ହେଡଲାଇନସ୍:

 କରୋନା ବିରୁଦ୍ଧରେ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ : ନିରାଶ୍ରୟଙ୍କ ପାଇଁ କୋଭିଡ  ଟିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ) ; ଅନ୍ତର୍ଭୁକ୍ତିକରଣରେ ନିଜକୁ ପ୍ରତିପାଦନ କରିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ଏହି ରଣନୀତି ଏକ ସାମାଜିକ ପ୍ରତିଷ୍ଠା  ଦେବା ସହିତ ସମସ୍ତ ବର୍ଗର ନାଗରିକଙ୍କୁ ଦେଇଛି ନିଜର ସମ୍ମାନ । ଏହାର ଏକ ନିଦର୍ଶନ ସ୍ୱରୂପ ଆଜି ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) ସୀମା ମଧ୍ୟରେ ଥିବା ସହରାଂଚଳ ଆଶ୍ରୟସ୍ଥଳୀରେ ହୋଇଛି ଟିକାକରଣ । କମିଶନର ସଞ୍ଜୟ କୁମାର ସିଂହ ଏହି ଟିକାକରଣକୁ କରିବାକୁ ସମ୍ପୃକ୍ତ ଜୋନାଲ୍  ଡେ଼ପୁଟି କମିଶନର ମାନଙ୍କୁ ନିର୍ଦ୍ଦେଶ ଦେବାପରେ ଆଜି ଏହି ଟିକାକରଣ ବିଭିନ୍ନ ଏସ୍ ୟୁଏଚ୍ ରେ ଆରମ୍ଭ କରାଯାଇଛି ।

ଆରମ୍ଭ ହୋଇଥିବା ଏସ୍ ୟୁ ଏଚ୍ ଗୁଡ଼ିକ ହେଲା-ଚନ୍ଦ୍ରଶେଖରପୁର (ନର୍ଥଜୋନ୍), ଭୀମପୁର  ଏବଂ ଗଙ୍ଗନଗର (ଦକ୍ଷିଣ-ପଶ୍ଚିମ ଜୋନ୍) ଏବଂ ଅଶୋକନଗର (ଦକ୍ଷିଣ-ପୂର୍ବ ଜୋନ୍) । ବି ଏମ୍ ସି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ପାଖାପାଖି ୧୨୦ ଜଣ ଅନ୍ତେବାସୀଙ୍କୁ ଆଜି ଟିକାକରଣ କରାଯାଇଛି ଏବଂ ସମସ୍ତ ଏସ୍ ୟୁ ଏଚ୍ ରେ ଏହି ଟିକାକରଣ କରାଯିବ ବୋଲି କହିଛନ୍ତି କର୍ତୃପକ୍ଷ ।

ସମାଜର ବିଭିନ୍ନ ବର୍ଗଙ୍କୁ ଆମେ ସାମିଲ କରି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଆସୁଛୁ । କେବଳ ଟିକାକରଣ ନୁହେଁ କୋଭିଡ଼୍ ଟେଷ୍ଟିଂର ମଧ୍ୟ ଏହିଭଳି ସୁବିଧା କରାଯାଇଛି । ଏସ୍ ୟୁ ଏଚ୍ ଅନ୍ତେବାସୀଙ୍କ କ୍ଷେତ୍ରରେ ଟିକାକରଣକୁ ପ୍ରୋତ୍ସାହନ  କରିବା ଦ୍ୱାରା ସେମାନଙ୍କ ମନରେ କରୋନା ଜନିତ ଆଶଙ୍କା ଦୂରହେବା, କରୋନା ସଚେତନତା ବଢିବା ଏବଂ ସେମାନଙ୍କର ପ୍ରକୃଷ୍ଟ ଯତ୍ନ ନେବାର ଯଥାର୍ଥତା ରକ୍ଷା ହେବବୋଲି କହିଛନ୍ତି ବି ଏମ୍ ସି କମିଶନର ।

ଆଜି ସକାଳ ୯ ଘଟିକା ସମୟରେ ଏହି ଟିକାକରଣ ପ୍ରକି୍ରୟା ଉତର ଜୋନ୍ର ଚନ୍ଦ୍ରଶେଖରପୁର ସ୍ୱତନ୍ତ୍ର ଆଶ୍ରୟସ୍ଥଳୀରେ ଆରମ୍ଭ ହୋଇଥିଲା । ଏହି ଅବସରରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଏବଂ ଜୋନାଲ୍ ଡେ଼ପୁଟି କମିଶନର ପୁରନ୍ଦର ନନ୍ଦ ଉପସ୍ଥିତ ରହି ଉକ୍ତ ଏସ୍ ୟୁ ଏଚ୍ ର ଟିକାକରଣ ପ୍ରକି୍ରୟା ସମ୍ପାଦନ କରାଇଛନ୍ତି । ଏଠାରେ ସମୁଦାୟ ୩୬ ଜଣ ଟିକା ନେଇଛନ୍ତି ।

