ହେଡଲାଇନସ୍:

ଅନ୍ତଃ ନଦୀ ଜଳାଶୟ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:ରାଜ୍ୟରେ ପ୍ରବାହିତ ବଡ ବଡ ନଦୀରୁ ସମୁଦ୍ରକୁ ବୋହିଯାଉଥିବା ଜଳକୁ ସଂରକ୍ଷଣ କରି ରଖିବା  ନିମନ୍ତେ  ନଦୀ ଭିତରେ  କେତେକ ସ୍ଥାନରେ ବଡ ବଡ ଅନ୍ତଃ ନଦୀ ଜଳାଶୟ  ( ଇନ୍ ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର) ନିର୍ମାଣ ନିମନ୍ତେ  ରାଜ୍ୟ ସରକାରଙ୍କ ତରଫରୁ ଯୋଜନା  ରହିଛି ।  ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଏକ ସମୀକ୍ଷା ବୈଠକ  ଜଳ ସଂପଦ ବିଭାଗ ତରଫରୁ  ଭର୍ଚୁଆଲ (ଆଭାସୀ ) ବ୍ୟବସ୍ଥାରେ ମଙ୍ଗଳବାର  ଅନୁଷ୍ଠିତ  ହୋଇଯାଇଛି । ବିଭାଗୀୟ  ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ  ବୈଠକରେ ଅଧ୍ୟକ୍ଷତା କରି  ଏହିସବୁ ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂପର୍କରେ  କାର୍ଯ୍ୟ ଅଗ୍ରଗତି ନେଇ ସ୍ଥିତି ସମୀକ୍ଷା  କରିଥିଲେ । ସମୀକ୍ଷାରୁ ଜଣାଯାଇଛି  ଯେ, ପ୍ରଥମ ପର୍ଯ୍ୟାୟରେ ୨୦୨୧-୨୨ ଆର୍ଥିକ ବର୍ଷରେ  ୩୦ଟି ଅନ୍ତଃ ନଦୀ ଜଳାଶୟ ନିର୍ମାଣ ନିମନ୍ତେ ରାଜ୍ୟ ସରକାର  ଅନୁମୋଦନ ରହିଥିବା ବେଳେ  ତନ୍ମଧ୍ୟରୁ ୧୪ଟିର ନିର୍ମାଣ ସକାଶେ  ଟେଣ୍ଡର ପାଇଁ ପ୍ରକ୍ରିୟା ଜାରି ରହିଛି ।  ୪ଟି ପ୍ରକଳ୍ପର  ନିର୍ମାଣ ପାଇଁ  ଜଳ ବିଜ୍ଞାନ ସମ୍ବନ୍ଧୀୟ (ହାଇଡ୍ରୋଲୋଜିକାଲ) ଅନୁଧ୍ୟାନ ପୂର୍ବକ  ଚଳିତ ଜୁନ୍ ୧୫  ଓ ଆଉ ୪ଟି ପାଇଁ   ଜୁନ୍ ୩୦ ସୁଦ୍ଧା ନକ୍ସା ବା ଡିଜାଇନ୍ ପ୍ରସ୍ତୁତ  କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ଟି  ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ବିଭିନ୍ନ ନଦୀରେ ନିର୍ଦ୍ଧିଷ୍ଟ କେଉଁ ସ୍ଥାନରେ (ଆକ୍ସିସ୍) ହେବ, ଏଥି ନିମନ୍ତେ ବିଭାଗୀୟ ସଂପୃକ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଚୂଡାନ୍ତ ବିବରଣୀ ଦେବେ । ସେହିଭଳି ଆଉ ୩ଟି ପ୍ରକଳ୍ପ ପାଇଁ  ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ  ବୈଷୟିକ ଟିମ୍ ସହିତ  ଅନୁଧ୍ୟାନ କରି ଜୁନ୍ ୩୦ ସୁଦ୍ଧା  ବିବରଣୀ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି ।  

ଆଗାମୀ ଦିନରେ ଅଧିକ ଅନ୍ତଃନଦୀ ଜଳାଶୟ ନିର୍ମାଣ କରାଯିବାକୁ ଥିବାରୁ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରକଳ୍ପ ଶେଷ କରିବା ପାଇଁ କାର୍ଯ୍ୟ ତଦାରଖ ଓ ସମନ୍ୱୟ ରଖାଯିବା ନିମନ୍ତେ  ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ ।  ଏହି ପରିପ୍ରେକ୍ଷୀରେ ସେଚ ସଦନ ସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଯନ୍ତ୍ରୀ, ସଂଗ୍ରହଣ(ପ୍ରୋକ୍ୟୁରମେଣ୍ଟ) ଓ ରାଜୀବ ଭବନ ସ୍ଥିତ  ଜଳସଂପଦ ବିଭାଗ ମୁଖ୍ୟ କାର୍ଯ୍ୟାଳୟରେ  ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ-୧ଙ୍କୁ ନୋଡାଲ ଅଧିକାରୀଭାବେ କାର୍ଯ୍ୟ କରିବା ନେଇ ନିଷ୍ପତି ନିଆଯାଇଛି  ।  ଟେଣ୍ଡର ପ୍ରକ୍ରିୟା  ଶେଷ ହେବା ପରେ ଅନ୍ତଃ ନଦୀ ଜଳାଶୟ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ  ଦେଇଛନ୍ତି ।   ବୈଠକରେ ଜଳ ସଂପଦ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ,  ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ସର୍ବୋଚ୍ଚ ଯନ୍ତ୍ରୀ,  ଯୋଜନା ଓ ନକ୍ସାଙ୍କନ ଇଂ. ଧୀରେନ୍ କୁମାର ସାମଲଙ୍କ ସମେତ ବିଭାଗୀୟ ଅନ୍ୟ ବରିଷ୍ଠ  ପଦାଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ  ଥିଲେ । 

0
0
0
s2sdefault