ଭୁବନେଶ୍ୱର: ଜଳାଭାବ ପରିସ୍ଥିତି ବସ୍ତୁତଃ ଓଡ଼ିଶାର ସମ୍ବଲପୁର ଜିଲ୍ଲା, ରେଙ୍ଗାଲି ବ୍ଲକରେ ଏକ ସବୁଦିନିଆ ସମସ୍ୟା ହୋଇଛି । ଅନିୟମିତ ବୃଷ୍ଟି କାରଣରୁ ଜଳାଭାବ ଉକ୍ତ ଅଞ୍ଚଳରେ କୃଷି ଅର୍ଥନୀତି ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି । ଏଥିରୁ ଆଶ୍ୱସ୍ତି ପ୍ରଦାନ ସକାଶେ ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନୀ ଆଦିତ୍ୟ ଆଲୁମିନିୟମ ରେଙ୍ଗାଲି ବ୍ଳକ ଅଧୀନସ୍ଥ ସହରାଞ୍ଚଳ ଓ ଗ୍ରାମାଞ୍ଚଳଗୁଡିକରେ ଜଳାଶୟଗୁଡିକର ପୁନରୁଦ୍ଧାର ଏବଂ ବହି ଯାଉଥିବା ଜଳ, ବର୍ଷାଜଳ ଏବଂ ବର୍ଜ୍ୟଜଳ ସଂରକ୍ଷଣ ଦିଗରେ ଆଗେଇ ଆସିଛି । ଏହା ପରିବ୍ୟବସ୍ଥା ଏବଂ କୃଷକମାନଙ୍କୁ ଫାଇଦା ପହଞ୍ଚାଉଛି ।
ଶ୍ରୀ ସମୀର ନାୟକ, ୟୁନିଟ ହେଡ୍, ଆଦିତ୍ୟ ଆଲୁମିନିୟମ କହିଛନ୍ତି, “ଜୈବ ବିବିଧତା ପରିଚାଳନା କ୍ଷେତ୍ରରେ ଅବଦାନ ରଖିବାକୁ ନିରଳସ ଭାବରେ ଆମେ କାର୍ଯ୍ୟ କରିଛୁ । ତାହାର ପରିଣତି ଆଦିତ୍ୟ ଟାଉନସିପ୍ରେ ପ୍ରତିଫଳିତ ହେଉଛି, ଯେଉଁଠାରେ ବିବିଧ ଉଦ୍ଭିଦ ଓ ପ୍ରାଣୀଙ୍କର ଉତ୍ସାହପ୍ରଦ ସ୍ଥିତି ପରିଲକ୍ଷିତ ହେଉଛି । ଆମେ ଟାଉନସିପରେ ୬୦୦୦୦ ଘନମିଟର କ୍ଷମତା ବିଶିଷ୍ଟ ବର୍ଷାଜଳ ଅମଳ ପୁଷ୍କରିଣୀ ବିକଶିତ କରିଛୁ । ଗତ ପାଞ୍ଚବର୍ଷ ମଧ୍ୟରେ ୧୮୦୫୭ ଘନମିଟର କ୍ଷମତାରୁ ଅଧିକ ବର୍ଷାଜଳ ଅମଳ ଢାଞ୍ଚାଗୁଡିକର ଆଧୁନିକିକରଣ / ନିର୍ମାଣ କରାଯାଇଛି ।ଏହାବ୍ୟତୀତ ଆମ କମ୍ପାନୀ ଗୋଷ୍ଠୀଗୁଡିକର ଫାଇଦା ସକାଶେ ୫୦ଟି ପୁଷ୍କରିଣୀ ବିକଶିତ କରିଛି ଯାହା ୧୭୮ ଜଣ ଚାଷୀଙ୍କ ପାଇଁ ସହାୟକ ହେଉଛି, ଯେଉଁମାନେ ସମ୍ପ୍ରତି ୩୫୨ ଏକର ଜମିରେ ଚାଷକାର୍ଯ୍ୟ କରିବା ସହିତ ବହୁବିଧ ଫସଲ ଉତ୍ପାଦନ କରୁଛନ୍ତି । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଏବଂ ଆଦିତ୍ୟ ଆଲୁମିନିୟମ ଦ୍ୱାରା ସୁଗମ କରାଯାଉଥିବା ଜଳସେଚନ ସୁବିଧା ସ୍ଥାୟୀୟ କୃଷକଙ୍କ ଆୟରେ ଯଥେଷ୍ଟ ବୃଦ୍ଧି ଘଟାଇଛି ଏବଂ ୨୦୧୩-୧୪ ବର୍ଷରେ ସେମାନେ ୧୧ ହଜାର ଟଙ୍କା ଆୟ କରିଥିବାବେଳେ ସମ୍ପ୍ରତି ଏହା ବାର୍ଷିକ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧିପାଇଛି । ଧୋରୋପାଣିଠାରେ ଏହି ପୁଷ୍କରିଣୀଗୁଡିକର ଜଳକୁ ବ୍ୟବହାର କରି ୫୦ ଏକର ଜମିରେ ଚାଷ କାର୍ଯ୍ୟ କରାଯାଉଛି । ଏହାବ୍ୟତୀତ ‘ଆଜାଦିକା ଅମୃତ ମହୋତ୍ସବ’ ପାଳନର ଅଂଶସ୍ୱରୂପ ରେଙ୍ଗାଳି ବ୍ଳକ୍କୁ ଆବଣ୍ଟନ କରାଯାଇଥିବା ୯ଟି ଅମୃତ ସରୋବର (ପୁଷ୍କରିଣୀ) ମଧ୍ୟରୁ ୫ଟି ପୁଷ୍କରିଣୀର ଖନନ ଓ ଆଧୁନିକିକରଣ ନିମନ୍ତେ ଆମେ ସରକାରଙ୍କ ସହିତ ସହଭାଗିତା କରିଛୁ,” ବୋଲି ଶ୍ରୀ ନାୟକ କହିଛନ୍ତି ।
