ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ଗଜପତି ଜିଲ୍ଲା ରେଡକ୍ରସ ସମିତିର ମିଳିତ ଆନୁକୁଲ୍ୟରେ ପକ୍ଷରୁ ୩ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଅଜୟ କୁମାର ତ୍ରିପାଠୀଙ୍କ ଅନୁମୋଦନ କ୍ରମେ ଆୟୋଜିତ ଏହି ୩ ଦିନିଆ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ବିଜ୍ଞାନ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ବି. ଗୋବିନ୍ଦ ରାଓ ଯୋଗଦେଇ ଆଶୁ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ କିପରି ଭାବରେ ଗୁରୁତ୍ଵ ବହନ କରିଥାଏ ଏବଂ ଏହା ଦ୍ବାରା କିପରି ଉପକୃତ ମିଳିଥାଏ ସେ ସମ୍ପର୍କିତ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ରେଡକ୍ରସ ପରାମର୍ଶଦାତା ତଥା ଆବାହକ ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ପ୍ରଥମେ ସ୍ଵାଗତ ଓ ଶୁଭ କାମନା ବ୍ୟକ୍ତକରି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ।
ଗଜପତି ଜିଲ୍ଲାର ଥିବା ବିଭିନ୍ନ ମହାବିଦ୍ୟାଳୟର ୩୦ ରୁ ଅଧିକ ରେଡକ୍ରସ ଛାତ୍ର ଏଥିରେ ଯୋଗଦେଇ ଆଶୁ ଚିକିତ୍ସା ଉପରେ ବିଭିନ୍ନ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଆଶୁ ଚିକିତ୍ସା ପାଇଁ କେଉଁ ସବୁ ଦିଗ ଉପରେ ଦୃଷ୍ଟି ରଖିବାକୁ ହେବ ସେ ବିଷୟରେ କହିବା ସହ ଏହା କିପରି ଆକସ୍ମିକ ଦୁର୍ଘଟଣା ପାଇଁ ଜରୁରୀ ଆବଶ୍ୟକ ପଡ଼ିଥାଏ ସେ ସମ୍ପର୍କରେ କୁହା ଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ଯୁବ ରେଡକ୍ରସ୍ କାଉନସିଲର ଡ. ପରମାନନ୍ଦ ଜେନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଅଧ୍ୟାପିକା ତଥା କାଉନସିଲର ଡ. ସ୍ନେହପ୍ରଭା ପଣ୍ଡା , ଅଧ୍ୟାପକ ଡ. ଚନ୍ଦ୍ର ଶେଖର ଦାସ ଏବଂ ସେକ୍ସନ ଅଧିକାରୀ ପ୍ରମୁଖଙ୍କ ସମେତ ବିଭିନ୍ନ କଲେଜର ରେଡକ୍ରସ ଅଧିକାରୀ ଓ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ।
ସେହିଭଳି ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଆବାହକ ତଥା ସମ୍ପାଦକ ଶ୍ରୀ ସୁକାନ୍ତ କୁମାର ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ଏଥିରେ ରେଡକ୍ରସ କାଉନସିଲର ଡଃ ପରମାନନ୍ଦ ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଜାତୀୟ ସ୍ତରର ଆଶୁ ଚିକିତ୍ସା ପ୍ରଶିକ୍ଷକ ଡଃ ବିକାଶ କୁମାର ପ୍ରସାଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଶୁ ଚିକିତ୍ସା କିଭଳି ବିଭିନ୍ନ ବିପର୍ଯ୍ୟୟ ପରିସ୍ଥିତି ବେଳେ ଜନ ମାନସ ର ସହାୟତାରେ ଆସିଥାଏ , ସେ ସମ୍ପର୍କରେ ବିସ୍ତୃତ ବିବରଣୀ ଦେବାସହ ଆଶୁ ଚିକିତ୍ସା ଉପରେ ସମସ୍ତଙ୍କ ସମ୍ୟକ ଜ୍ଞାନ ରହିବା ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ରେଡକ୍ରସ ରାଜ୍ୟ ଶାଖାର ବି.ଗୋବିନ୍ଦ ରାଓ ଯୋଗଦେଇ ଏଭଳି ତାଲିମ ଶିବିର ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି ଉପସ୍ଥିତ ତାଲିମାର୍ଥି ମାନଙ୍କୁ ସଚେତନ କରାଇଥିଲେ।
କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଶିବିରର ଗୁରୁତ୍ଵ ଏବଂ ଏହାର ସଫଳ ରୂପାୟନ ପାଇଁ ରେଡକ୍ରସ ଯୁବ ବାହିନୀ ଓ ଜିଲ୍ଲା ରେଡକ୍ରସକୁ ଧନ୍ୟବାଦ୍ ଜଣାଇବା ସହ ଏଭଳି କାର୍ଯ୍ୟ କ୍ରମ ଆଗକୁ ମଧ୍ୟ ଜାରୀ ରଖିବା ପାଇଁ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ତାଲିମ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡଃ ଚନ୍ଦ୍ର ଶେଖର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରାଜ୍ୟ
ଯୁବ ରେଡକ୍ରସ୍ ପକ୍ଷରୁ ୩ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 258








