ଭୁବନେଶ୍ୱର(ଶାସକ ପ୍ରଶାସକ) ; ରାଜ୍ୟରେ ବିଭିନ୍ନ ନଦୀରେ ଜଳସ୍ତର କମିଛି ଓ ବନ୍ୟା ସ୍ଥିତି ଧିରେ ଧିରେ ସୁଧୁରୁଛି । ଗତକାଲିଠାରୁ ଉପର ମୁଣ୍ଡରେ ଆଉ ବର୍ଷା ନଥିବାରୁ ବନ୍ୟାସ୍ଥିତି ଆଜି ସୁଦ୍ଧା କମିବ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ କହିଛନ୍ତି । “ୟାସ” ବାତ୍ୟା ଯୋଗୁଁ ଲଗାଣ ବର୍ଷା ଫଳରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବିଭାଗ ପକ୍ଷରୁ ବାତ୍ୟା ପରିପ୍ରେକ୍ଷୀରେ ପୂର୍ବ ପ୍ରସ୍ତୁତି ଓ ସମ୍ଭାବ୍ୟ ଅଧିକ ପ୍ରଭାବିତ ଜିଲ୍ଲାରେ ଜଳସଂପଦ ବିଭାଗର ନିୟୋଜିତ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ପରିସ୍ଥିତି ପ୍ରତି ନଜର ରଖି କାର୍ଯ୍ୟ କରିଥିଲେ । ବନ୍ୟା ସ୍ଥିତିକୁ ନଜରରେ ରଖି ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ଅବବାହିକାରେ ଥିବା ବୃହତ୍ ଓ ମଧ୍ୟମ ଜଳ ଭଣ୍ଡାରଗୁଡିକର ସୁପରିଚାଳନା କରାଯାଇଥିