ସାମାଜିକ ଗଣମାଧ୍ୟମରେ ନିଖୋଜ ନାବାଳକର ଭିଡିଓ ଭାଇରାଲ କଲେ ଢାବା ମାଲିକ ।
ଉମରକୋଟ / ଜିତେନ୍ଦ୍ର ମହାନ୍ତି: ଚନ୍ଦାହାଣ୍ଡିରୁ ନିଖୋଜ ନାବାଳକ ହରିୟାଣାରେ ଠାବ । ନିଖୋଜ ନାବାଳକର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରି ମାନବିକତାର ପରିଚୟ ଦେଲେ ଢାବା ମାଲିକ । ଖବର ପାଇ ନାବାଳକଙ୍କୁ ଆଣିବାକୁ ଚନ୍ଦାହାଣ୍ଡି ପୋଲିସର ହରିୟାଣା ଗସ୍ତ ।
ଏହି ଭିଡିଓ ଟିକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଛନ୍ତି ହରିୟାଣା ରାଜ୍ୟ ରେଓ୍ବାଡି ଜିଲ୍ଲାର ଜଣେ ଢାବା ମାଲିକ ସରଜିତ ଗୁଜ୍ଜର, ଆଉ ଏଥିରେ ଥିବା ନାବାଳକ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳର । ଏହି ନାବାଳକଙ୍କୁ କେହି ଜଣେ ଟ୍ରକ୍ ଡ୍ରାଇଭର ରାତିରେ ଢାବା ନିକଟରେ ଛାଡି ଚାଲିଯାଇଥିବା ଓ ପରେ ଢାବା ମାଲିକ ସରଜିତ ଗୁଜ୍କର ଉକ୍ତ ନାବାଳକଙ୍କୁ ଖାଇବାକୁ ଦେବା ସହ ପରିଚୟ ପାଇବା ପରେ ଏକ ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେବାକୁ ଚେଷ୍ଟା କରିଛନ୍ତି ।
ପ୍ରାପ୍ତ ସୂଚନା ମୁତାବକ୍ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଖପରାଡିହି ଗ୍ରାମର ଜନାର୍ଦ୍ଧନ ମାଝୀଙ୍କ ନାବାଳକ ପୁଅ ପ୍ରଦୀପ ମାଝୀ ଗତ ୮ ତାରିଖ ଦିନ ନିଜ ସାଙ୍ଗ ମାନଙ୍କ ସହ ନିକଟସ୍ଥ ଦଣ୍ଡମୁଣ୍ଡା ଗ୍ରାମକୁ କ୍ରିକେଟ ଖେଳ ଦେଖିବାକୁ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରି ନଥିଲେ । ପରିବାର ବର୍ଗ ଆଖ ପାଖ ଅଂଚଳରେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ । ପରେ ସାମାଜିକ ଗଣମାଧ୍ୟମରେ ଏହି ଭାଇରାଲ ଭିଡିଓ ଦେଖିବା ପରେ ନିଜ ପୁଅକୁ ଚିହ୍ନି ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ପରେ ଚନ୍ଦାହାଣ୍ଡି ପୋଲିସର ଏକ ଟିମ୍ ଆଜି ଉକ୍ତ ନାବାଳକଙ୍କୁ ଆଣିବାକୁ ହରିୟାଣା ଗସ୍ତ କରିଥିବା କହିଛନ୍ତି ଥାନା ଅଧିକାରୀ ପରମାନନ୍ଦ ସୂନାନୀ ।