ଧୋରୋପାଣି ଗ୍ରାମର ଜଣେ ଅଗ୍ରଣୀ ଚାଷୀ ଶ୍ରୀରାମ ପଧାନ ସାମର୍ଥ୍ୟ ନିର୍ମାଣ, ସର୍ବୋତ୍ତମ କୃଷି ଅଭ୍ୟାସର କାର୍ଯ୍ୟକାରିତା, କୃଷି ଉପାଦାନ, ବୁନ୍ଦା ଜଳସେଚନ ଏବଂ ବୀମା ସୁନିଶ୍ଚିତ କରିବା ଭଳି ଆଦିତ୍ୟ ଆଲୁମିନିୟମର ସକ୍ରିୟ ଓ ସକାରାତ୍ମକ ପ୍ରୟାସଗୁଡିକ ବଳରେ ବିଗତ ବହୁବର୍ଷ ଧରି ବିବିଧ ଫସଲ ଚାଷ କରିଆସୁଛନ୍ତି । ସେ ଆଦିତ୍ୟ ଆଲୁମିନିୟମ ଦ୍ୱାରା ଖନନ କରାଯାଇଥିବା ପୁଷ୍କରିଣୀଗୁଡିକରୁ ଜଳ ଉତ୍ତୋଳନ କରୁଛନ୍ତି । ଶ୍ରୀ ପଧାନ ସମ୍ପ୍ରତି ବାର୍ଷିକ ୧.୫ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଛନ୍ତି ।ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜକୁ ପ୍ରତିଦାନ ଦେବାକୁ ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶାରେ ୧୨୮ଟି ଗ୍ରାମରେ ୨ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରିବା ସହିତ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି । ଗ୍ରୁପ୍ର ସିଏସ୍ଆର କାର୍ଯ୍ୟକ୍ରମ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଆଦିତ୍ୟ ବିର୍ଲା ସେଣ୍ଟର ଫର୍ କମ୍ୟୁନିଟି ଇନିସିଏଟିଭ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ଅଧୀନରେ କାର୍ଯ୍ୟକାରୀ ହେଉଛି । ଶ୍ରୀମତୀ ବିର୍ଲାଙ୍କର ଦୂରଦୃଷ୍ଟିସମ୍ପନ୍ନ ଲକ୍ଷ୍ୟ ହେଉଛି ଆମେ ଆମର ବ୍ୟବସାୟ ପରିଚାଳନା କରୁଥିବା ଅଞ୍ଚଳର ଗୋଷ୍ଠୀଗୁଡିକର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ସକ୍ରିୟ ଭାବରେ ଅବଦାନ ରଖିବା । ତାହା କରିବା ସମୟରେ ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ଜୀବନ ନିର୍ବାହର ଏକ ଉନ୍ନତ ଓ ଦୀର୍ଘସ୍ଥାୟୀ ପନ୍ଥା ନିର୍ମାଣ ଏବଂ ଦେଶର ମାନବ ସମ୍ବଳ ସୂଚୀରେ ଉତ୍ଥାନ ଘଟାଇବାକୁ ସେ ଚାହାଁନ୍ତି । ଗ୍ରୁପ୍ର ସିଏସଆର୍ ଲକ୍ଷ୍ୟ ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ସକାଶେ ୟୁଏନ୍ଏସଡିଜି ଲକ୍ଷ୍ୟସମୂହ ମୁତାବକ ହୋଇଛି ।
ରାଜ୍ୟ
ରେଙ୍ଗାଲି ଅଞ୍ଚଳରେ ଜଳ ସଙ୍କଟର ସମାଧାନ ପାଇଁ ଆଦିତ୍ୟ ଆଲୁମିନିୟମର ପ୍ରୟାସ
- Hits: 393