ହେଡଲାଇନସ୍:

ପ୍ରକାଶ ପାଇଲା ଯୁକ୍ତ-୨ ପରୀକ୍ଷା ଫଳ : ବିଜ୍ଞାନ ପାସ ହାର ଶତକଡ଼ା ୯୪.୧୨, ବାଣିଜ୍ୟରେ ପାସ ହାର ୮୯.୨୦%

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜ୍ଞାନରେ ଛାତ୍ରମାନଙ୍କ ପାସ ହାର ୯୩.୮୦% ଓ ଛାତ୍ରୀମାନଙ୍କ ପାସ ହାର ୯୪.୫୨%

ବାଣିଜ୍ୟରେ ଛାତ୍ରମାନଙ୍କ ପାସ ହାର ୮୮.୩୨% ଏବଂ ଛାତ୍ରୀମାନଙ୍କ ପାସ ହାର ୯୦.୭୧% 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ୱାରା ପରିଚାଳିତ ବିଜ୍ଞାନ ଓ ବାଣିଜ୍ୟ ସ୍ରୋତର ଯୁକ୍ତ-୨ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କୃତୀ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଚଳିତ ବର୍ଷର ଫଳାଫଳ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ନୂତନ ଉତ୍ସାହ ଓ ଉଦ୍ଦୀପନା ନେଇ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ ।
ଚଳିତ ବର୍ଷ ବିଜ୍ଞାନ ସ୍ରୋତରେ ଯୁକ୍ତ-୨ ପରୀକ୍ଷା ଦେବା ପାଇଁ ରାଜ୍ୟର ୭୮୦୭୭ ଜଣ ଛାତ୍ରଛାତ୍ରୀ ପଂଜୀକରଣ କରିଥିବାବେଳେ ୭୬୬୦୪ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ୪୨୨୦୩ ଜଣ ଛାତ୍ର ଥିବାବେଳେ ୩୪୪୦୧ ଜଣ ଛାତ୍ରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭୨୧୦୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷର ପାସ ହାର ଶତକଡ଼ା ୯୪.୧୨ ରହିଛି । ଚଳିତ ବର୍ଷ ଛାତ୍ରମାନଙ୍କ ପାସ ହାର ୯୩.୮୦% ଓ ଛାତ୍ରୀମାନଙ୍କ ପାସ ହାର ୯୪.୫୨% ରହିଛି । ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୫୦୧୫୭, ଦ୍ୱିତୀୟ ଶ୍ରେଣୀରେ ୧୪୯୩୨ ଏବଂ ତୃତୀୟ ଶ୍ରେଣୀରେ ୬୯୧୦ ଜଣ ପାସ କରିଛନ୍ତି । ନୟାଗଡ଼ ଜିଲ୍ଲାର ସର୍ବାଧିକ ୯୯.୧୧% ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
ସେହିପରି ଚଳିତ ବର୍ଷ ବାଣିଜ୍ୟ ସ୍ରୋତରେ ଯୁକ୍ତ-୨ ପରୀକ୍ଷା ଦେବା ପାଇଁ ୨୪୧୬୨ ଜଣ ଛାତ୍ରଛାତ୍ରୀ ପଂଜୀକରଣ କରିଥିବାବେଳେ ୨୩୭୨୬ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ୧୪୯୫୮ ଜଣ ଛାତ୍ର ଏବଂ ୮୭୬୮ ଜଣ ଛାତ୍ରୀ ରହିଛନ୍ତି । ଚଳିତ ବର୍ଷ ୨୧୧୬୫ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ପାସ ହାର ୮୯.୨୦% ରହିଛି । ଛାତ୍ରମାନଙ୍କ ପାସ ହାର ୮୮.୩୨% ଏବଂ ଛାତ୍ରୀମାନଙ୍କ ପାସ ହାର ୯୦.୭୧% ରହିଛି । ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୧୦୮୬୩, ଦ୍ୱିତୀୟ ଶ୍ରେଣୀରେ ୫୦୫୩ ଏବଂ ତୃତୀୟ ଶ୍ରେଣୀରେ ୫୨୪୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାର ଶତପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।
