ବରଗଡ (ଶାସକ ପ୍ରଶାସକ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କୁହନ୍ତି ଯେ "ପ୍ରତ୍ୟେକ ଜୀବନ ମୂଲ୍ୟବାନ" | ଏଥିପାଇଁ ପ୍ରସ୍ତୁତ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା | ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ହେଉଛି ଓଡିଶା ସରକାରଙ୍କ ଏକ ଯୋଜନା, ଯାହା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇ ସର୍ବଭାରତୀୟ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖି ୨୦୧୮ ମସିହା ଅଗଷ୍ଟ ୧୫ ତାରିଖ ରେ ଆରମ୍ଭ କରାଯାଇଥିଲା | ଏହି ଯୋଜନାରେ ସରକାରୀ ଡାକ୍ତରଖାନାରେ ସମସ୍ତଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ସୁବିଧା ସହ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କେତେକ ବେସରକାରୀ ଡାକ୍ତରଖାନାରେ ପ୍ରତି ପରିବାର ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସହାୟତା ଏବଂ ଏହାବ୍ୟତୀତ ମହିଳା ମାନଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଆର୍ଥିକ ସହାୟତା ବ୍ୟବସ୍ଥା ରହିଛି | ଯୋଜନା ଟା ବହୁତ ଭଲ କିନ୍ତୁ ତାହା ଲୋକଙ୍କ ପାଇଁ କେତେ ସହାୟକ ହୋଇପାରୁଛି ତାହା ଉପରେ ନିର୍ଭର କରେ ଯୋଜନାର ସଫଳ ରୁପାୟନ |
ଏମିତି ଏକ ପରିବାର ବିଷୟରେ ଆଲୋକପାତ କରିବାକୁ ଚାହୁଁଛୁ ଯେଉଁ ପରିବାର ଆର୍ଥିକ ରୂପେ ଅସ୍ବଚ୍ଛଳ ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଜନାରେ ଆର୍ଥିକ ସହାୟତା ପାଇବା ପାଇଁ ଯୋଗ୍ୟ ଅଟନ୍ତି କିନ୍ତୁ ତାଙ୍କ ଚିକିତ୍ସା ପାଇଁ କୌଣସି ସହାୟତା ମିଳିପାରିନାହିଁ | ଏହି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୋଖିପାଲି ଗ୍ରାମରେ | ଗାଁର ଦାଦୀକର ଭୁଏ ଏବଂ ଦମୟନ୍ତି ଭୁଏ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି | କୁଲି ମଜୁରିଆ ହୋଇ ପରିବାର ପ୍ରତିପୋଷଣ କରୁଥିବା ଉକ୍ତ ପରିବାର ଯେତେବେଳେ ଚିକିତ୍ସା ପାଇଁ ସର୍ବସ୍ୱାନ୍ତ ହୋଇଯାଇଛନ୍ତି| ପରବର୍ତ୍ତୀ ସମୟରେ ଅନେକ ଲୋକଙ୍କ ଠାରୁ ଧାର କରଜ କରି ବରଗଡ଼ ଜିଲ୍ଲାର "ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା" ଅଧିନସ୍ଥ ଦୁଇଟି ଘରୋଇ ଡାକ୍ତରଖାନା "ସାଇକୃପା ନର୍ସିଂ ହୋମ" ଏବଂ "କିଶୋରୀ ନର୍ସିଂ ହୋମ" ରେ ସର୍ବମୋଟ ୪୫ ହଜାର ଟଙ୍କା ଖର୍ଚ୍ଚ କରିବା ପରେ ବିଜେପୁର ସରକାରୀ ଡାକ୍ତରଖାନାରେ ୧୫ ହଜାର ଟଙ୍କା ଏବଂ ଯାତାୟାତ ବାବଦକୁ ପାଖାପାଖି ୧୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି | ଏତିକିରେ ମଧ୍ୟ ତାଙ୍କ ଦୁଃଖ ସରିନାହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡେ ପାଇଁ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ପର୍ଯ୍ୟନ୍ତ ବାରମ୍ବାର କାକୁତିମିନତୀ ହୋଇ ହତାଶ ହେବା ପରେ ବର୍ତ୍ତମାନ ବାଧ୍ୟ ହୋଇ ଏକ ଓଦା ମାଟିଘରେ ବସବାସ କରିବା ପାଇଁ ବାଧ୍ୟ ହେଉଛନ୍ତି ଯାହାକି ୨ ମାସର ଶିଶୁକନ୍ୟା ପାଇଁ ପ୍ରାଣଘାତୀ ହୋଇପାରେ |
ଅପରପକ୍ଷରେ ଗାଁର ବହୁତ ଅଯୋଗ୍ୟ ହିତାଧିକାରୀଙ୍କୁ ଲାଞ୍ଚ ନେଇ ଯୋଗ୍ୟ ବିବେଚିତ କରି ପଞ୍ଚାୟତିରାଜ ବିଭାଗର ଅଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଇଛନ୍ତି ଯାହାଙ୍କ ପାଖରେ ଦୁଇଚକିଆ ଜାନ ସହ ପକ୍କାଗୃହ ତଥା ମାସିକ ଆୟ ଦଶ ହଜାରରୁ ଉର୍ଦ୍ଧ୍ବ ଅଟେ | ଏହିସବୁ ଜିନିଷ ଦେଖିବା ପରେ ମନେହୁଏ ଯେ ସରକାରୀ ଯୋଜନା ଗୁଡ଼ିକ କେବଳ ଉପରକୁ ଦେଖିବାକୁ ଚକଚକ ମାତ୍ର ଭିତରେ ଫମ୍ପା ଅଛି |
ଯଦି ଏହିସବୁ ଘଟଣାକୁ ଜାଣିବା ପରେ ସରକାର ନିଜର ଦୋଷକୁ ହୃଦୟଙ୍ଗମ କରିବା ସହ ଭୁଲ ସ୍ୱୀକାର କରିବେ ତେବେ ନିଶ୍ଚିତ ଭାବରେ ଉକ୍ତ ପରିବାର ଖର୍ଚ୍ଚ କରିଥିବା ସର୍ବମୋଟ ୭୦ ହଜାର ଟଙ୍କାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସ୍ୱତନ୍ତ୍ର ଭାବରେ ଏହି ପରିବାରକୁ କୌଣସି ବାହାନା କରିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଯେକୌଣସି ପାଣ୍ଠିରୁ ଏକ ପକ୍କାଗୃହ ଯୋଗେଇଦେବା ଉଚିତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି |
ରାଜ୍ୟ
ବିଜେପୁରରେ ଗରୀବଙ୍କ ପାଇଁ ସରକାରୀ ଯୋଜନା ଉପହାସ :ମିଳୁନାହିଁ ମାଗଣା ଚିକିତ୍ସା କି ମିଳୁନି ମୁଣ୍ଡ ଗୁଞ୍ଜିବାକୁ ଆବାସ
- Hits: 642