୨ ମାସ ମଧ୍ୟରେ ୧୨୫ ଅନୁସୂଚିତ ଜାତି ଲୋକଙ୍କୁ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଗତ ତିନିବର୍ଷ ଧରି ୧୨୫ ଜଣ ଅନୁସୂଚିତ ଜାତି ଓ ଉପଜାତିର ଲୋକଙ୍କୁ ସରକାରୀ ଯୋଜନାରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ଷତିପୂରଣ ପ୍ରଦାନ କରାଯାଇନଥ‌ିବା ଜଣାପଡ଼ିଛି। ସେଥ‌ିରୁ ଆନ୍ତଃଜାତି ବିବାହ ପ୍ରୋତ୍ସାହନ ଅପେକ୍ଷାରେ ୬୫ ଜଣ ଦମ୍ପତି ରହିଥ‌ିବାବେଳେ ଅନୁସୂଚିତ ଜାତି ଓ ଜନଜାତି ନିରୋଧ ଆଇନରେ ୬୦ ଜଣଙ୍କୁ କ୍ଷତିପୂରଣ ମିଳି ନ ଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମାଲା ରୁଜୁ କରାଯିବା ପରେ ଆସନ୍ତା ୨ମାସ ମଧ୍ଯରେ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କ ଉନ୍ନତି ପାଇଁ ତଥା ସମାଜର ମୁଖ୍ୟ ଧାରରେ ସେମାନଙ୍କୁ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କରାଯାଇଛି । ସେହିପରି ସେମାନଙ୍କ ଉପରେ ହେଉଥ‌ିବା ଅତ୍ୟାଚାରର ନିରାକରଣ ପାଇଁ ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଆଇନ ପ୍ରଣୟନ କରାଯାଇଛି । ତେବେ ଜଗତସିଂହପୁର ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଗତ ୪ବର୍ଷ ହେଲା ୬୫ ଜଣ ଆନ୍ତଃଜାତି ବିବାହ କରିଥିବା ଦମ୍ପତି ପ୍ରୋତ୍ସାହନ ରାଶି ଅପେକ୍ଷାରେ ରହିଛନ୍ତି । ସେହିପରି ଗତ ୩ ବର୍ଷ ଧରି ଜିଲ୍ଲାର ୬୦ ଜଣ ନିର୍ଯାତିତ ଅନୁସୂଚିତ ଜାତି ଜନଜାତିର ଲୋକଙ୍କୁ କ୍ଷତିପୂରଣ ମିଳି ନ ଥ‌ିବା ଦଳିତ ନେତା ଶଙ୍କର ଦାସ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମାଲା ରୁଜୁ କରାଯାଇଥିଲା। ଡବ୍ଲ୍ୟୁପିସି ନମ୍ବର ୧୯୯୬୫-୨୦୨୩ ମାମଲାର ବିଚାର କରି ନ୍ୟାୟାଧିଶ ଏସ.କେ. ପାଣିଗ୍ରାହୀ ଦୁଇମାସ ମଧ୍ଯରେ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ସେହିପରି ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ମଧ୍ୟ ଗତ ୪ବର୍ଷ ହେବ ପ୍ରଶାସନ କ୍ଷତିପୂରଣ ପ୍ରଦାନ କରି ନ ଥ‌ିବା ସୂଚନା ମିଳିଛି। ଗତ ୪ବର୍ଷ ତଳେ ବାଲିକୁଦା ଅଞ୍ଚଳର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଶିକାର ହୋଇଥିଲେ | ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ କୋର୍ଟରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା। ତେବେ ଅଭିଯୁକ୍ତ ଆଳିପିଙ୍ଗଳ ଜେଲରେ ଥ‌ିବା ସମୟରେ ସେ ପାଚେରୀ ଡେଇଁ ପଳାୟନ କରିଥିଲେ। ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରି ନ ଥିବା ଜଣାପଡ଼ିଛି। ତେବେ ନାବାଳିକା ଜଣକ ଚଳିତ ବର୍ଷ ମାଟ୍ରିକ ପାସ୍‌ କରିଥିଲେ ମଧ୍ୟ ଘଟଣାର ୪ ବର୍ଷ ପରେ ତାଙ୍କୁ କ୍ଷତିପୂରଣ ପ୍ରଦାନରୁ ବଞ୍ଚିତ କରାଯାଇଛି । ଏ ସମ୍ପର୍କରେ ସେ ଡବ୍ଲ୍ୟୁପିସି ନମ୍ବର ୨୦୭୩୪/୨୦୨୩ରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥ‌ିବା ଜଣାପଡ଼ିଛି ।

0
0
0
s2sdefault