ହେଡଲାଇନସ୍:

ଯାହା ପଚାରିବା କଣ ନା "ତଥ୍ୟ ସଂଗ୍ରହ କରାଯାଉଛି' !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ  କେତେଦିନ ଆଉ ତଥ୍ୟ ଖୋଜିବେ ସରକାର

ଭୁବନେଶ୍ୱର(Chakradhar Majhi) :  ପାଖରେ ହଠାତ ତଥ୍ୟ ନାହିଁ ତ "ତଥ୍ୟ ସଂଗ୍ରହ କରାଯାଉଛି' | ଉତ୍ତର ଦେବାର ନାହିଁ ତ, "ତଥ୍ୟ ସଂଗ୍ରହ କରାଯାଉଛି' | "ତଥ୍ୟ ସଂଗ୍ରହ କରାଯାଉଛି' ଏବେ ବିଧାନସଭାରେ ମନ୍ତ୍ରୀମହୋଦୟମାନଙ୍କ ପାଇଁ ସୁବିଧାଜନକ ଶବ୍ଦ ପାଲଟିଗଲାଣି | ସେ ଯେତେ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହେଉ ନ କାହିଁକି !

 ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ବାରମ୍ବାର ଆସୁଛନ୍ତି । ସେମାନଙ୍କ ନିରାପତ୍ତା ଦାୟିତ୍ୱ ନେବା ସହିତ ରାଜ୍ୟ ସରକାର ବି ଆତିଥେୟତା ଦେଉଛନ୍ତି । ଅଥଚ ଏମାନଙ୍କ ଗସ୍ତ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ତଥ୍ୟ ନାହିଁ । ସେହିପରି ରାଜ୍ୟରେ ଘଟୁଥିବା ଅପରାଧିକ ମାମଲା ଓ ଏଥିରେ ଦଣ୍ଡବିଧାନ ହାର ସଂକ୍ରାନ୍ତରେ ବି ସରକାରଙ୍କ ନିକଟରେ ତଥ୍ୟ ନାହିଁ । ବିଧାୟକ ଦିଲିପ ରାୟ ଏଭଳି ପ୍ରସଙ୍ଗରେ ଉଠାଇଥିବା ତିନୋଟି ପ୍ରଶ୍ନର ସରକାର ଉତ୍ତର ଦେଇଛନ୍ତି "ତଥ୍ୟ ସଂଗ୍ରହ କରାଯାଉଛି' । 

ବଳାକ୍ରାର, ବଳାକ୍ରାର ଉଦ୍ୟମ, ଅପହରଣ, ଅସଦାଚରଣ, ଯୌତୁକ ନିର୍ଯାତନା, ଶିଶୁ ନିର୍ଯାତନା ସମେତ ମହିଳା ଓ ଶିଶୁମାନଙ୍କ ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାର ଅପରାଧ ମାମଲା ୨୦୧୨ରୁ ଏଯାବତ୍ କେଉଁ ବର୍ଷ କେତେ ସଂଖ୍ୟାରେ ରୁଜୁ ହୋଇଛି ଓ ଏହି ବର୍ଷଗୁଡ଼ିକରେ ଏ ସଂକ୍ରାନ୍ତୀୟ କେତେ ମାମଲାରେ ବିଚାର ସରିଛି, ସେଥିରେ ଦଣ୍ଡବିଧାନର ହାର କେତେ ଏବଂ ଏଭଳି ଆଉ କେତେ ସଂଖ୍ୟକ ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ଅଛି ବୋଲି ବିଧାୟକ ଶ୍ରୀ ରାୟ ବିଧାନସଭାରେ ପଚାରିଥିବା ପ୍ରଶ୍ନର ୩ ଶବ୍ଦ ବିଶିଷ୍ଟ ଉତ୍ତର ହେଉଛି "ତଥ୍ୟ ସଂଗ୍ରହ କରାଯାଉଛି' । 

