ହେଡଲାଇନସ୍:

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ-କାର୍ଡ ନିମନ୍ତେ ଜିଲ୍ଲାବ୍ୟାପୀ ୯ ଟି ସଚେତନତା ପ୍ରଚାର ଅଭିଯାନ ରଥର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡିଶା ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ରୂପରେ ଆରମ୍ଭ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ-କାର୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯିବା କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ପ୍ୟାଲେସ ସାମନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ-କାର୍ଡର ବିଭିନ୍ନ ଉପକାରୀତା ଉପରେ ଜିଲ୍ଲାବ୍ୟାପୀ ବାହାରିଥିବା ୯ ଟି ସଚେତନତା ପ୍ରଚାର ଅଭିଯାନ ରଥକୁ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଚଳିତ ମାସରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡରେ କାର୍ଡଧାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସହାୟତା ପାଇବେ । ପ୍ରତ୍ୟେକ ହିତାଧିକାରୀ ପରିବାରକୁ ତାଲିକାଭୁକ୍ତ ଘରୋଇ ହସପିଟାଲରେ ମିଳିବ ବର୍ଷକୁ ୫ ଲକ୍ଷ ଓ ପରିବାର ମହିଳା ସଦସ୍ୟଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି ।
ଏହି ସଚେତନତା ପ୍ରଚାର ଅଭିଯାନ ରଥ ପାରଳାଖେମୁଣ୍ଡି ସମେତ ସମସ୍ତ ବ୍ଲକ , ପଞ୍ଚାୟତ ଓ ଗ୍ରାମସ୍ତରକୁ ଯାଇ ଏହି ଯୋଜନା ଅନ୍ତର୍ଗତ ସ୍ମାର୍ଟକାର୍ଡର ବିଭିନ୍ନ ଉପାଦେୟତାର ବିଭିନ୍ନ ଦିଗ ଉପରେ ଲୋକମାନଙ୍କୁ ପ୍ରଚାର କରିବା ସହ ସଚେତନତା କରାଇବ ।
ଗଜପତି ଜିଲ୍ଲାର ମୋଟ ୪ଲକ୍ଷ ୫୦ ହଜାର ହିତାଧିକାରୀଙ୍କ ଠାରେ ଏହି ସ୍ମାର୍ଟକାର୍ଡ ପହଞ୍ଚାଇବା ଲକ୍ଷ ରହିଛି । ମୁଖ୍ୟତଃ ବିଜୁ କୃଷକ କଲ୍ୟାଣ ଯୋଜନା ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଅନ୍ତର୍ଗତ ପ୍ରତ୍ୟେକ କାର୍ଡଧାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଉପକୃତ ହେବେ । ଏହି କାର୍ଡ ଅନ୍ତର୍ଗତରେ ପରିବାରର ମୁଖ୍ୟ ପୁରୁଷ ସଦସ୍ୟଙ୍କୁ ୫ ଲକ୍ଷ ଏବଂ ମହିଳା ମୁଖ୍ୟ ହୋଇଥିଲେ ୧୦ ଲକ୍ଷ ପର୍ଯ୍ୟନ୍ତ କଭରେଜ ମିଳିବ ।
ଗଜପତି ଜିଲ୍ଲାରେ ଏଥିପାଇଁ ଆମର ୪ ଟି ଘରୋଇ ହସ୍ପିଟାଲ ଅନ୍ତର୍ଭୁକ୍ତ ରହିଛି । ଏତଦ୍ ବ୍ୟତୀତ ପଡୋଶୀ ଆନ୍ଧ୍ର ଓ ଓଡ଼ିଶାର କେତେକ ମୁଖ୍ୟ ଘରୋଇ ହସ୍ପିଟାଲ ଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏଥିପାଇଁ ଚିକିତ୍ସା ନେଇ ସରକାରଙ୍କ ଏକ ଦର(ରେଟ-ଚାର୍ଟ)ତାଲିକା ଆସିବ , ଯେ କେଉଁ ଚିକିତ୍ସା ପାଇଁ କେତେ ଟଙ୍କା , ସେହି ପ୍ରକାରେ ଚିକିତ୍ସା ହିତାଧିକାରୀଙ୍କୁ ତାହା ଯୋଗାଇ ଦିଆଯିବ । ଏହା ଇନୁସୁରାନସ ନୁହେଁ , ଏହା ଏକ ଆସୁରାନସ ସ୍କିମ , ଯାହାକି ଭାରତରେ ଏକ ନୂତନ ଓ ପ୍ରଥମ ସ୍କିମ । ଯାହାକି ଏଥିରେ ପ୍ରତି ଚିକିତ୍ସାର ଟଙ୍କା ଶତ-ପ୍ରତିଶତରେ ପାଇ ପାରିବା ଭଳି ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଛନ୍ତି ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର , ପାରଳା ପୌର ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଡିଏମଆରସିଏଚ:- ଶ୍ରୀ ଶୁସାନ୍ତ ପ୍ରସାଦ ନାୟକ ଓ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ବହୁ ପ୍ରଶାସନିକ , ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault