ହେଡଲାଇନସ୍:

ପଞ୍ଚାୟତ ସ୍ତରରେ ଜାତୀୟ ପେନସନ ପ୍ରଦାନ କରାଯାଉ: ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  •  ମଧୁବାବୁ ପେନସନ ଢାଞ୍ଚାରେ ଦେବାକୁ ବିଜେଡିର ଦାବି

  •  ବ୍ୟାଙ୍କ୍‍ ଶାଖା ଅଭାବରୁ ହଟହଟା ହେଉଛନ୍ତି ବୁଢାବୁଢୀ

  •  ଲୋକେ ହଇରାଣ ହେଉଥିବାବେଳେ ବିଜେପି ମନ୍ତ୍ରୀ ଓ ନେତାଙ୍କ ପାଟି ଖୋଲୁନି


ଭୁବନେଶ୍ୱର: ଓଡିଶାରେ ଜାତୀୟ ପେନ୍‍ସନ ପାଉଥିବା ୨୦ ଲକ୍ଷ ଲୋକ ଅଛନ୍ତି ଯେଉଁଥିରୁ ୫୦% ଅର୍ଥ ଓଡିଶା ସରକାର ବହନ କରୁଛନ୍ତି । ବୃଦ୍ଧାବସ୍ଥା ଏବଂ ଭିନ୍ନକ୍ଷମ ପେନସନ ସମେତ ଜାତୀୟ ପେନସନ ପାଉଥିବା ହିତାଧିକାରୀମାନେ ସେମାନଙ୍କ ପେନସନ ଗଣ୍ଡାକ ପାଇଁ ଗ୍ରାମାଞ୍ଚଳରେ ଅବସ୍ଥିତ ବ୍ୟାଙ୍କକୁ ବହୁ ଦୂର ଯାତ୍ରା କରିବାକୁ ପଡୁଥିବାରୁ ସେମାନେ ହଇରାଣ ହେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ।
ଜାତୀୟ ପେନସନଧାରୀଙ୍କ ଦୁରାବସ୍ଥା ସଂକ୍ରାନ୍ତରେ ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଓଡ଼ିଶାର ୨୮ ଲକ୍ଷ ଲୋକ ମଧୁ ବାବୁ ପେନସନ ପାଉଛନ୍ତି ଯେଉଁଥିରେ ବୃଦ୍ଧବୃଦ୍ଧା ପେନସନ୍ ଏବଂ ଭିନ୍ନକ୍ଷମ ପେନସନ୍ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି ଏବଂ ଓଡ଼ିଶା ସରକାର ଗ୍ରାମ ପଞ୍ଚାୟତ ସ୍ତରରେ ସେମାନଙ୍କ ପେନସନ ପ୍ରଦାନ କରୁଛନ୍ତି । ଯାହା ଦ୍ୱାରା ସେମାନେ ସେମାନଙ୍କ ପେନସନ୍ ଗଣ୍ଡାକ ପାଇବାରେ ହଇରାଣ ହେବେ ନାହିଁ । ଓଡିଶାରେ ଉପଯୁକ୍ତ ବ୍ୟାଙ୍କିଙ୍ଗ୍ କଭରେଜ୍ ଅଭାବରୁ ବ୍ୟାଙ୍କଗୁଡିକ ହିତାଧିକାରୀଙ୍କ ନିଜ ଗ୍ରାମଠାରୁ ବହୁ ଦୂରରେ ଅବସ୍ଥିତ । କେନ୍ଦ୍ର ଦ୍ୱାରା ଓଡିଶାରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଐତିହାସିକ ଅବହେଳା ହେତୁ ଓଡିଶାର ବ୍ୟାଙ୍କିଙ୍ଗ୍ ନେଟୱାର୍କ ଅତ୍ୟନ୍ତ ଦୁର୍ବଳ ଏବଂ ୬୦% ରୁ ଅଧିକ ପଞ୍ଚାୟତରେ ଆଜି ମଧ୍ୟ କୌଣସି ବ୍ୟାଙ୍କ ସେବା ମିଳିପାରୁ ନାହିଁ ।
ବିଜୁ ଜନତା ଦଳ ଓଡିଶାରେ ବ୍ୟାଙ୍କିଙ୍ଗ୍ କଭରେଜ୍ ଏବଂ ନେଟୱାର୍କର ଉନ୍ନତି ପାଇଁ ଦଶନ୍ଧି ପୂର୍ବରୁ କେନ୍ଦ୍ର ସମ୍ମୁଖରେ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ତେବେ ଏହା ଆଶ୍ଚର୍ଯ୍ୟଜନକ ଯେ ଓଡିଶା ବିଜେପି ସାଂସଦମାନେ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି ଏବଂ ଓଡିଶାର ବ୍ୟାଙ୍କିଙ୍ଗ୍ କଭରେଜରେ ଉନ୍ନତି ଆଣିବା ପାଇଁ ନିଜ ଦଳ ନେତୃତ୍ୱରେ ଚାଲୁଥିବା କେନ୍ଦ୍ର ଆଗରେ ସ୍ୱର ଉତ୍ତୋଳନ କରୁନାହାଁନ୍ତି । ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଯେ ଓଡ଼ିଶାର ମାନ୍ୟବର କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଚୁପ୍ ରହିଛନ୍ତି ଏବଂ ରାଜ୍ୟରେ ବ୍ୟାଙ୍କିଙ୍ଗ୍ କଭରେଜ ଯୋଗୁଁ ଅସୁବିଧା ଭୋଗୁଥିବା ବୃଦ୍ଧବୃଦ୍ଧା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ପାଟି ଫିଟାଉ ନାହାନ୍ତି ।
ବିଜେଡି ଦାବି କରିଛି ଯେ କେନ୍ଦ୍ର ଓଡିଶାରେ ବ୍ୟାଙ୍କିଙ୍ଗ କଭରେଜକୁ ଶୀଘ୍ର ବଢାଉ ଯାହା ଦ୍ୱାରା ଜାତୀୟ ପେନସନ ପାଉଥିବା ବୃଦ୍ଧବୃଦ୍ଧା ତଥା ଭିନ୍ନକ୍ଷମ ହିତାଧିକାରୀଙ୍କୁ ସେମାନଙ୍କ ପେନସନ୍ ପାଇବା ପାଇଁ ବହୁ ଦୂରରେ ଅବସ୍ଥିତ ବ୍ୟାଙ୍କକୁ ଦୀର୍ଘ ସମୟ ଯାତ୍ରା କରିବାକୁ ପଡ଼ିବ ନାହିଁ । ତେଣୁ ରାଜ୍ୟ ସରକାର ଯେଭଳି ପଞ୍ଚାୟତ ସ୍ତରରେ ମଧୁବାବୁ ପେନ୍‍ସନ ପ୍ରଦାନ କରୁଛନ୍ତି ଅନୁରୂପ ଭାବେ ପଞ୍ଚାୟତ ସ୍ତରରେ ଜାତୀୟ ପେନ୍‍ସନ ପ୍ରଦାନ ଲାଗି ଶ୍ରୀମତୀ ମିଶ୍ର ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଓମ ପ୍ରକାଶ ସାହୁ ଉପସ୍ଥିତ ଥିଲେ ।

0
0
0
s2sdefault