ହେଡଲାଇନସ୍:

ମହାନଦୀ ଉପରେ ନିର୍ମାଣ ହେବ ଗୋପୀନାଥପୁର-ବୈଦେଶ୍ୱର ଦୀର୍ଘତମ ସେତୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୂମିପୂଜନ ଓ କାର୍ଯ୍ୟ ଶୁଭାରମ୍ଭ, ୫ ହଜାରରୁ ଉର୍ଧ୍ଵ  ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ

ଭୁବନେଶ୍ୱର,: ମହାନଦୀ ଉପରେ ବଡ଼ମ୍ବାର ଗୋପୀନାଥପୁର ଠାରୁ ବାଙ୍କୀର ବୈଦେଶ୍ୱର ପର୍ଯ୍ୟନ୍ତ ଏକ ସେତୁ ପାଇଁ ଭୂମିପୂଜନ ଓ କାର୍ଯ୍ୟର ଶୁଭାରମ୍ଭ ସମାରୋହ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ମୁଖ୍ୟ ପୁରୋଧା ଭାବେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରା, ସମ୍ମାନିତ ଅତିଥି ଭାବେ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ବାଙ୍କୀ ବିଧାୟକ ଶ୍ରୀ ପ୍ରଭାତ ତ୍ରିପାଠୀ ଯୋଗ ଦେଇଥିଲେ । ଏହି ସମାରୋହରେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପୌରୋହିତ୍ୟ କରିଥିଲେ । ମହାନଦୀ ଉପରେ ୩କିମି ୧୧୯ ମିଟର ଦୈର୍ଘ୍ୟର ଏହି ସେତୁ ମହାନଦୀ ଉପରେ ଏଯାବତ ନିର୍ମାଣ ହୋଇଥିବା ସମସ୍ତ ୨୨ଟି ସେତୁ ମଧ୍ୟରେ ଦୀର୍ଘତମ  ଅଟେ । ଏହି ସେତୁ ଦ୍ୱାରା କେବଳ ବାଙ୍କୀ ଓ ବଡମ୍ବା ମଧ୍ୟରେ ନୁହେଁ ପାଖଆଖ ୬ଟି ବ୍ଲକର ଅଧିବାସୀ ଉପକୃତ ହେବା ସହ ବଡମ୍ବାରୁ ଭୁବନେଶ୍ୱର ଦୂରତା ହ୍ରାସ ପାଇ ମାତ୍ର ୨୫ କିମି ହେବ । ଏହି ସେତୁ ସହିତ ଆଉ ଏକ ସଂଯୋଗୀକରଣ ସେତୁ ସିଂହନାଥ ପୀଠକୁ ମଧ୍ୟ ହେଉଛି, ଯାହାକି ବଡମ୍ବା-ନରସିଂହପୁର, ବାଙ୍କୀ ଅଞ୍ଚଳର ଐତିହ୍ୟ ସିଂହନାଥ ସହିତ ମା’ ଭଟ୍ଟାରିକା ପୀଠ, ମା’ପ୍ରଗଳା ପୀଠ, ସାତକୋଶିଆ ପରିବେଶ ପର୍ଯ୍ୟଟନ ତଥା ରାମନାଥ, ବୈଦ୍ୟନାଥ, ସିଂହନାଥର ତ୍ରିକୁଟଧାମ ଭଳି ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକ ଆସିବାରେ ସହାୟକ ହେବ । ସଂପୃକ୍ତ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ସମୃଦ୍ଧିରେ ଏହା ଏକ ସଂଯୋଗ ସାରଣୀ ଭାବେ କାର୍ଯ୍ୟ କରିବ । ଏ ଉପଲକ୍ଷେପ୍ରାୟ ୨ ହଜାରରୁ ଊଦ୍ଧ୍ୱର୍ ମହିଳା ଏକ କଳସ ଶୋଭାଯାତ୍ରାରେ ମହାନଦୀରୁ ଜଳ ନେଇ ଗୋପୀନାଥପୁର ପରିକ୍ରମା କରିବା ସହ ଯଜ୍ଞ ଅନୁଷ୍ଠିତ  ହୋଇଥିଲା । ଏହି ଭୂମି ପୂଜନର ପୂର୍ଣ୍ଣାହୂତିରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା, ସାଂସଦ ଶ୍ରୀ ମହତାବ, ବିଧାୟକ ଶ୍ରୀ ତ୍ରିପାଠୀ, ଶ୍ରୀ ମିଶ୍ର ଯୋଗ ଦେଇଥିଲେ । ଏହି ସେତୁ ପାଇଁ ୧୩୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୧୨୦ କୋଟି ଟଙ୍କାର ଟେଣ୍ଡର ଚୂଡ଼ାନ୍ତ ହୋଇଛି । ଭୂମି ପୂଜନ ଅବସରରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ  ହୋଇଥିଲା, ଯେଉଁଥିରେ କି ୧୦ ହଜାରରୁ ଉର୍ଧ୍ଵ  ଜନସାଧାରଣ ଯୋଗ ଦେଇଥିଲେ । ଏହି ସଭାରେ ୫ ହଜାରରୁ ଉର୍ଧ୍ଵ  ନିର୍ମାଣ ଶ୍ରମିକଙ୍କ ପାଇଁ ଭିଭିନ୍ନ ସହାୟତା ବଣ୍ଟନ କରାଯାଇଥିଲା । ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅନୁସୂୟା ନାୟକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ବିଜେଡି ଉପ-ସଭାପତି ରୀବନ୍ଦ୍ର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହାକୁ ଗୋବିନ୍ଦ ସାହୁ, ପ୍ରଣତୀ ବେହେରା, ସଂଜୟ ସ୍ୱାଇଁ, ପ୍ୟାରୀମୋହନ ସ୍ୱାଇଁ, ପ୍ରଦୀପ୍ତ ସ୍ୱାଇଁ, ରମେଶ ସାହୁ, କାଳିଆ ବାରିକ, କାର୍ତ୍ତିକ ଚୌଧୁରୀ, ଅଶୋକ ଚୌଧୁରୀ, ଚକ୍ରଧର ବାରିକ, ପ୍ରକାଶ ସାହୁ, କମଳାକାନ୍ତ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପରମାନନ୍ଦ ସେଠୀ ପ୍ରମୁଖ ସଂଯୋଜନା କରିଥିଲେ । ନିର୍ମାଣ ଶ୍ରମିକଙ୍କ ପକ୍ଷରୁ ଜିଲ୍ଲା ସାଧାରଣ ସଂପାଦକ ଦିଲ୍ଲୀପ ସାହୁ, ମୁଖ୍ୟ ଯନ୍ତ୍ରୀ ଦେବରଞ୍ଜନ ପାଲ୍‍, ଜିଲ୍ଲା ଶ୍ରମ ଅଧିକାରୀ ବନମାଳୀ ମହାପାତ୍ର ସୂଚନା ଦେଇଥିଲେ । ଏହା ପୂର୍ବରୁ ଆଜି ସକାଳେ ପ୍ରାୟ ୧ କୋଟି ୨୮ଲକ୍ଷ ଟଙ୍କା ବ୍ୟୟରେ ଅଭିମାନପୁର ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ଓଡ଼ିଶାର ୪୭ତମ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ବେହେରା, ସାଂସଦ ଶ୍ରୀ ମହତାବ, ବିଧାୟକ ଶ୍ରୀ ତ୍ରିପାଠୀ, ଶ୍ରୀ ମିଶ୍ର ଓ ୭ଟି ପଞ୍ଚାୟତର ଜନପ୍ରତିନିଧିଙ୍କ ଉପସ୍ଥିତିରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିଙ୍କ ଦ୍ୱାରା ଉଦ୍ଘାଟିତ  ହୋଇଥିଲା । ଅଭିମାନପୁର ଠାରୁ ଗୋପୀନାଥପୁର ଦୀର୍ଘ ୨୨ କିମି ପର୍ଯ୍ୟନ୍ତ ୧ ହଜାରରୁ ଊଦ୍ଧ୍ୱର୍ ଏକ ବାଇକ୍‍ ରାଲିରେ ଗୋପୀନାଥପୁର ସଭା ସ୍ଥଳକୁ ଅତିଥିମାନଙ୍କୁ ପାଛୋଟି ନିଆଯାଇଥିଲା । ଏହି ସେତୁ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଏବଂ ସରକାର ଅଟକଳ ମଞ୍ଜୁରୀ କରିଥିଲେ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବାବଦ ଅଂଶଧନ ଏବଂ ନିଜସ୍ୱ ଯୋଜନା ଯୋଗୁ ରାଜ୍ୟ ଉପରେ ୪ ହଜାର କୋଟି ଟଙ୍କାର ବୋଝ ପଡିବାରୁ ରାଜ୍ୟ ନିଜସ୍ୱ ସମ୍ବଳରୁ ନଦେଇ ଅର୍ଥ ବିଭାଗ ପରାମର୍ଶକ୍ରମେ ନାବାର୍ଡର ଋଣ ଆଣିବାକୁ ପଡିଥିଲା । ସେଥିପାଇଁ ନାବାର୍ଡର ଅଟକଳ ଏବଂ ସେତୁର ଡିଜାଇନ୍‍ କରିବା ସମୟସାପେକ୍ଷ ହୋଇଥିବାରୁ ଏହି ସେତୁ ବିଳମ୍ବିତ ହୋଇଥିଲା । ଆଜିର ଏହି ସେତୁ କାର୍ଯ୍ୟ ଶୁଭାରମ୍ଭ ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀଙ୍କ ବହୁଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ବଡମ୍ବା ନଦୀକୂଳିଆ ଓ ବ୍ଲକ ଅଧିବାସୀଙ୍କ ମଧ୍ୟରେ ଆନନ୍ଦର ଉଲ୍ଲାସ ଖେଳିଯାଇଛି ।

0
0
0
s2sdefault