"ସ୍ବାଧୀନତା କୁ ବଜାୟ ରଖିବା ଯୁବ ପିଢି ଙ୍କ ପରମ କର୍ତ୍ତବ୍ୟ ଓ ଦାୟିତ୍ୱ" : ଜିଲ୍ଲାପାଳ
ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଉଦିତନଗର ପଡ଼ିଆଠାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ସୁନ୍ଦର ଗଡ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଵା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।
ଏହି ଅବସରରେ ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ଜିଲ୍ଲାପାଳ କହିଥିଲେ ଯେ, ସ୍ବାଧୀନତା କୁ ବଜାୟ ରଖିବା ଆମ ସମସ୍ତଙ୍କର ତଥା ଯୁବ ପିଢି ଙ୍କ ପରମ କର୍ତ୍ତବ୍ୟ ଓ ଦାୟିତ୍ୱ। ରାଉରକେଲାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏ ଠାରୁ ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ସହିତ ରାଉରକେଲା ପାଇଁ ଗୌରବ ଆଣିଛନ୍ତି।
ସେ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ରାଉରକେଲାର ଠାରେ ବିଶ୍ବର ବ୍ରୁହତ୍ତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କରାଯାଇ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଭୁବନେଶ୍ୱର ସହିତ ରାଉରକେଲାରେ ସଫଳତା ର ସହିତ ସଂପନ୍ନ ହୋଇଯାଇଛି। ଯାହା ରାଉରକେଲା କୁ ବିଶ୍ବ ଦରବାର ରେ ପ୍ରତିଷ୍ଠିତ କରିଛି। ଏହା ରାଉରକେଲା ପାଇଁ ଗର୍ବ ଓ ଗୌରବର କଥା। ବିଶ୍ବକପ ହକି ସଫଳତା ସହ ଆୟୋଜନ ରେ ରାଉରକେଲା ବାସୀ ଙ୍କ ସହଯୋଗ ପ୍ରଶଂସନୀୟ।
ଏହି ଅବସରରେ ରିଜର୍ଭ ପୋଲିସର ଲକ୍ଷ୍ମୀଧର ବେହେରା ଙ୍କ ନେତୃତ୍ୱରେ ପ୍ୟାରେଡ ହୋଇଥିଲା। ପ୍ୟାରେଡ ରେ ୪୪ ଦଳ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ଯ କରା ଯାଇଥିଲା।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲାର କ୍ରୀଡ଼ା ପ୍ରତିଭା, କଳାକାର ଓ ପୋଲିସ ବିଭାଗର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝି, ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ଯା ରେ ଜନ ସାଧାରଣ ଉପସ୍ଥିତ ଥିଲେ
।
ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଓ ସାମ୍ବାଦିକ ମହେନ୍ଦ୍ର ମିଶ୍ର ପରିଚାଳନା କରିଥିଲେ।








