-
ସୁନ୍ଦରଗଡରେ ୪୯୩ କୋଟି ଟଙ୍କାର ଦୁଇଟି ବ୍ୟାରେଜ ପ୍ରକଳ୍ପର ଶିଳାନ୍ୟାସ।
-
ସୁନ୍ଦରଗଡ ମ୍ୟୁନିସପାଲ୍ଟି ସହିତ ୪ଟି ବ୍ଲକ୍ ର ୪୭ ହଜାର ଲୋକ ହେବେ ଉପକୃତ
ସୁନ୍ଦରଗଡ ହେଉଛି ଓଡ଼ିଶାର ବିକାଶର ବତୀଘର - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ସଦର ବ୍ଲକ୍ ଅନ୍ତର୍ଗତ କୋପସିଂଗା ଓ କୁଡାବଙ୍ଗା ଠାରେ ୪୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଦୁଇଟି ବ୍ୟାରେଜର ଶିଳାନ୍ୟାସ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ ଶେଷ ହେବ ଏବଂ ଏହାଦ୍ବାରା ସୁନ୍ଦରଗଡ ମ୍ୟୁନିସପାଲଟି, ସୁନ୍ଦରଗଡ ସଦର ବ୍ଲକ୍, ଲେଫ୍ରିପଡା, ବାଲିଶଂକରା ଓ ଟାଙ୍ଗରପାଲି ଆଦି ବ୍ଲକ୍ର ୪୭ ହଜାର ଲୋକ ଉପକାର ପାଇବେ । ଏହାସହିତ ୪୮୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ । ଉପରୋକ୍ତ ବ୍ଲକଗୁଡିକରେ ଘରେ ଘରେ ପାନୀୟ ଜଳଯୋଗାଣ ସୁବିଧା ହୋଇପାରିବ ଓ ମତ୍ସ୍ୟଜୀବୀ ମାନେ ଏହି ବ୍ୟାରେଜରେ ମାଛ ଚାଷ କରି ଜୀବିକା ଉପର୍ଜନ କରିପାରିବେ ।
ଏହି ଦୁଇଟି ବ୍ୟାରେଜ ଉପରେ ବ୍ରିଜ କରାଯାଉଥିବାରୁ ଲେଫ୍ରିପଡା ଓ ଟାଙ୍ଗରପଲ୍ଲୀ ବ୍ଲକ୍ର ଲୋକମାନେ ରାଉରକେଲା ସହିତ ସିଧାସଳଖ ଯୋଗାଯୋଗ ସୁବିଧା ପାଇବେ ।
ଏହି ଅବସରରେ ଉଦ୍ ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ଇନ-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ନିର୍ମାଣ ଯୋଜନା ଆରମ୍ଭ କରିଛନ୍ତି । ଏଥିପାଇଁ ୧୧,୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ବିଭିନ୍ନ ନଦୀ ସ୍ରୋତର ୩୦ଟି ସ୍ଥାନରେ ଏହି ବ୍ୟାରେଜ ନିର୍ମାଣ କରାଯିବ । ଯାହାଫଳରେ ଚାଷୀ ଜମିକୁ ସବୁ ଦିନ ପାଇଁ ପାଣି ପାଇପାରିବ । ଭୂତ୍ତଳ ଜଳସ୍ତର ଠିକ୍ ରହିବ । ଆଖପାଖ ଗାଁ ମାନଙ୍କରେ ବିଶୁଦ୍ଧ ପାଇପ ପାଣି ଯୋଗାଣ ହୋଇପାରିବ । ଆଜି ସୁନ୍ଦରଗଡରେ ଆରମ୍ଭ ହୋଇଥିବା ଦୁଇଟି ପ୍ରକଳ୍ପ ଏହି ଯୋଜନାର ଅଂଶବିଶେଷ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ ହେଉଛି ଓଡିଶାର ବିକାଶର ବତୀ ଘର । ରାଉରକେଲା ସହର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଓ ରାଉରକେଲାର NIT ଓଡିଶାର ଗୌରବ ବୃଦ୍ଧି କରିଛି । ଏହି ତିନୋଟିଯାକ ଗୁରୁତ୍ବପୁର୍ଣ୍ଣ ପ୍ରକଳ୍ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଜଡିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସୁନ୍ଦରଗଡ ସାରା ଦେଶକୁ ବହୁତ କିଛି ଦେଇଛି । ସୁନ୍ଦରଗଡର କୋଇଲା, ଦେଶକୁ ଶକ୍ତି ଯୋଗାଉଛି ।
ସୁନ୍ଦରଗଡ ରେ ଏସିଆର ସବୁଠୁ ବଡ ହକି ଷ୍ଟାଡିୟମ ହେବା କୁ ଯାଉଛି । ସୁନ୍ଦରଗଡର ହକି ଖେଳାଳୀମାନେ ଦେଶ ପାଇଁ ଗୌରବ ଆଣିଛନ୍ତି ଓ ଗର୍ବିତ କରିଛନ୍ତି । ତେଣୁ ସୁନ୍ଦରଗଡରେ AIIMS ସୁନ୍ଦରଗଡବାସୀଙ୍କର ହକ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୁନ୍ଦରଗଡରେ ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍ ଠାରୁ ଆରମ୍ଭ କରି ମିଶନ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରୀତା ପାଇଁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିବା ସହିତ ଜିଲ୍ଲାର ବହୁ ଲୋକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡର ସୁଯୋଗ ନେଇ ଉନ୍ନତ ଚିକିତ୍ସା ସୁବିଧା ପାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।
ରାଜ୍ୟ ସରକାର ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମର ସୁଯୋଗ ନେଇ ନୂଆ ଓଡିଶା ଗଠନରେ ନିଜ ନିଜର ଅବଦାନ ରଖିବା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ସାରଦା ନାୟକ ଜିଲ୍ଲାର ବିଭିନ୍ନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଭଳି ପଦକ୍ଷେପ ନେଇଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ତାଙ୍କ ସ୍ବାଗତ ଭାଷଣରେ ଇନ-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର ପ୍ରକଳ୍ପ ସଂପର୍କରେ ଅବତାରଣା କରିଥିଲେ । ବିଭାଗୀୟ ଯନ୍ତ୍ରୀମୁଖ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବୈଠକରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।