ସେହିପରି ରାଜ୍ୟ ସରକାରଙ୍କ ଷ୍ଟେଟ୍ କ୍ରାଇମ୍ ରେକର୍ଡ ବୁ୍ୟରୋ ଓ ରାଜ୍ୟ ସରକାରଙ୍କ ନିକଟରେ ଉପଲବ୍ଧ କେନ୍ଦ୍ର ସରକାରଙ୍କ ଜାତୀୟ କ୍ରାଇମ୍ ରେକର୍ଡ ବୁ୍ୟରୋର ସର୍ବଶେଷ ରିପୋର୍ଟ ଅନୁଯାୟୀ ୩ ବର୍ଷ ମଧ୍ୟରେ ଓଡ଼ିଶାରେ କେଉଁ କିସମର କେତୋଟି କରି ଅପରାଧିକ ମାମଲା ରୁଜୁ ହୋଇଛି ଓ ଏହି ବର୍ଷଗୁଡ଼ିକରେ କେଉଁ କିସମର କେତେ ମାମଲା ଫଇସଲା ହୋଇଛି ଏବଂ ସେଥିରୁ କେତେ ମାମଲାରେ ଅଭିଯୁକ୍ତ ଦଣ୍ଡିତ ହୋଇଛନ୍ତି ଓ କେଉଁ କିସମର ଅପରାଧିକ ମାମଲାରେ ଦଣ୍ଡବିଧାନର ହାର କେତେ ରହିଛି ତାହା ଜଣାଇବାକୁ ବିଧାୟକ ଶ୍ରୀ ରାୟ କହିଥିଲେ । କିନ୍ତୁ ଏହି ପ୍ରଶ୍ନର ବି ଉତ୍ତର ରହିଛି "ତଥ୍ୟ ସଂଗ୍ରହ କରାଯାଉଛି' । 

୨୦୧୮ ମାର୍ଚ୍ଚ ଏସସିଆରବିର କ୍ରାଇମ୍ ଇନ୍ ଓଡ଼ିଶା ଶୀର୍ଷକ ରିପୋର୍ଟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏହି ରିପୋର୍ଟରେ ପ୍ରକାଶ ପାଇଥିବା ଅପରାଧ ଓ ତାହାର ଦଣ୍ଡବିଧାନର ତଥ୍ୟ ମଗାଯିବାରେ ସରକାର ପୂର୍ବରୁ କହିଥିଲେ ଯେ କ୍ରାଇମ୍ ଇନ୍ ଓଡ଼ିଶା ରିପୋର୍ଟ ଛପା ସରିଲା ପରେ ଏହା ଯୋଗାଇ ଦିଆଯିବ । ଗତ ଏପ୍ରିଲ ମାସରେ ଏଭଳି ଉତ୍ତର ଦିଆଯାଇଥିବା ବେଳେ ଏପର୍ଯ୍ୟନ୍ତ ବି ଏହି ରିପୋର୍ଟ ମିଳୁନାହିଁ । 

ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ଗସ୍ତ ଲାଗି ସରକାର ବ୍ୟାପକ ଅର୍ଥ ଖର୍ଚ୍ଚ କରୁଛନ୍ତି । ସେହିପରି ଅପରାଧ ପଞ୍ଜିକରଣ, ଅପରାଧିକ ମାମଲା ପରିଚାଳନା ଓ ଦଣ୍ଡବିଧାନର ତଥ୍ୟ ବି ସରକାରୀ ସଂସ୍ଥା ନିକଟରେ ଥାଏ । କିନ୍ତୁ ଏହି ତଥ୍ୟ ପ୍ରକାଶ କରିବାରେ ସରକାର କାହିଁକି କୁଣ୍ଠା ପ୍ରକାଶ କରୁଛନ୍ତି  ତାହାର କାରଣ ପ୍ରକାଶ କରିବାକୁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି । 

0
0
0
s2sdefault