ହେଡଲାଇନସ୍:

ଜାତିର ଜନକ ମହାତ୍ମାଗାନ୍ଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ଗାନ୍ଧିଜୀ ଏବଂ ଓଡିଶା’ ଶୀର୍ଷକ ଆଲୋଚନା ଚକ୍ର

‘ଗାନ୍ଧିଜୀ ଇନ୍ ଓଡିଶା’ ପୁସ୍ତକ ସଂସ୍କରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର (ଶାସକ ପ୍ରଶାସକ ): ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତଥା ‘ଗାନ୍ଧିଜୀ ଏବଂ ଓଡିଶା’ ଶୀର୍ଷକ ଆଲୋଚନା ଚକ୍ର ଆଜି ଜୟଦେବ ଭବନଠାରେ ଉଭୟ ମଂଚ ଓ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ୧୯୭୦ ମସିହାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଇଂରାଜୀ ଭାଷାରେ ପ୍ରକାଶିତ ଗାନ୍ଧିଜୀଙ୍କ ଓଡିଶା ଆଗମନ ସଂପର୍କିତ ପୁସ୍ତକ ‘ଗାନ୍ଧିଜୀ ଇନ୍ ଓଡିଶା’ ସଂସ୍କରଣକୁ ଆଜିର ଏହି ପବିତ୍ର ଗାନ୍ଧି ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଲୋକାର୍ପଣ କରିଛନ୍ତି ।
ଜୟଦେବ ଭବନରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବକୁ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଗାନ୍ଧିଜୀଙ୍କର ଓଡିଶା ସହିତ ଭାବଗତ ସଂପର୍କ ରହିଥିଲା । ଗାନ୍ଧିଜୀଙ୍କ ଓଡିଶା ଆଗମନ ଓଡିଶାବାସୀଙ୍କୁ ଧନ୍ୟ କରିଛି । ତାଙ୍କର ବିଚାରଧାରାକୁ ଆଜିର ଉତରପିଢିଙ୍କ ସହିତ ଯୋଡିବାକୁ ସଂକଳ୍ପ ନେବାର ସମୟ ଆସିଛି ବୋଲି ଶ୍ରୀ ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ ।
ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ସଭାପତିତ୍ୱ କରି କହିଲେ ଯେ, ଗାନ୍ଧିଜୀ ଜଣେ ସାଧାରଣ ବ୍ୟକ୍ତି ନଥିଲେ, ସେ ଥିଲେ ବାସ୍ତବରେ ଜଣେ ମହାପୁରୁଷ, ସନ୍ଥ । ତାଙ୍କର ଚିନ୍ତାଧାରା ଆମ ସମୟର ଓ ସେ ସମୟର ବ୍ୟକ୍ତିମାନଙ୍କର ଚିନ୍ତାଧାରାଠାରୁ ଊଦ୍ଧ୍ୱର୍ରେ ଥିଲା । ଗାନ୍ଧିଜୀଙ୍କ ଚିନ୍ତନ ଓ ଦର୍ଶନ ଆମ ଗଣତନ୍ତ୍ରକୁ ପରିପୁଷ୍ଟ କରିଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଉକ୍ରଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ ‘ଗାନ୍ଧିଜୀ ଇନ୍ ଓଡିଶା’ ପୁସ୍ତକରେ ଗାନ୍ଧିଜୀଙ୍କ ଓଡିଶାପ୍ରତି ରହିଥିବା ସଂପର୍କ, ଓଡିଶାବାସୀଙ୍କ ଗାନ୍ଧିଜୀଙ୍କ ପ୍ରତି ଆତିଥେୟତା, ଓଡିଶାବାସୀଙ୍କୁ ଭଲ ପାଇବା ଓ ତାଙ୍କର ଅଭିଳଷିତ ଓଡିଶା ଏବଂ ଭାରତ ବର୍ଷର ସ୍ୱପ୍ନ ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟ ବକ୍ତା ତଥା ବହୁ ଗାନ୍ଧି ପୁସ୍ତକର ଲେଖକ ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ପରିଡା ଯୋଗଦେଇ କହିଲେ ଯେ, ଗାନ୍ଧିଜୀ ଓଡିଶାର ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଥିଲେ । ସେ ଓଡିଶାରେ ଖଦି ଆନ୍ଦୋଳନ , ଲବଣ ସତ୍ୟାଗ୍ରହଠାରୁ ଆରମ୍ଭ କରି ନିଶା ନିବାରଣ,ଅସ୍ପୃଶ୍ୟତା ଦୂରୀକରଣ, ଗାନ୍ଧିଜୀଙ୍କ ବିଭିନ୍ନ ସମୟରେ ଓଡିଶା ଆଗମନର କାହାଣୀ ସହ ଗାନ୍ଧିଜୀଙ୍କର ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନର ଦିବ୍ୟ ଅନୁଭୂତି ସଂପର୍କରେ ଆଲୋକପାତ କରିଥିଲେ । ଅତିଥି ବକ୍ତା ବିଶିଷ୍ଟ ଗାନ୍ଧିବାଦୀ ଚିନ୍ତକ ତଥା ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ସିଂହ ଯୋଗଦେଇ ଗାନ୍ଧିଜୀଙ୍କ ଓଡିଶା ସହିତ ସଂପର୍କ, ସ୍ୱତନ୍ତ୍ର ଭାଷାଭିତିକ ଆନେ୍ଦାଳନରେ ଗାନ୍ଧିଜୀଙ୍କ ପ୍ରମୁଖ ଯୋଗଦାନ ସଂପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । କଟକରେ ଗାନ୍ଧିଜୀଙ୍କ ଦ୍ୱାରା ଅନୁଷ୍ଠିତ ମହିଳା ସଭା,ଓଡିଶାରେ ମହିଳାମାନଙ୍କର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦାନକୁ ବ୍ୟାପକ କରିଥିଲା ଏବଂ ଗାନ୍ଧିଜୀଙ୍କ ପଦଯାତ୍ରା ଓ ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ଲବଣ ସତ୍ୟାଗ୍ରହରେ ନାରୀଶକ୍ତିଙ୍କ ନେତୃତ୍ୱ ଅଭୂତପୂର୍ବ ଥିଲା ବୋଲି ଶ୍ରୀ ସିଂହ କହିଥିଲେ ।
ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ,ଗାନ୍ଧିଜୀଙ୍କ ଆଚରଣ ଓ ଉଚ୍ଚାରଣରେ ଅଭୂତପୂର୍ବ ସମନ୍ୱୟ ରହିଥିଲା, ଯେଉଁଥିପାଇଁ ସମସ୍ତେ ଗାନ୍ଧିଜୀଙ୍କୁ ବିଶ୍ୱାସ କରୁଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଶାଶ୍ୱତୀ ସାମାଜିକ ଓ ସାସ୍କୃତିକ କେନ୍ଦ୍ର,ଭୁବନେଶ୍ୱରର କଣ୍ଠଶିଳ୍ପୀ ପ୍ରତିଭା ଦାସ ଓ ପ୍ରଦୀପ କୁମାର ପଲେଇ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନ ତୋ...., ରାମଧୂନ ଏବଂ ଅନ୍ୟାନ୍ୟ ପ୍ରିୟ ଭଜନ ଗାନ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

0
0
0
s2sdefault