ଲୋକଙ୍କ କ୍ଷୟକ୍ଷତିର ସଠିକ ଆକଳନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ
ବାଲେଶ୍ୱର/ଭଦ୍ରକ (ଶାସକ ପ୍ରଶାସକ) : ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତଙ୍କୁ ଭେଟିଛନ୍ତି କୃଷି, ମତ୍ସ୍ୟ ଓ ପଶୁ ପାଳନ ବିଭାଗ ମନ୍ତ୍ରୀ ଅରୁଣ ସାହୁ। ବାତ୍ୟା ପ୍ରଭାବିତ ବାଲେଶ୍ୱର ଓ ଭଦ୍ରକ ଗସ୍ତରେ ଯାଇଥିବା ମନ୍ତ୍ରୀ ଡ଼ ସାହୁ ବାଲେଶ୍ୱର ଜିଲ୍ଲାର ହଳଦୀପଦା, ପରିଖି, ସାର୍ଥା ଅଞ୍ଚଳ ଗସ୍ତକରି ପ୍ରଭାବିତ ଚାଷଜମି ଓ ମାଛଚାଷ ପୋଖରୀ ବୁଲି ଦେଖିଥିଲେ । ଏହାସହ ସମୁଦ୍ରରୁ ମାଛ ମାରୁଥିବା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ଭାଙ୍ଗି ଯାଇଥିବାରୁ ତାର ସଠିକ ଆକଳନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୟସ ବାତ୍ୟାର ଜିଲ୍ଲାରେ ମୋଟ ୫୫୪ ହେକ୍ଟର ଚିଙ୍ଗୁଡ଼ି ପୋଖରୀ ବୁଡ଼ି ଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ। ବାତ୍ୟାଞ୍ଚଳ ପରିଦର୍ଶନ କରି ଫେରିବା ପରେ ମନ୍ତ୍ରୀ ଡ଼ ସାହୁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ।
ଏଥିସହ ଭଦ୍ରକ ଜିଲ୍ଲାରେ ମଧ୍ୟ ବିଭିନ୍ନ ବାତ୍ୟା ଅଞ୍ଚଳ ବୁଲି ଦେଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଧାମରା ଓ ଚାନ୍ଦବାଲି ଓ ବାସୁଦେବପୁର ପ୍ରଭାବିତ ଅଞ୍ଚଳରେ ବିପନ୍ନଙ୍କ ସହ ଆଲୋଚନା କରିବା ସହିତ କ୍ଷୟକ୍ଷତି ଆକଳନ କରିଥିଲେ | ପରେ ଧାମରା ଓ ବାସୁଦେବପୁରରେ ମନ୍ତ୍ରୀ ଡ଼ ସାହୁଙ୍କ ଅଧକ୍ଷତାରେ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।