ଅନ୍ୟ ପକ୍ଷରେ ଦକ୍ଷିଣ-ପଶ୍ଚିମ ଜୋନ୍ ର ଗଙ୍ଗନଗର ଏସ୍ ୟୁ ଏଚ୍ ଏବଂ ଭୀମପୁର ଆଶ୍ରୟସ୍ଥଳୀରେ ସମୁଦାୟ ୫୦ ଜଣଙ୍କୁ କୋଭିଡ଼୍ ଟିକା ନେବାରେ ଉପସ୍ଥିତ ଥିଲେ ଦକ୍ଷିଣ-ପୂର୍ବ ଜୋନ୍ ର ଜୋନାଲ୍ ଡେ଼ପୁଟି କମିଶନର ରବିନାରାୟଣ ଜେଠୀ ।

ଅନୁରୂପ ଭାବେ ଦକ୍ଷିଣ-ପୂର୍ବ ଜୋନରେ  ମଧ୍ୟ ଜୋନାଲ୍ ଡେ଼ପୁଟି କମିଶନର ଅଂଶୁମାନ ରଥଙ୍କ ଉପସ୍ଥିତିରେ ସ୍ଥାନୀୟ ଅଶୋକନଗର ସ୍ଥିତ ଏସ୍ ୟୁ ଏଚ୍ ରେ ଟିକାକରଣ କରାଯାଇଛି । ଏଠାରେ ଆଜି ସମୁଦାୟ ୨୫ ଜଣ ଟିକା ନେଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ କି,ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ ସୋସିଆଲ୍ ଇକୁ୍ୟଇଟି ସେଂଟର, ଅଶୋକ ନଗର, ବରମୁଣ୍ଡା ବାସ ଷ୍ଟାଂଡ, ଭୀମପୁର, ଘାଟିକିଆ, ଚନ୍ଦ୍ରଶେଖରପୁର, ଗଙ୍ଗନଗର ଏବଂ ମାଳିସାହି ଏସ୍ ୟୁ ଏଚ୍ ମାନଙ୍କରେ ପାଖାପାଖି ୪୦୦ ଅନ୍ତେବାସୀଙ୍କ ରହିବା ସୁବିଧା ଥିବାବେଳେ ମହାମାରୀ ସମୟରେ ଏହିସବୁ ସ୍ଥାନରେ ୮୦ ରୁ ୯୦ ପ୍ରତିଶତ ଅନ୍ତେବାସୀ ରହୁଛନ୍ତି । ଏମାନଙ୍କ ମଧ୍ୟରେ ବୃଦ୍ଧ, ବୃଦ୍ଧା, ମାନସିକ ଭିନ୍ନକ୍ଷମ, ଶ୍ରମିକ ଏବଂ ଅସହାୟ ମହିଳାମାନେ ରହୁଛନ୍ତି । ନିକଟ ଅତୀତରେ ଭିକ୍ଷାବୃତି କରୁଥିବା ଏବଂ ଶ୍ରମଜୀବି ବ୍ୟକ୍ତିମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି ଏବଂ ବି ଏମ୍ ସି ତରଫରୁ ସରକାରଙ୍କ ନିୟମ ଅନୁସାରେ ଏହି ଅନ୍ତେବାସୀ ମାନଙ୍କର ଯତ୍ନ  ନିଆଯାଇଛି ।

ଏସ୍ ୟୁ ଏଚ୍ ରେ ଟିକାକରଣ ପ୍ରକ୍ରିୟା  ଚାଲୁରହି ଯଥାଶୀଘ୍ର ଏହାକୁ ଶେଷ କରାଯିବ ଏବଂ ଏଠାରେ ଥିବା କୌଣସି ଅନ୍ତେବାସୀଙ୍କର କୋଭିଡ଼୍ ସମ୍ପର୍କୀତ ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ସେମାନଙ୍କର ଟେଷ୍ଟିଂ କରାଯାଉଛି ଏବଂ ଆବଶ୍ୟକ ସ୍ଥଳେ କୋଭିଡ଼୍ କେୟାର ସେଂଟର/କୋଭିଡ଼୍ କେୟାର ହସ୍ପିଟାଲ୍ କୁ ପଠାଯାଉଛି । ଏପରିକି ଯଦି କାହାରିକୁ ଏସ୍ ୟୁ ଏଚ୍ ରେରଖିବାକୁ ପଡ଼ୁଛି ଏହା ପୂର୍ବରୁ ସେମାନଙ୍କର କୋଭିଡ଼୍ ଟେଷ୍ଟ୍ କରାଯାଉଛି ।

ଆଜିର ଆୟୋଜିତ ଟିକାକରଣରେ ଓଡ଼ିଶା ପତିତାଉଦ୍ଧାର ସମିତିର ସଂଯୋଜିକା ଦେବୀ ମାତୃମୟୀ ପ୍ରିୟଦର୍ଶିନୀ ଏବଂ ପରିଚାଳିକା ପ୍ରିୟମ୍ବଦା ବିଶ୍ୱାଳ ସମସ୍ତ କେନ୍ଦ୍ର ବୁଲି ଟିକାକରଣ ଟିମ୍ କୁ ସହଯୋଗ କରିବା ସହିତ କୋଭିଡ଼୍ ନିୟମ ମାନି କିପରି ଅନ୍ତେବାସୀମାନେ ଟିକା ନେଇପାରିବେ ସେଥିପାଇଁ ସହଯୋଗ କରିଥିଲେ ।

 

0
0
0
s2sdefault