ହେଡଲାଇନସ୍:

ମୋ’ କଲେଜ ଅଭିଯାନ ଅଧୀନରେ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଅଭିଲେଖାଗାର କକ୍ଷ ଲୋକାର୍ପଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା, ଗବେଷଣା ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ ଅଭିଲେଖାଗାର: ଆକାଶ ଦାସନାୟକ

ଖୋର୍ଦ୍ଧା(ରବିନାରାୟଣ ସାହୁ ): ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଅଧୀନରେ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ଅଭିଲେଖାଗାର କକ୍ଷ ଲୋକାର୍ପଣ କରାଯାଇଛି। ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକାମାନଙ୍କ ସୁବିଧା ଲାଗି ଆବଶ୍ୟକ ତଥ୍ୟ ସହିତ ବିଭିନ୍ନ ପାରମ୍ପରିକ ସମାଗ୍ରୀକୁ ଏଠାରେ ସଂରକ୍ଷିତ କରି ରଖାଯାଇଛି।

ଶନିବାର ଦିନ ଖୋର୍ଦ୍ଧା ବିଧାୟକ ତଥା ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଆକାଶ ଦାସନାୟକ କହିଥିଲେ, ‘‘ରାଜ୍ୟର ଏକ ପ୍ରମୁଖ ଉଚ୍ଚଶିକ୍ଷାନୁଷ୍ଠାନ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଯେଉଁ ଅଭିଲେଖାଗାର କକ୍ଷ ପ୍ରତିଷ୍ଠା କରାଯାଇଛି ତାହା ଅନ୍ତର୍ଜାତୀୟ ମାନର। ଏଥିରେ ବିଭିନ୍ନ ପୋଥି, ପୁରୁଣା ମୁଦ୍ରା, ପାରମ୍ପରିକ ଅଳଙ୍କାର, କଂସା ଏବଂ ପିତ୍ତଳରେ ନିର୍ମିତ ପ୍ରାଚୀନ ମୂର୍ତ୍ତି, ଆଦିବାସୀ ସାମଗ୍ରୀ ଆଦି ସଂଗ୍ରହ କରି ରଖାଯାଇଛି। ତେଣୁ ଛାତ୍ରଛାତ୍ରୀମାନଙ୍କ ଉଚ୍ଚଶିକ୍ଷା, ଗବେଷଣା କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇପାରିବ।’’

ମୋ’ କଲେଜ ଅଭିଯାନ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି। ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀମାନେ ଏଥିରେ ଯୋଡ଼ି ହେଉଛନ୍ତି। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ପୁରାତନ ଛାତ୍ରଛାତ୍ରୀମାନେ ଆଗେଇ ଆସୁଥିବାରୁ ଶ୍ରୀ ଦାସନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ନିଜ କଲେଜ ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ। ତା’ସହ ଏହି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗାମୀ ଦିନରେ କିପରି ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇବ ସେଥିପାଇଁ ସମସ୍ତେ ଉଦ୍ୟମ ଜାରି ରଖିବା ଲାଗି ସେ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରଞ୍ଜିତା ସେଠୀ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ ମୋ’ କଲେଜ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ।

ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଏକ ପ୍ରଶାସନିକ କୋଠା ନିର୍ମାଣ କରିବା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଭିତ୍ତିଭୂମି ନିର୍ମାଣ ଲାଗି ପୁରାତନ ଛାତ୍ର ସଂସଦ ପକ୍ଷରୁ ମୋ’ କଲେଜ ଅଭିଯାନ ପାଣ୍ଠିକୁ ଆର୍ଥିକ ସହାୟତା ଦିଆଯାଇଛି। ଅଭିଲେଖାଗାର ଲୋକାର୍ପଣ କାର୍ଯ୍ୟକ୍ରମ ବେଳେ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କୁ ଅଭିଯାନର ସଂଯୋଜକ ଡକ୍ଟର ସନ୍ତୋଷ କୁମାର ମିଶ୍ର ୩, ୨୩, ୫୦୦ ଟଙ୍କା ଏବଂ ୧୦ ହଜାର ଟଙ୍କାର ଦୁଇଟି ଚେକ୍ ପ୍ରଦାନ କରିଥିଲେ। ସେହିପରି କଲେଜର ପୁରାତନ ଛାତ୍ର ସଞ୍ଜୟ ପଟ୍ଟନାୟକ ପୁରାତନ ଛାତ୍ର ସଂସଦ ପାଣ୍ଠିକୁ ୫୦ ହଜାର ଟଙ୍କା ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି।

0
0
0
s2sdefault