ହେଡଲାଇନସ୍:

ବାରିପଦା ଆର୍ବାନ ବ୍ୟାଙ୍କ  : ଜମା ରାଶି ଫେରସ୍ତ ଦାବିରେ ଧାରଣା,ପରବର୍ତ୍ତି ସମୟରେ ଆତ୍ନାହୁତି ଦେବାର ଚେତାବନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଆର୍ବାନ ବ୍ୟାଙ୍କରେ ଜମାକାରୀମାନେ ସେମାନଙ୍କ କଷ୍ଟଲବ୍ଧ ଆୟ ଉପାର୍ଜନରୁ କାଟଛାଟ କରି ରଖିଥିବା ଜମାରାଶି ଫେରସ୍ତ ଦାବିରେ ଅଗଷ୍ଟ ୨୯ ବୁଧବାର ପୂର୍ବାହ୍ନରେ ବ୍ୟାଙ୍କ ସମ୍ମୁଖରେ ଶତାଧିକ ବରିଷ୍ଠ  ଜମାକାରୀମାନେ ଗଣଧାରଣାରେ ବସିଥିଲେ । ଏହି ଧାରଣା ୭ ଦିନ ଧରି ଜାରି ରହିବ ଏବଂ ପ୍ରଥମେ ବ୍ୟାଙ୍କ ସମ୍ମୁଖରେ ଧାରାଣାରେ ବସିବେ ଏବଂ ପରବର୍ତ୍ତି ସମୟରେ ଏହି ଧାରଣା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜାରି ରହିବ । ଜିଲ୍ଲା ପ୍ରଶାସନ ନିକଟରୁ ଡ଼ାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ଅନୁମତି ପାଇଁ ଆବେଦନ କରାଯାଇଥିଲା ; ମାତ୍ର ମିଳିପାରି ନାହିଁ । ଅନୁମତି ମିଳିବା ପରେ ଜିଲ୍ଲାରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ଜମାକାରୀମାନଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହିବା ନିମନ୍ତେ ସୂଚନା ଦିଆ ଯିବ । ଏହି ସମୟରେ ବରିଷ୍ଠ  ଜମାକାରୀ ସ୍ଥାନୀୟ ବାଘଡ଼ାରୋଡ଼ର ଭାଗବତ ନାୟକଙ୍କ ସମେତ ଅନ୍ୟ କେତେକ ଜମାକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାର ନିଷ୍ପତ୍ତି ନେଇଛନ୍ତି । ଜମାକାରୀ ଭାଗବତ ନାୟକ ବ୍ୟାଙ୍କରେ ପ୍ରାୟ ୩୫ ଲକ୍ଷ ମଧ୍ୟରେ ଟଙ୍କା ଜମା ରଖିଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ଅସୁସ୍ଥ ସମୟରେ ଫଟା କଉଡ଼ିଟିଏ ବ୍ୟାଙ୍କରୁ ଉଠାଇ ନ ପାରିବାରୁ ସ୍ତ୍ରୀକୁ ଚିକିତ୍ସା ଯୋଗାଇବା ସମ୍ଭବ ହୋଇପାରି ନ ଥିଲା ଓ ତାଙ୍କର ମୃତୁ୍ୟ ହୋଇଥିଲା । କେବଳ ଭାଗବତ ନାୟକ ନୁହନ୍ତି, ଏହିପରି ହଜାର ହଜାର ଭାଗବତ ନାୟକ ରହିଛନ୍ତି । ବ୍ୟାଙ୍କରୁ ଟଙ୍କା ଉଠାଇ ନ ପାରିବାରୁ କାହାର ପିଲାଛୁଆ ଓ ସ୍ୱାମୀ ମରିଛନ୍ତି । କାହାର ଝିଅ ବାହାଘର ଭାଙ୍ଗି ଯାଇଛି, ପୁଣି କାହାର ପିଲା ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇଛି ।  ଆଉ କେତେଦିନ ବ୍ୟାଙ୍କରେ ଟଙ୍କା ଜମାରଖି ଅପେକ୍ଷାରେ ରହିବୁ । ଆମର ଜମାରାଶି ଫେରସ୍ତ ନିମନ୍ତେ ଏହି ବୃଦ୍ଧା ଅବସ୍ଥାରେ ଆମକୁ ରାଜ ରାସ୍ତାକୁ ଉହ୍ଲାଇ ଆସିବାକୁ ପଡ଼ିଛି ବୋଲି ଆର୍ବାନ ବ୍ୟାଙ୍କ ଡ଼ିପୋଜିଟର ଆସୋସିଏସନର ସଭାପତି ଭାଗବତ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।   ବ୍ୟାଙ୍କ ମ୍ୟାନେଜର ଅମରେନ୍ଦ୍ର କର କୁହନ୍ତି, ଆର୍ବାନ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କରେ ୨୦୧୮ ମାର୍ଚ୍ଚ ୩୧ ମଧ୍ୟରେ ରହିଥିବା ଜମା ରାଶି ୭୫ କୋଟିରୁ ଅଧିକ ରହିଛି । ସେହିପରି ବ୍ୟାଙ୍କର ସେୟାର ହୋଲଡ଼ରମାନଙ୍କ ସଂଖ୍ୟା ୨୫୭୩୧,  ୭୨୩୨୪ ଜଣ ଡ଼ିପୋଜିଟରମାନଙ୍କ  ୨୦୧୪ ଅକ୍ଟୋବର ସୁଦ୍ଧା ସୁଧ ଓ ମୂଳ ମିଶି  ୭୧.୫୬ କୋଟି ଓ ୨୯୫୩ ଜଣ ଋଣୀମାନଙ୍କ  ଉପରେ ୨୫.୬୯ କୋଟିରୁ ଅଧିକ ଟଙ୍କା ମୂଳଧନ ଯୁକ୍ତ ସୁଧ ଭାବେ ଅନାଦେୟ ରହିଛି । ବ୍ୟାଙ୍କ ୨୦୧୪ ମାର୍ଚ୍ଚ ୩୧ ମଧ୍ୟରେ ସର୍ବାଧିକ ୧୨.୩୮ କୋଟିରୁ ଅଧିକ କ୍ଷତିରେ ରହିଥିବା ବେଳେ ୨୦୧୭ ମାର୍ଚ୍ଚ ୩୧ ମଧ୍ୟରେ ଏହି କ୍ଷତିକୁ ଭରଣା କରି ୧.୦୫ କୋଟିରୁ ଅଧିକ ଟଙ୍କା ଲାଭରେ ରହିଥିଲା । ଗତ ଜୁନ ୨୭ରେ ରେଜିଷ୍ଟର ବ୍ୟାଙ୍କକୁ ଆସି ରିଭୁ୍ୟ କରିଥିବା ସମୟରେ ରିଜିର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କକୁ ଲିକୁ୍ୟଡେ଼ଟ କରାଯିବା ନାପସନ୍ଦ କରିଥିଲେ ଏବଂ ଏବିଷୟରେ ରିଜର୍ଭ ବ୍ୟାଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ । ଏଆରସିଏସ ଦମୟନ୍ତୀ ସିଂ ବାରିପଦା ଆର୍ବାନ ବ୍ୟାଙ୍କ ଲିକ୍ୟୁଡେଟ  ଘୋଷଣା କରାଯାଇଛି, ମାତ୍ର ଲିକୁ୍ୟଡେ଼ଟର ନିଯୁକ୍ତି ହୋଇପାରି ନାହାନ୍ତି । ବ୍ୟାଙ୍କ ପରିଚାଳନା ପରିଷଦ ଉଚ୍ଚ ନ୍ୟାୟାଳୟରେ ମାମଲା ଉଠାଇଛନ୍ତି । ନ୍ୟାୟାଳୟ ପକ୍ଷରୁ ଲାଗୁ ହୋଇଥିବା ଅଙ୍କୁଶ ଜମାକାରୀମାନଙ୍କ ଜମା ଟଙ୍କା ଫେରସ୍ତ ମିଳିବା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଛି । ଉଚ୍ଚ ନ୍ୟାୟାଳୟର ସ୍ଥଗିତାଦେଶକୁ ଭେକେଣ୍ଟ କରାଇବା ନିମନ୍ତେ ସମସ୍ତ ପ୍ରକାରର ଉଦ୍ୟମ ଜାରି ରହିଛି ବୋଲି କହିଥିଲେ । ବାରିପଦା ଆର୍ବାନ ବ୍ୟାଙ୍କ ୧୯୫୮ରେ ସ୍ଥାପିତ ହୋଇଥିଲା ଏବଂ ୪୯ ବର୍ଷ ପରେ ୨୦୦୯ରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଲାଇସେନ୍ସ ପ୍ରାପ୍ତ ହୋଇଥିଲା । ଏହାର ୩ ବର୍ଷ ପରେ ୨୦୧୨ରେ ଲାଇସେନ୍ସ ରଦ୍ଧ କରାଇବା ନିମନ୍ତେ ପଦକ୍ଷେପ ସ୍ୱରୂପ ବ୍ୟାଙ୍କର କାରବାର ଉପରେ ଅଙ୍କୁଶ ଲଗାଇ ଶେଷରେ ୨୦୧୪ରେ ଲାଇସେନ୍ସକୁ ରଦ୍ଧ କରାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଜମାକାରୀମାନଙ୍କୁ ସେମାନଙ୍କର ଜମା ଟଙ୍କା ଫେରସ୍ତ ମିଳିପାରୁ ନ ଥିବା ସମୟରେ ସେମାନଙ୍କ ଟଙ୍କାରୁ ବ୍ୟାଙ୍କର ବିଭିନ୍ନ ଖର୍ଚ୍ଚ ତୁଲାଇବାରେ କୌଣସି ପ୍ରତିବନ୍ଧକ ନ ଥିବାର ଜଣାପଡ଼ିଛି । ଆର୍ବାନ ବ୍ୟାଙ୍କ ଡ଼ିପୋଜିଟର ଆସୋସିଏସନର ଏହି ଗଣଧାରଣାରେ ହରେକୃଷ୍ଣ କର, ରଘୁନାଥ ବେହେରା, ଅଚ୍ୟୁତ  ପ୍ରସାଦ ମହାପାତ୍ର, ପ୍ରହଲ୍ଲାଦ ନନ୍ଦ, ଗୋପୀନାଥ ପଣ୍ଡା, ଶୁକଦେବ ତ୍ରିପାଠୀ, ଦାଶରଥ ସିଂ, ବସନ୍ତ କୁମାର ପାତ୍ର, ଆଶିଷ କୁମାର ପଟ୍ଟନାୟକ, ସୁଶାନ୍ତ କୁମାର ବାରିକ, ସୁବାସିନୀ ଷଢ଼ଙ୍ଗୀ,  ଶ୍ରୀନିବାସ ଆଚାର୍ଯ୍ୟ, ଭଗବାନ ସାମଲ, ପ୍ରଫୁଲ୍ଲ କୁମାର ବାରିକ, ଚିତ୍ତ ରଞ୍ଜନ ସାହୁ, ସୁଶୀଳ କୁମାର ପୋଦ୍ଧାର, ସନ୍ତୋଷ କୁମାର ମିଶ୍ର, ସୁଶାନ୍ତ ପାତ୍ର, ଆଶୁତୋଷ ଆଚାର୍ଯ୍ୟ, ଅନୁପ କୁମାର ପାଲ, ପ୍ରାଣବନ୍ଧୁ ଦାଶ, ବିଜୟ କୁମାର ପତି, ସୁବ୍ରତ କୁମାର କୁଇଲା, ସୁୁଧାଂଶୁ କୁମାର ଆଚାର୍ଯ୍ୟ, ଉଦ୍ଧବ ଚନ୍ଦ୍ର ପୁଷ୍ଟି, ଯୁଗେଶ କୁମାର ଆଢ଼୍ୟ ପ୍ରମୁଖ ବରିଷ୍ଠ  ଜମାକାରୀମାନେ ସାମିଲ ହୋଇଥିଲେ ।

 

 

0
0
0
s2sdefault