ହେଡଲାଇନସ୍:

ଚିଠା ଭୋଟର ତାଲିକା ସଂଶୋଧନ  ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ : ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗ୍ରାମାଞ୍ଚଳରେ ସର୍ବାଧିକ ୧୨ଶହ ଓ ସହରାଞ୍ଚଳର ମତଦାନ କେନ୍ଦ୍ରଗୁଡ଼ିକରେ ୧୪ ଶହ ଭୋଟରକୁ ନେଇ ହେବ ଗୋଟିଏ ବୁଥ

ଭିଭିପଟ ଚିଠାରୁ ଭୋଟର ଜାଣିପାରିବେ  କାହାକୁ ଗଲା ତାଙ୍କ  ଭୋଟ 

  ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲାର ପ୍ରକାଶିତ ଚିଠା ଭୋଟର ତାଲିକାକୁ ନେଇ ଜିଲ୍ଲାପାଳ ବିନିତ କୁମାର ଭରଦ୍ୱାଜ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ଖବରଦାତା ସମ୍ମିଳନୀ ଡ଼କାଇଥିଲେ । ଏଥିରେ ସେପ୍ଟେମ୍ବର ପହିଲାରୁ ଜିଲ୍ଲାରେ ଚିଠା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲୁ ରହିବ ଓ ପ୍ରକ୍ରିୟାରେ ୨୦୧୯ ଜାନୁଆରୀ ପହିଲା ସୁଦ୍ଧା ୧୮ ବର୍ଷ କିମ୍ବା ତତୁର୍ଦ୍ଧ ବୟସର ଯୁବକଯୁବତୀମାନେ ସେମାନଙ୍କ ନାମକୁ ଭୋଟର ତାଲିକାରେ ନୂତନ ଭାବେ ଯୋଡ଼ିବା ନିମନ୍ତେ ନିର୍ଦ୍ଧାରିତ ଫର୍ମ-୬ ପୂରଣ କରି ରଙ୍ଗୀନ ପାସପୋର୍ଟ ଫଟୋ, ବାସସ୍ଥାନ ଓ ବୟସ ସମ୍ପର୍କିତ ପ୍ରମାଣପତ୍ର ସହିତ ଆବେଦନ କରିବେ ।  ସେହିପରି ନୂତନ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୂକ୍ତ କରାଯିବା ସଂଗେସଂଗେ ମୃତ, ସ୍ଥାନାନ୍ତରିତ ଓ ଦୋହରା ଭୋଟରମାନଙ୍କୁ ଚିହ୍ନଟ କରାଯାଇ ତାଲିକାରୁ ବାଦ ଦେବା, ଭୋଟର ତାଲିକା ଓ ଭୋଟର ପରିଚୟ ପତ୍ରରେ ନିଜର ନାମ, ବାସସ୍ଥାନ, ବୟସ ଆଦି କ୍ଷେତ୍ରରେ ରହିଥିବା ତୃଟିକୁ ସଂଶୋଧନ, ନିଜର ନିର୍ବାଚନ ମଣ୍ଡଳୀରେ ବାସସ୍ଥାନ ପରିବର୍ତ୍ତନ କରାଇପାରିବେ । ଏଥି ନିମନ୍ତେ ନିର୍ଦ୍ଧାରିତ ଫର୍ମ -୭, ଫର୍ମ-୮ ଓ ଫର୍ମ-୮(ଏ) ଆଦିକୁ ପୂରଣ କରି ନିଜ ନିଜ ବୋଥ ଦାୟିତ୍ୱରେ ରହିଥିବା ବିଏଲଓଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ । ଆସନ୍ତା ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମସ୍ତ ବୁଥ ସ୍ତରୀୟ ଅଧିକାରୀଙ୍କ ନିକଟରେ ଦାଖଲ କରାଇପାରିବେ ଅଥବା ବ୍ଲକ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ଭୋଟର ସହାୟତା କେନ୍ଦ୍ର ଆଦିର ସହାୟତା ନେଇପାରିବେ । ଭୋଟରମାନଙ୍କୁ ସହାୟତା ପ୍ରଦାନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଟୋଲ ପ୍ରି ନଂ-୧୯୫୦ କାର୍ଯ୍ୟକ୍ଷମ କରାଯାଇଛି । ଉକ୍ତ ଟୋଲ ଫ୍ରି ନମ୍ବର ପୂର୍ବରୁ ନିଜ ନିଜ ଅଞ୍ଚଳ ନିମନ୍ତେ ରହିଥିବା ଏସଟିଡ଼ି କୋଡର଼୍କୁ ଯୋଡ଼ି ଫୋନ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ । ପ୍ରତ୍ୟେକ ଭୋଟର  ପ୍ରକାଶିତ ଚିଠା ଭୋଟର ତାଲିକାରେ ନିଜର ନାମ ପଞ୍ଜିକୃତ ହୋଇଇଛିକି ନାହିଁ ଅଥବା କେଉଁ କେନ୍ଦ୍ରରେ ନାମ ରହିଛି,  ନାମ ଓ ଠିକଣା ଆଦିରେ କୌଣସି ତୃଟି ରହିଛି କି ନାହିଁ ତାହାକୁ ଯାଞ୍ଚ କରାଇ ପାରିବେ । କିମ୍ବା ସେ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବ ସାଇଟ  www.ceoorissa.in/www.nvsp.inରେ ଦେଖିପାରିବେ ଅଥବା ଅନ ଲାଇନରେ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଆବେଦନ ପତ୍ର ଦାଖଲ କରିପାରିବେ । ଏହା ଉପରେ ୨୦୧୮ ନଭେମ୍ବର ୩୦ ପୂର୍ବରୁ ଆବେଦନ ଫର୍ମ, ଆପତ୍ତି ଅଭିଯୋଗ ଆଦି ଉପରେ ଯାଞ୍ଚ କରାଯାଇ ୨୯୧୯ ଜାନୁଆରୀ ୪ରେ ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଜିଲ୍ଲାର ସମସ୍ତ ରାଜନୈତିକ ଦଳର ବୋଥସ୍ତରୀୟ ଏଜେଣ୍ଟ, ସାଧାରଣ ଜନତା, ବୁଦ୍ଧିଜୀବୀମାନେ ଚିଠା ଭୋଟର ତାଲିକାର ତନଖି, ମତଦାତାମାନଙ୍କୁ ତାଲିକାଭୂକ୍ତ କରାଇବା ପାଇଁ ଜନସଚେତନତା ସୃଷ୍ଟି କରାଇବାକୁ ପରାମର୍ଶ ଦିଆଯାଇଛି । ଏଥି ନିମନ୍ତେ ସେମାନେ ଆବେଦନ ପତ୍ର ସଂଗ୍ରହ କରିବା ସହିତ ଏକକାଳୀନ ୩୦ରୁ ଅଧିକ ଆବେଦନ ଫର୍ମର ଦାଖଲ ଉପରେ କଟକଣା ଲାଗୁ କରାଯାଇଛି । ୨୦୧୯ରେ ଅନୁଷ୍ଠିତ  ହେବାକୁ ଯାଉଥିବା ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ, ସ୍ୱଚ୍ଛ ଭାବେ ପରିଚାଳନା କରାଇବା ନିମନ୍ତେ ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ଭିଭିପେଟ ମେସିନ ବ୍ୟବହାର କରାଯିବ । ଏଥି ନିମନ୍ତେ ୧୨ ହଜାର ମେସିନ ଆସି ପହଁଞ୍ଚିଯାଇଛି । ଭିଭିପେଟ ମେସିନର କ୍ଷମତା ଅନୁସାରେ ଗ୍ରାମାଞ୍ଚଳରେ ରହିଥିବା ମତଦାନ କେନ୍ଦ୍ରଗୁଡ଼ିକରେ ସର୍ବାଧିକ ୧୨ଶହ ଓ ସହରାଞ୍ଚଳର ମତଦାନ କେନ୍ଦ୍ରଗୁଡ଼ିକରେ ୧୪ ଶହ ଭୋଟରଙ୍କୁ ସାମିଲ କରାଯାଇ ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବୁଥ  ସଂଖ୍ୟାକୁ ବୃଦ୍ଧି କରାଯାଇଛି । ସେହିପରି ପ୍ରତ୍ୟେକ ଭିଭିପେଟ ମେସିନରେ ୧୬ଟି ବଟନ  ରହୁଥିବାରୁ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀମାନଙ୍କ ସଂଖ୍ୟା ଅନୁସାରେ ଆବଶ୍ୟକ ମେସିନର ବ୍ୟବସ୍ଥା କରାଯିବ । ନିର୍ବାଚନ ସମୟରେ ବୁଥ  ଓ ମେସିନର ବ୍ୟବହାର, ପରିଚାଳନା ଆଦି ଉପରେ ପ୍ରିଜାଇଡ଼ିଂ ଅଫିସର ଆଦିଙ୍କୁ ସମସ୍ତ ପ୍ରକାରର ତାଲିମ ପ୍ରଦାନ ଶେଷ ହୋଇଯାଇଛି । ମେସିନରେ ଭୋଟରମାନେ ତାଙ୍କର ପସନ୍ଦ ଅନୁସାରେ ପ୍ରାର୍ଥୀମାନଙ୍କୁ ଦେଉଥିବା ଭୋଟକୁ ମେସିନରୁ ବାହାରୁଥିବା ସ୍ଲିପରେ ଦେଖି ପାରିବେ । ଏହି ଭିଭିପେଟ ମେସିନର ବ୍ୟବହାରରେ ସ୍ୱଚ୍ଛତା ଉପରେ ଜନସାଧାରଣ, ସମସ୍ତ ରାଜନୈତିକ ଦଳ ଆଦିଙ୍କୁ ଡେମୋନଷ୍ଟ୍ରେସନ  ମାଧ୍ୟମରେ ପ୍ରଦର୍ଶନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ।  

0
0
0
s2sdefault