ହେଡଲାଇନସ୍:

ପଦ୍ମପୁରରେ ଅଭୂତପୂର୍ବ ଦେଶପ୍ରେମର ଝଲକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:-ପଦ୍ମପୁର ରାଜବୋଡ଼ାସମ୍ବର ହାଇସ୍କୁଲ ପଡ଼ିଆଠାରେ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ - ୨୦୨୩ ଏକ ଅଭୂତପୂର୍ବ ଦେଶପ୍ରେମର ପରିବେଶ ଭିତରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଓ ସମବେତ ଜନତାଙ୍କୁ ଉଦ୍ ବୋଧନ ଦେଇଛନ୍ତି l ୭୭ତମ ସ୍ୱାଧୀନତା ଦିବସ ପଦ୍ମପୁରରେ ମହାଆଡ଼ମ୍ବରରେ ଏକ ଅଭୂତପୂର୍ବ ଦେଶପ୍ରେମର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଏହି ୭୭ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଉଦବୋଧନରେ ଶ୍ରୀ କୁମ୍ଭାର ଏହି ପଦ୍ମପୁର ଅଞ୍ଚଳର ଅତୀତର ସ୍ୱର୍ଣ୍ଣିମ ଅଧ୍ୟାୟଗୁଡ଼ିକୁ ମନେପକାଇ ‌ସମସ୍ତ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ସ୍ୱାଧୀନତା ଦିବସ ଉତ୍ସବର ସଭା ପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉପ-ଜିଲ୍ଲାପାଳ ପୁଷ୍ପମାଲ୍ୟ ଦେଇଥିଲେ । ସଭାରେ ମଧ୍ୟ ଶ୍ରୀ କୁମ୍ଭାର ପଦ୍ମପୁର ଅଞ୍ଚଳରୁ ଦେଶର ସ୍ୱାଧୀନତା ସଂଗ୍ରାମରେ ବିଶେଷ ଯୋଗଦାନ ଦେଇଥିବା ଘେଁସର ମୋଧୋ ସିଂଙ୍କ ପରିବାର, ଗୌରାଙ୍ଗ ମେହେର, ହଜାରୁ ପଟେଲ, ବଂଶୀଧର ସାହୁ, ପାରେଶ୍ୱର ସାହୁ, ମାୟାଧର ପୁରୋହିତ ଓ ପାର୍ବତୀ ଗିରିଙ୍କୁ ମନେପକାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଇ ପଦ୍ମପୁର ମାଟିରେ ନିଜର ସାରସ୍ଵତ ସାଧନା କରିଥିବା ସ୍ୱଭାବ କବି ଗଙ୍ଗାଧର ମେହେର, ଗଙ୍ଗାଧର ଗୁରୁ, ହଟ୍ଟକିଶୋର ପାଣିଗ୍ରାହୀ, ନାରାୟଣ ପୃଷେଠ ଆଦିଙ୍କୁ ମଧ୍ୟ ଶ୍ରୀ କୁମ୍ଭାର ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କ ଅମରକୃତିର ସ୍ମୃତିଚାରଣ କରିଥିଲେ । ସରକାରଙ୍କ ଦ୍ଵାରା ହେଉଥିବା ସମସ୍ତ ବିକାଶ କାର୍ଯ୍ୟ ବିଷୟରେ ଶ୍ରୀ କୁମ୍ଭାର ତଥ୍ୟ ରଖିଥିଲେ ।
ଏଥର ପ୍ୟାରେଡରେ ରେକର୍ଡ଼ ସଂଖ୍ୟକ ୪୯ଟି ଦଳ ଅଂଶଗ୍ରହଣ କରି ମୁଖ୍ୟ ଅତିଥିଙ୍କୁ ଅଭିବାଦନ କରିଥିଲେ । ଏହାପରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାଗୁଡ଼ିକରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ଓ ଛାତ୍ରମାନଙ୍କୁ ମାନପତ୍ର, କପ୍ ଓ ବୃକ୍ଷଚାରା ପ୍ରଦାନ କରାଯାଇଥିଲା । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିନାୟକ ମିଶ୍ରଙ୍କ ସଂଯୋଜନାରେ ସ୍ୱାଧୀନତା ଦିବସ ଉତ୍ସବରେ ଏଇ ବର୍ଷ ରେକର୍ଡ଼ ସଂଖ୍ୟକ ୧୦୨ଟି ପୁରସ୍କାର ଓ ୨୫ଟି ରନିଙ୍ଗ‌୍ କପ୍ ପ୍ରଦାନ କରାଯାଇଛି । ସଭା କାର୍ଯ୍ୟକ୍ରମ ପରେ ଉପ-ଜିଲ୍ଲାପାଳ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପଖଣ୍ଡ କାରାଗାର ପଦ୍ମପୁର ଓ ଉପଖଣ୍ଡ ଚିକିତ୍ସାଳୟକୁ ଯାଇ ଅନ୍ତେବାସୀମାନଙ୍କୁ ବିସ୍କୁଟ ଓ ଫଳ ବଣ୍ଟନ କରିଥିଲେ । ନିକଟସ୍ଥ କୁଷ୍ଠାଶ୍ରମକୁ ଯାଇ ଶ୍ରୀ କୁମ୍ଭାର ଅନ୍ତେବାସୀମାନଙ୍କୁ ସ୍ୱାଧୀନତା ଦିବସର ଅଭିନନ୍ଦନ ବାର୍ତ୍ତା ଜଣାଇବା ସହ ସେମାନଙ୍କୁ ଶାଢ଼ୀ, ଧୋତି, ଗାମୁଛା ଓ ଛୋଟ ପିଲାମାନଙ୍କ ପାଇଁ ପୋଷାକ ବଣ୍ଟନ କରିଥିଲେ । ଅପରାହ୍ନରେ ପଦ୍ମପୁର ଓ ଘେଁସ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହାକୁ ଉଦ୍-ଘାଟନ କରି ଉପ-ଜିଲ୍ଲାପାଳ କ୍ରୀଡ଼ା କ୍ଷେତ୍ରରେ ଅଞ୍ଚଳକୁ ଆଗକୁ ନେବାକୁ ପ୍ରୋତ୍ସାହିତ କରିଥିଲେ । ଏହିଭଳି ଭାବରେ ପଦ୍ମପୁରର ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ୨୦୨୩ ଏକ ଦେଶପ୍ରେମର ପରିବେଶ ମଧ୍ୟରେ ସମାପନ ହୋଇଅଛି ।

0
0
0
s2sdefault