ପୁରୀ: ଆସନ୍ତାକାଲି ହେବ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି । ଜିଲ୍ଲାରେ ୩ଦିନ ଧରି ଚାଲୁ ରହିବ ଗଣତି । ଆସନ୍ତାକାଲି ଜିଲ୍ଲାର ୧୧ ଜୋନରେ ଗଣତି କରାଯିବାକୁ ଥିବାବେଳେ ୨୭ ତାରିଖରେ ମଧ୍ଯ ୧୧ଟି ଓ ୨୮ ତାରିଖରେ ୧୧ଟି ଜୋନରେ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ।
ଜିଲ୍ଲାରେ ସରିଛି ପଞ୍ଚାୟତ ନିର୍ବାଚନ । ଷ୍ଟ୍ରଙ୍ଗ ରୁମରେ ବନ୍ଦ ରହିଛି ପ୍ରାର୍ଥୀଙ୍କ ଭାଗ୍ଯ । କାଲି ହେବ ଗଣତି । ଜିଲ୍ଲାର ୨୬୮ଟି ଗ୍ରାମ ପଞ୍ଚାୟତର ୭୩୪୪ ଜଣ ୱାର୍ଡମେମ୍ବର, ୯୪୫ ଜଣ ସରପଞ୍ଚ, ୮୧୮ ଜଣ ସମିତି ସଭ୍ୟ ଏବଂ ୩୩ଟି ଜିଲ୍ଲା ପରିଷଦ ଜୋନର ୧୫୬ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ । ଏନେଇ ଜିଲ୍ଲାର ସମସ୍ତ ପଞ୍ଚାୟତବାସୀଙ୍କ ସମେତ ପ୍ରାର୍ଥୀ ଓ ପ୍ରାର୍ଥିନୀ ବେସ ଉତ୍ସାହିତ । କାଲି ସକାଳୁ ହେବ ଭାଗ୍ଯର କାଉଣ୍ଟଡାଉନ । କଡା ସୁରକ୍ଷା ଭିତରେ ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ଆସନ୍ତାକାଲି ପ୍ରଥମ ଦଫାରେ ଜୋନ ନଂ ୧,୩,୬,୯,୧୧,୧୫, ୧୮,୨୨,୨୫,୨୮ ଏବଂ ୩୧ ରେ ଗଣତି କରାଯିବ । ୨୭ ତାରିଖରେ ୨ୟ ଦଫାରେ ଜୋନ ନଂ ୨,୪,୭,୧୦,୧୨, ୧୬,୧୯, ୨୩,୨୬,୨୯ ଓ ୩୨ ରେ ଗଣତି କରାଯିବ । ସେହିପରି ୩ୟ ଦଫାରେ ଅର୍ଥାତ ୨୮ ତାରିଖରେ ଜୋନ ନଂ ୫,୮, ୧୩,୧୪, ୧୭,୨୦,୨୧,୨୪, ୨୭,୩୦ ଏବଂ ୩୩ରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବାକୁ ସ୍ଥିର କରାଯାଇଛି ।
ଗଣତି ନିମନ୍ତେ ସଂପୃକ୍ତ ବ୍ଲକରେ ଆନୁଷଙ୍ଗିକ ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ କଡାସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଜିଲ୍ଲାରେ ପାଞ୍ଚ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇ ଗତକାଲି ଶେଷ ହୋଇଛି ।