗୁଡିକ ଆରମ୍ଭ କରିଛନ୍ତି ଯେଉଁଥିରେ କି ପ୍ରକଳ୍ପ ଗୁଡ଼ିକର ସଫଳ ରୂପାୟନ ପାଇଁ ବିହିତ ପଦକ୍ଷେପ ମାନ ମଧ୍ୟ ଗ୍ରହଣ
କରାଯାଉଅଛି। ଅନୁରୂପ ଭାବେ ସରକାରଙ୍କ ଦ୍ଵାରା ସୁନ୍ଦରଗଡ଼ ଜିଲ୍ଳା ରେ ମଧ୍ୟ ବିକାଶ ର ଧାରା ଜାରି ରହିଛି। ଏଠାରେ କ୍ରୀଡ଼ା ଭିତ୍ତିଭୂମି ବିଶେଷ କରି ହକି ଖେଳ ପାଇଁ ତୃଣମୂଳ ସ୍ତରରେ ଭିତ୍ତିଭୂମି ଓ ପ୍ରଶିକ୍ଷଣ ର ବ୍ୟବସ୍ଥା କରିବା ସହିତ ରେକର୍ଡ ସମୟ ମଧ୍ୟରେ ରାଉରକେଲା ଠାରେ ଆନ୍ତର୍ଜତୀୟ ହକି ଷ୍ଟାଡିୟମ ନିର୍ମାଣ ଓ ବିଶ୍ଵକପ ହକି ପ୍ରତିଯୋଗୀତା ଆୟୋଜନ କରାଯାଇଅଛି । ସରକାର ସୁନ୍ଦରଗଡ଼ ହକି ପ୍ରେମୀ ଯୁବ ସମାଜକୁ ହକି ଖେଳରେ ଅଧିକରୁ ଅଧିକ ପାରଦର୍ଶିତା ଲାଭ କରିବାକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି।
ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଜିଲ୍ଲା ସ୍ତରୀୟ ପ୍ୟାରେଡ୍ କାର୍ଯ୍ୟକ୍ରମ ରେ ରିଜର୍ଭ ପୋଲିସ ର ଏ.ପି. ଆର ଫୋର୍ସ ଏବଂ ହୋମ ଗାର୍ଡ ଦଳ କୁ ମିଶେଇ ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ରୁ ମୋଟ ୩୧ ଟି ପ୍ୟାରେଡ୍ ଦଳ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ପରେ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆସ୍ଥା ଗୃହ ଏବଂ ଜିଲ୍ଲା କାରାଗାର ପରିଦର୍ଶନ କରିଥିଲେ ଏବଂ ରୋଗୀ ଓ ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ତଥା ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ।
ପରେ ପରେ ସ୍ଥାନୀୟ ଭବାନୀ ଭବନ ପଡ଼ିଆ ଠାରେ ଜିଲ୍ଲା ପ୍ରଶାସନ,ଜିଲ୍ଲା ମିଡ଼ିଆ ଓ ଜିଲ୍ଲା ବାର ଆସୋସିଏସନ୍ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପ୍ରଶାସନ ଚାମ୍ପିଅନ ହୋଇଥିବା ବେଳେ ଜିଲ୍ଲା ବାର ଆସୋସିଏସନ୍ ରନର୍ସ ଅଫ ହୋଇଥିଲେ। ସନ୍ଧ୍ୟାରେ ସ୍ଥାନୀୟ ସଂସ୍କୃତି ଭବନ ପରିସର ରେ ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରାତଃ ସୁନ୍ଦରଗଡ଼ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯାଇଥିଲା ତଥା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତଫେରି କରାଯାଇଥିଲା।
ସେହିପରି ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପ୍ରଶାସନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଆଇ. ଏ. ଏସ. ଶିକ୍ଷାନବିଶ ଶ୍ରୀ ପ୍ରହଲ୍ଲାଦ ଶର୍ମା, ସଦର ତହସିଲଦାର ଶ୍ରୀ କୁଳମଣି
ରଣବିଡ଼ା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ସୁନ୍ଦରଗଡ଼ ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ
- Hits: 206