ସମ୍ବଲପୁର (ଶାସକ ପ୍ରଶାସକ) : ଓଡିଆ ଡାକ୍ତରାଣୀ ସରିତା ଜୋଷୀ ନରୱେ ସ୍ଥିତ ଓସ୍ ଲୋ ବିଶ୍ୱବିଦ୍ୟାଳୟ ରୁ କ୍ୟାନସର ରୋଗ ଉପରେ ଉଚ୍ଚତର ଗବେଷଣା ପାଇଁ ପିଏଚଡ଼ି ଡିଗ୍ରୀ ହାସଲ କରିଛନ୍ତି। ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ବିଶ୍ୱବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
ବିଗତ କିଛି ବର୍ଷ ଧରି ସେ ବିଶ୍ଵର ଅନ୍ୟତମ ବୃହତ ହସ୍ପିଟାଲ Oslo University Hospital ରେ ଗବେଷଣାରତ ଥିଲେ । କ୍ୟାନସର ଏକ ମାରାତ୍ମକ ରୋଗ ହୋଇଥିବାବେଳେ କିପରି ଏହାକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନାଯାଇପାରିବ ତଥା ବିଭିନ୍ନ ଅଣ – କେନସର ରୋଗରୁ ଏହାର ପାର୍ଥକ୍ଯ କରାଯାଇପାରିବ, ଏ ଦିଗରେ ତାଙ୍କର ଅନେକ ନିବନ୍ଧ ପୂର୍ବରୁ ବିଭିନ୍ନ ଆନ୍ତର୍ଜାତୀୟ ଜର୍ନାଲ ରେ ପ୍ରକାଶିତ ହୋଇ ସାରିଛି। Keratoacanthoma ଓ Squamous cell carcinoma ମଧ୍ୟରେ ସଠିକ ପ୍ରଭେଦ ପାଇଁ ସେ ଅତ୍ୟାଧୁନିକ କୌଶଳ ଯଥା protein expression, mutation study ଏବଂ genomic sequencing ର ଉପଯୋଗ କରି ସଫଳ ହୋଇପାରିଛନ୍ତି। ଶରୀର ର ଯେକୌଣସି କୋଷ ବୃଦ୍ଧି ଯେ କେନସର ନୁହେଁ, ଏବଂ ଏହାର ନିଦାନ ବିଭିନ୍ନ ବୈଜ୍ଞାନିକ ପରୀକ୍ଷା ଦ୍ଵାରା ସମ୍ଭବ, ଏହା ତାଙ୍କ ଗବେଷଣାର ବିଷୟବସ୍ତୁ ଥିଲା । ଏହି କୌଶଳ ର ପ୍ରୟୋଗ ଭବିଷ୍ୟତରେ ଅନ୍ୟ ପ୍ରକାର କେନସର ରୋଗର ଚିକିତ୍ସାପାଇଁ ବାଟ ଖୋଲିଦେଇଛି। ସେ ବିଶ୍ଵବିଖ୍ୟାତ କେନସର ନିଦାନ ବିଶେଷଜ୍ଞ ପ୍ରଫେସର Ole Petter Clausen ଏବଂ senior scientist Paula De Angelisଙ୍କ ଅଧୀନ ରେ ଗବେଷଣା କରୁଥିଲେ । ତାଙ୍କ ସନ୍ଦର୍ଭଟି Genotypic and phenotypic characterization of keratoacanthoma and possible distinguishing features from cutaneous squamous cell carcinoma" ପ୍ରଫେସର କାରି ନିଲ୍ ସନ, ପ୍ରଫେସର ଉଲେ ଦିଦ୍ରିକ ଲାରୁମ ଏବଂ ପ୍ରଫେସର ତାରିୟା ଉସ୍ନେସ ଙ୍କ ଦ୍ଵାରା ପରୀକ୍ଷୀତ ଓ ଉଚ୍ଚ ପ୍ରଶଂସିତ ହୋଇଥିଲା ।
ସମ୍ବଲପୁର ସହରର ମୂଳନିବାସୀ ତଥା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷା ପ୍ରାପ୍ତ ଡାକ୍ତର ସରିତା ଯୋଷୀ ବିଗତ କୋଡିଏ ବର୍ଷରୁ ଉର୍ଦ୍ଧ୍ଵହେବ ନରୱେରେ ରହୁଛନ୍ତି। ସେ ନରୱେରେ କାର୍ଯ୍ୟରତ ଇଞ୍ଜିନିଅର ମିଲନ ପୁରୋହିତଙ୍କ ଧର୍ମପତ୍ନୀ, ଅବସରପ୍ରାପ୍ତ ଇଞ୍ଜିନିଅର ଜ୍ୟୋତି ପ୍ରକାଶ ପୁରୋହିତ ଓ ସମାଜସେବୀ କବିତା ପୁରୋହିତଙ୍କ ପୁତ୍ରବଧୂ ତଥା ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ପଦ୍ମନାଭ ଯୋଷୀ ଓ ମମତା ଯୋଷୀଙ୍କ ଝିଅ ।