ହେଡଲାଇନସ୍:

ଆସନ୍ତା ସ୍ୱାଧୀନତା ଦିବସରେ ଭାରତରେ ଚାଲିବ ହାଇଡ୍ରୋଜେନ୍ ଟ୍ରେନ୍‌: ଅଶ୍ୱିନୀ ବୈଷ୍ଣବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଭାରତରେ ଗଡିବ ପ୍ରଥମ ସ୍ୱଦେଶୀ ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ଏହି ଟ୍ରେନ୍‌ଟିକୁ ଭାରତରେ ହିଁ ପ୍ରସ୍ତୁତି, ନିର୍ମାଣ ଓ ରୂପ ଦିଆଯାଉଛି ବୋଲି ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ।
ଭାରତ ବିଶ୍ୱର ସବୁଠାରୁୁ ଉତ୍କୃଷ୍ଟ ଧରଣର ଟ୍ରେନ୍ ନିର୍ମାଣ କରିବାରେ ସକ୍ଷମ ହୋଇପାରିଛି ଏବଂ ଆଗାମୀ ୨୦୨୩ ସ୍ୱାଧୀନତା ଦିବସରେ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ ଭାରତରେ ଗଡ଼ିବା ଆଉ ଏକ ସଫଳ କାହାଣୀ ହେବାକୁ ଯାଉଛି ବୋଲି କହିଛନ୍ତି ଶ୍ରୀ ବୈଷ୍ଣବ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦ ବର୍ଷର ନେତୃତ୍ୱକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ “ମୋଦୀ ଅ ୨୦ - ଡ୍ରିମ୍ସ ମିଟ୍ ଡେଲିଭରୀ”ରେ ବକ୍ତୃତା ଦେଇ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସମୟରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।
ଚେନ୍ନାଇର ଇନ୍‌ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ଏକ ଟ୍ରେନ୍ ବିଶ୍ୱର ଶ୍ରେଷ୍ଠ ୫ଟି ଟ୍ରେନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ଘଂଟା ପ୍ରତି ୧୮୦ କିମି ବେଗରେ ଯାତ୍ରା କରି ବିଶ୍ୱକୁ ଆଚମ୍ବିତ କରିଛି ବୋଲି ସେ କହିଛନ୍ତି । ଏହି ଟ୍ରେନ୍‌ଟି ବିଭିନ୍ନ ମାପଦଣ୍ଡରେ ଅନ୍ୟ ଟ୍ରେନ୍‌ଗୁଡିକ ଠାରୁ ଉଚ୍ଚକୋଟୀର ଏବଂ ଅତ୍ୟଧିକ ବେଗରେ ଟ୍ରେନ୍‌ଟି ଯାଉଥିବା ବେଳେ ଡ୍ରାଇଭର୍‌ଙ୍କ କ୍ୟାବିନ୍‌ରେ ଥିବା ଏକ ଗ୍ଲାସ୍ ପାଣି ସ୍ଥିର ରହିବା ଏହି ଟ୍ରେନ୍‌ର ସକ୍ଷମତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି ।
ସେହିପରି “ବନ୍ଦେ ଭାରତ ଏକ୍ସପ୍ରେସ୍‌” ଟ୍ରେନ୍ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଏହି ଟ୍ରେନ୍‌ଟି ଶୂନରୁ ୧୦୦ କିମି ବେଗ ପହଂଚିବା ପାଇଁ ମାତ୍ର ୫୨ ସେକେଣ୍ଡ ନେଉଥିବା ବେଳେ ଜାପାନ୍‌ରେ ନିିର୍ମିତ ବୁଲେଟ୍ ଟ୍ରେନ୍ ଏଥି ପାଇଁ ୫୫ ସେକେଣ୍ଡ ନେଉଛି ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ଦେଶର ଇଞ୍ଜିନିୟରମାନଙ୍କୁ ବିଶ୍ୱସ୍ତରୀୟ ଟ୍ରେନ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଟ୍ରେନ୍‌ଗୁଡ଼ିକ ସୁରକ୍ଷିତ ଓ ସ୍ଥିର ହେବା ସହ କମ୍ ଇନ୍ଧନ ବ୍ୟବହାର କରିବା ଆବଶ୍ୟକ ଓ ବେଗ ଖୁବ ଭଲ ହେବା ଦରକାର ବୋଲି ପରାମର୍ଶ ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଏହି ଟ୍ରେନ୍‌ର ନକ୍‌ସା ଓ ଆବଶ୍ୟକୀୟ ଉପକରଣ ବିକଶିତ ଦେଶଗୁଡ଼ିକରୁ ଆମଦାନୀ କରିବା ନେଇ ଇଞ୍ଜିନିୟରମାନେ ଚିନ୍ତା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଟ୍ରେନ୍‌ଗୁଡ଼ିକ ଆମ ଦେଶରେ ହିଁ ନିର୍ମାଣ କରିବା ନେଇ ଜୋର ଦେଇଥିଲେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।
୨୦୧୯ ମସିହାରୁ ନୂତନ ଭାବେ ବ୍ୟବହୃତ ହେଉଥିବା ଦୁଇଟି ଟ୍ରେନ୍ ଖୁବ୍ ଭଲ କାର୍ଯ୍ୟ କରୁଛି ଏବଂ ଟ୍ରେନ୍‌ଗୁଡ଼ିକ ଏପର୍ଯ୍ୟନ୍ତ ଯେତିକି ଦୂରତା ଅତିକ୍ରମ କରିସାରିଛନ୍ତି ତାହା ପୃଥିବୀ ଚାରିପଟେ ୧୮ ଥର ଘୁରିବା ସହ ସମାନ । ମାତ୍ର ଟ୍ରେନ୍‌ଗୁଡ଼ିକରେ କୌଣସି ତ୍ରୁଟି ପିରଲକ୍ଷିତ ହୋଇନାହିଁ ।
ଏକ ପ୍ରଶ୍ନର ଉତର ଦେଇ ଶ୍ରୀ ବୈଷ୍ଣବ କହିଥିଲେ ଯେ ଆଇଆଇଟି - ମାଡ୍ରାସ୍‌ରେ ହାଇପରଲୁପ୍ ପ୍ରସ୍ତୁତ କରାଯାଉଛି ଏବଂ ପରିବହନ କ୍ଷେତ୍ରରେ ଏହା ବିପ୍ଳବ ସୃଷ୍ଟି କରିବ ବୋଲି ସେ କହିଥିଲେ । ପରିବହନ କ୍ଷେତ୍ରରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯାନ ସହ ପବନର ଘର୍ଷଣ । ଯଦି ଏକ ଶୂନ୍ୟତା ସୃଷ୍ଟି କରି ଯାନଟିକୁ ତାହା ମାଧ୍ୟମରେ ଗତି କରିବାକୁ ଦିଆଯାଏ ତେବେ ଏଥି ନିମନ୍ତେ କମ୍ ଶକ୍ତି ଆବଶ୍ୟକ ହେବ ଏବଂ ଗତି ଘଂଟା ପ୍ରତି ୭୦୦ କିମିକୁ ବୃଦ୍ଧି ହୋଇପାରିବ ବୋଲି ସେ କହିଥିଲେ ।
ରେଳ ଷ୍ଟେସନ୍‌ଗୁଡ଼ିକର ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି ବୋଲି କହି କେନ୍ଦ୍ରମନ୍ତ୍ରୀ ଆଗାମୀ ଦିନରେ ଦେଶର ୧୩୨ ଟି ଜିଲ୍ଲା ମୁଖ୍ୟ ସହର ସହ ରେଳ ସଂଯୋଗ କରାଯିବା ନେଇ ଡିଟେଲଡ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ପ୍ରକାଶ କରିଥିଲେ ।
ଦେଶରେ ଟ୍ରେନ୍‌ର ସମୟାନୁବର୍ତିତା ୮୯ ପ୍ରତିଶତ ଥିବା ବେଳେ ଏହାକୁ ୧୦୦ ପ୍ରତିଶତରେ ପରିଣତ କରାଯିବାର ଆବଶ୍ୟକତା ଥିବା ଏକ ପ୍ରଶ୍ନର ଉତର ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ସୋଆର ପ୍ରଫେସର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇଥିଲେ । ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault