ଚିନ୍ମୟ ଦାସ ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ସୁଧନ୍ୟା କ୍ରିଏଟିଭ୍ସର ପ୍ରଥମ ଅବଦାନ
ଭୁବନେଶ୍ୱର(ଶାସକ ପ୍ରଶାସକ) - ସୁଧନ୍ୟା କ୍ରିଏଟିଭ୍ସର ପ୍ରଥମ ଅବଦାନ ତଥା ଚିନ୍ମୟ ଦାସ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂତନ ଓଡ଼ିଆ ଚଳଚ୍ଚିତ୍ର ବିଶ୍ୱାସ-ଦ ଲାଇଟ୍ ଓଭର ଡାର୍କନେସ୍ ର ଅଡିଓ ଉନ୍ମୋଚନ ଆଜି ସ୍ଥାନୀୟ ପ୍ରେସକ୍ଲବ୍ଠାରେ ଆୟୋଜିତ ହୋଇଯାଇଅଛି । ଏହି ଚଳଚ୍ଚିତ୍ରରେ ସ୍ଥାନିତ ୫ଟି ଗୀତ ବେଶ୍ ସୁମଧୁର ହୋଇଥିବା ସହ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନକୁ ବେଶ୍ ଛୁଇଁପାରିଛି । ପ୍ରତ୍ୟେକ ଗୀତରେ ବେଶ୍ ଉଚ୍ଚକୋଟୀର ଗୀତ ରଚନାଠାରୁ ନେଇ, ସ୍ୱର ସଂଯୋଜନା, କଣ୍ଠଦାନ ଅତ୍ୟନ୍ତ ଲାଳିତ୍ୟପୂର୍ଣ୍ଣ ହୋଇପାରିଛି ।
ଏହି ଭବ୍ୟ ସମାରୋହରେ ଓଡିଶାର ପର୍ଯ୍ୟଟନ ଓ ସଂସ୍କୃତି, ଓଡିଆ ଭାଷା ଓ ସାହିତ୍ୟ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ଭୁବନେଶ୍ୱର (ଉତର)ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଓ ଟିମ୍ ଏଡମାର୍କ ସିଏମଡି ଶ୍ରୀ ନିଶିକାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱାସ ଚଳଚ୍ଚିତ୍ରର ଲେଖକ ତଥା ନିର୍ଦ୍ଦେଶକ ଶ୍ରୀ ଚିନ୍ମୟ ଦାସ ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ ଶତପଥୀ, ସୁଧନ୍ୟା କ୍ରିଏଟିଭ୍ସର ପ୍ରଯୋଜକ ଡକ୍ଟର ବିବେକାନନ୍ଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ନିଦେ୍ର୍ଧଶକ ଶ୍ରୀ ଚିନ୍ମୟ ଦାସ ପଟ୍ଟନାୟକ କାହାଣୀଟିକୁ ସଂପୂର୍ଣ୍ଣ ରୂପରେଖ ଦେବା ସହ ଅତି ନିଖୁଣ ଭାବେ ଏହାର ଚିତ୍ରନାଟ୍ୟ, ସଂଳାପ, ଗୀତ ଆଦି ରଚନା କରିଛନ୍ତି । ଏହି ଚଳଚ୍ଚିତ୍ର ଏବଂ ଏଥିରେ ଝୁମିବା ପରି ଥିବା ପ୍ରତ୍ୟେକ ଗୀତ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଓଡ଼ିଶାର ଆକର୍ଷଣୀୟ ସ୍ଥାନ ମୟୁରଭଞ୍ଜ ଏବଂ ଶ୍ରୀକ୍ଷେତ୍ର ପୁରୀ ତଥା ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ସୁଟିଂ କରାଯାଇଛି । ଯଦ୍ୱାରା ଏହି ସୁମଧୁର ସଙ୍ଗୀତ ଶ୍ରୋତା ତଥା ଦର୍ଶକଙ୍କୁ ଏକ ପ୍ରାକୃତିକ ଅମରତ୍ୱ ପ୍ରଦାନ କରିବା ସହ ନିଶ୍ଚୟ ଏକ ଭିନ୍ନ ଆଲୋଡନ ସୃଷ୍ଟି କରିବ ।