ବାର୍ଷିକ ପରୀକ୍ଷା ୨୦୨୧ କୋଭିଡ୍‌ ପରିସ୍ଥିତି ଯୋଗୁଁ ପରିଚାଳିତ ହୋଇପାରି ନଥିଲା । ବାର୍ଷିକ ପରୀକ୍ଷା, ୨୦୨୦ରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ସହିତ ଚଳିତ ବର୍ଷ ପରୀକ୍ଷାର ଫଳକୁ ତୁଳନା କଲେ ବିଜ୍ଞାନ ସ୍ରୋତରେ ୨୦୨୦ ମସିହାରେ ପାସ୍‌ ହାର ୭୦.୨୧% ଥିବାବେଳେ ଚଳିତ ବର୍ଷ ତାହା ଯଥେଷ୍ଟ ବୃଦ୍ଧି ପାଇ ୯୪.୧୨% ହୋଇଛି । ସେହିପରି ବାଣିଜ୍ୟ ସ୍ରୋତରେ ୨୦୨୦ ମସିହାରେ ୭୪.୯୫% ପାସ୍‌ ହାର ହୋଇଥିବାବେଳେ ଚଳିତ ବର୍ଷ ଏହା ବୃଦ୍ଧି ପାଇଁ ୮୯.୨୦% ହୋଇଛି ।
ପ୍ରଥମ ଥର ପାଇଁ ୨୦୨୧-୨୨ ଶିକ୍ଷାବର୍ଷରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟସ୍ତରରେ ତ୍ରୈମାସିକ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ଏ ବର୍ଷର ପରୀକ୍ଷା ଫଳ ନିର୍ଦ୍ଧାରଣ କରିବା ସମୟରେ ସେମାନଙ୍କର ତୈ୍ରମାସିକ ପରୀକ୍ଷାର ଫଳ ଆଧାରରେ ଶତକଡ଼ା ୨୦% ଏବଂ ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ ଆଧାରରେ ୮୦% ହିସାବକୁ ନେଇ ପ୍ରତ୍ୟେକ ବିଷୟରେ ମୂଲ୍ୟାୟନ ହୋଇଛି । ସେହିପରି କେବଳ ପରିଷଦ ଦ୍ୱାରା ପରିଚାଳିତ ପରୀକ୍ଷା ଆଧାରରେ ପ୍ରତ୍ୟେକ ବିଷୟର ମୂଲ୍ୟାୟନ ହୋଇଛି । ଏହିଭଳି ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁ ପଦ୍ଧତିରେ ପରୀକ୍ଷାର୍ଥୀମାନେ ଅଧିକ ନମ୍ବର ପାଇଛନ୍ତି ତାହା ଉକ୍ତ ପରୀକ୍ଷାର୍ଥୀଙ୍କୁ ପ୍ରଦତ୍ତ କରାଯାଇଛି । ଏହିଭଳି ଦୁଇଟି ଭିନ୍ନ ପଦ୍ଧତି ମୂଲ୍ୟାୟନ ଯୋଗୁଁ ପରୀକ୍ଷାର୍ଥୀମାନେ ଭଲ ପ୍ରଦର୍ଶନ କରିଥିବା ଦୃଷ୍ଟିକୁ ଆସିଛି ।
ପରୀକ୍ଷା ଫଳ ଉନ୍ମୋଚନ ସମୟରେ ପରିଷଦର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ମିଶ୍ର, ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଏସ୍‌ସିଇଆର୍‌ଟିର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆୟାର, ଓଏସ୍‌ଡି ଶ୍ରୀ ତୁଷାରକାନ୍ତି ତ୍ରିପାଠୀ, ପରିଷଦର ସଚିବ ଚିନ୍ମୟୀ କହଁର ଓ ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault