୫ ପଞ୍ଚାୟତ ଓ ଏନ୍ ଏସିର ତାଲିକା ସଂଗ୍ରହ କଲେ ବିଧାୟକ
ଓଡ଼ଗାଁ, ୧୬।୭(ଶ୍ରୀକାନ୍ତ କୁମାର ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଁର ବିକାଶ ପରିକଳ୍ପନାକୁ ସାକାର କରିବା ପାଇଁ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ରବିବାର ଓଡ଼ଗାଁ ବ୍ଳକ ଗସ୍ତରେ ଆସି ୫ ପଞ୍ଚାୟତ ଗସ୍ତ କରି ଗ୍ରାମବାସୀଙ୍କ ସହଭାଗିତାରେ ଗାଁର ଭିତିଭୂମିକୁ ସୁଦୃଢ କରିବା ନିମିତ୍ତ ବିକାଶ ମୁଳକ କାର୍ଯ୍ୟର ତାଲିକା ସଂଗ୍ରହ କରିଥିବା ବେଳେ ଓଡ଼ଗାଁ ଏନ୍ ଏସିର ବିକାଶରେ ୧ କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟୟବରାଦ କରିଛନ୍ତି । ଗାଁର ବିକାଶ ପାଇଁ ଆବଶ୍ୟକୀୟ ପ୍ରକଳ୍ପ ସମ୍ବନ୍ଧରେ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣରେ ସର୍ବ ସମ୍ମତ ମତାମତକୁ ସଂଗ୍ରହ କରିଥିବା ବେଳେ ଓଡ଼ଗାଁ ଏନ୍ ଏସିରେ ୧ କୋଟି ଟଙ୍କା ବ୍ୟୟରେ ହେବ ନୂତନ ପ୍ରକଳ୍ପ । ଆଜି ସକାଳ ୧୦ଟାରେ ରାବରା ପଞ୍ଚାୟତରୁ କାର୍ଯ୍ୟ ଆରମ୍ଭ କରି ଶରଧାପୁର, ଭାଡିକିଳା, ସାକେରୀ ଏବଂ କୋରପିଠା ପଞ୍ଚାୟତକୁ ଗସ୍ତ କରି ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ନିର୍ମାଣାଧିନ କାର୍ଯ୍ୟର ସମୀକ୍ଷା କରିବା ସହିତ ନୂତନ ନିର୍ମାଣ ପାଇଁ ତ୍ୱରିତ ଅର୍ଥ ପ୍ରଦାନ କରି ଗାଁର ଭିତ୍ତିଭୂମିକୁ ସୁଦୃଢ କରାଯିବ ବୋଲି କହିଥିଲେ। ତେବେ ପ୍ରସ୍ତାବିତ ଉନ୍ନୟନ କାର୍ଯ୍ୟର ଆକଳନ ଅନୁସାରେ ଏହି ୫ ଗୋଟି ପଞ୍ଚାୟତର ନୂତ୍ତନ ପ୍ରକଳ୍ପ ନିର୍ମାଣ ପାଇଁ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ହେବ ବୋଲି ପ୍ରସ୍ତାବ ରହିଛି । ସେହିପରି ଅପରାହ୍ନରେ ଓଡ଼ଗାଁ କଲ୍ୟାଣୀ ମଣ୍ଡପ ଠାରେ ଓଡ଼ଗାଁ ଏନ୍ଏସି ତଥା ସହରବାସୀଙ୍କ ସହିତ ସିଧାସଳଖ ଆଲୋଚନା କରି ଓଡ଼ଗାଁ ଏନ୍ଏସିର ପ୍ରତି ଓ୍ବାର୍ଡ ପାଇଁ ୫ ଲକ୍ଷ ଲେଖାଏଁ ପ୍ରାୟ ୧ କୋଟି ଟଙ୍କା ବିନିଯୋଗ ପାଇଁ ବ୍ୟୟ ଅଟକଳ କରାଯାଇଛି । ଏହି ପ୍ରକଳ୍ପ ଗୁଡ଼ିକୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପଠାଯିବା ସହିତ ମଞ୍ଜୁର ଅର୍ଥରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଶାନ୍ତିପୂର୍ଣ୍ଣ ସହଯୋଗ ଗ୍ରାମର ବିକାଶରେ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ବୋଲି, ପ୍ରତ୍ୟେକ ପଞ୍ଚାୟତରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବିଧାୟକ କହିଥିଲେ । ବିଧାୟକଙ୍କ ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ବିଜେଡି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ, ବିଭୁ ପ୍ରସାଦ ସାହୁ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଭ୍ୟା ଝିଲ୍ଲୀ ପ୍ରଧାନ, ସରପଞ୍ଚ ଚାନ୍ଦିନୀ ରାଉତ, କୃଷ୍ଣଚନ୍ଦ୍ର ସେନାପତି, ଗୀତାଞ୍ଜଳି ସାହୁ, ପବିତ୍ର କୁମାର ସାହୁ, ପାୟଲ କୁମାରୀ ପ୍ରଧାନ, ସମିତି ସଭ୍ୟା କନକ ପାତ୍ର ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।