ଚଳଚିତ୍ରର ପ୍ରତ୍ୟେକ ଗୀତ ମାଧ୍ୟମରେ ସଂପୂର୍ଣ୍ଣ କାହାଣୀକୁ ବର୍ଣ୍ଣନା କରାଯାଇଛି ଯାହାକି, ବିଶ୍ୱାସ ଓ ଏହାର କାଳ୍ପନିକତାର ଅଲୌକିକ ତତ୍ୱକୁ ପ୍ରତିପାଦିତ କରୁଛି । ଏହି ଚଳଚିତ୍ରଟିରେ ସାମାଜିକ ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ ଧର୍ମ, ପରମ୍ପରା, ସଂସ୍କୃତିର ନିଚ୍ଛକ ପ୍ରତିଛବିକୁ ଅତ୍ୟନ୍ତ ଭାବାପୂର୍ଣ୍ଣ ଶୈଳୀରେ ପ୍ରସ୍ତୁତ କରାଯାଇଛି । ସଙ୍ଗୀତ ପ୍ରସ୍ତୁତିରେ ଏ ସମସ୍ତ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ପଣ୍ଡିତ ଶିବ ପ୍ରସାଦ ରଥ, ଇରା ମହାନ୍ତି ଏବଂ ବିଷ୍ଣୁ ମୋହନ କବିଙ୍କ ସୁଲଳିତ କଣ୍ଠଦାନ ସହ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ଶତପଥୀଙ୍କ ଅବଦାନ ଏହି ଗୀତ ଗୁଡ଼ିକୁ ଆହୁରି ସୁମଧୁର କରିପାରିଛି । ଚଳଚିତ୍ର ପ୍ରସ୍ତୁତିରେ କ୍ରିଏଟିଭ ହେଡ ବିଭୁଦତ ପାଣିଗ୍ରାହୀ, ମୁଖ୍ୟ ସହାୟକ ଶ୍ରୀ ସୁଧାରଞ୍ଜନ ମଲ୍ଲିକ୍ ଏବଂ ଆଶୀଷ ବେହେରା ପ୍ରମୁଖଙ୍କ ଅଶେଷ ଅବଦାନ ରହିଛି ।
ଚଳଚ୍ଚିତ୍ର ପ୍ରେମୀ, ସୁସାହିତ୍ୟିକ ତଥା ପ୍ରଯୋଜକ ଡକ୍ଟର ବିବେକାନନ୍ଦ ପାଣୀଗ୍ରାହୀ ଏହି ଗୀତ ରଚନା ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ସଭିଙ୍କ ମାନସପଟ୍ଟରେ ତଥା ସମାଜରେ ଏକ ଅଦ୍ଭୁତ ପରିବର୍ତନ ଆଣିବ ବୋଲି ବିଶ୍ୱାସ ରଖିଛନ୍ତି ।
ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ ନବାଗତ ନବାଗତା କଳାକାର ନିଜ ଅଭିନୟର ଯାଦୁ ଦେଖାଇବା ସହ କାହାଣୀର ଉଦେ୍ଧଶ୍ୟକୁ ସାଧିତ କରିବା ଦିଗରେ ବିଶେଷ ପ୍ରୟାସ କରିଛନ୍ତି । ସେମାନେ ହେଲେ- ସୁଜୟ ମହାନ୍ତି, ଶ୍ରୀ ଅରୁନ ମହାନ୍ତ, ଡଃ ବିଶ୍ୱଜିତ ଦାସ, ଶ୍ରୀ ତାପସ ପଣ୍ଡା, ଶ୍ରୀ ସୁଧିର ମହାନ୍ତି, ଶ୍ରୀ ମଙ୍ଗଳ ବେସରା, ଶ୍ରୀ ଗୋକୁଳ ଦାସ, ଶ୍ରୀ ସନ୍ତୋଷ ମହାନ୍ତି, ଶ୍ରୀ ଶିବ ଶଙ୍କର ବାରିକ୍, ଶ୍ରୀ ନବନିତ୍ ମହାନ୍ତି, ଶ୍ରୀ ଲମ୍ବୋଦର ସିଂ, ସୁଜିତ ନାଥ, ସାଗରିକା ଦାସ, ଦର୍ଶନା ଭଞ୍ଜଦେଓ, ଅର୍ପିତା ଦାସ, ପ୍ରକାଶିନୀ ମିଶ୍ର, ରେସଲି ପାତ୍ର ।
କାହାଣୀର ମୁଖ୍ୟ ଚରିତ୍ର ନବାଗତା ସାହିଲ ମିଶ୍ର (ଗୁଡୀ)ଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କ ମନକୁ ବିଶେଷ ଭାବେ ଆକର୍ଷିତ କରିବ ଏବଂ ବିଷୟବସ୍ତୁର ସାରକଥାକୁ ବୁଝି ନିଜ ଅଭିନୟ ଶୈଳୀରେ ଏହାକୁ ପ୍ରଦର୍ଶନ କରିବାରେ ସାହିଲ ମିଶ୍ରଙ୍କ ପ୍ରମୁଖ ଅବଦାନ ରହିଛି । ଏହି ଚଳଚ୍ଚିତ୍ରଟି ଚଳିତ ନଭେମ୍ବର ମାସର ମଧ୍ୟଭାଗରେ ଥିଏଟର ରିଲିଜ ହେବାକୁ ଥିବାବେଳେ ଆଜି ଏହାର ପୋଷ୍ଟରର ପ୍ରଥମ ଝଲକ ମଧ୍ୟ ଉନ୍ମୋଚିତ ହୋଇଛି । ଓଲିଉଡ ଜଗତରେ ଏହି ବିଶ୍ୱାସ ଚଳଚ୍ଚିତ୍ର ଏକ ଭିନ୍ନ ସ୍ୱାଦ ପ୍ରଦାନ କରିବା ସହ ଏହାକୁ ବିଶେଷ ସଫଳତା ମିଳିବ ବୋଲି ଚଳଚ୍ଚିତ୍ର ବିଶେଷଜ୍ଞ ଓ ସମାଲୋଚକଙ୍କ ମତ ରହିଛି ।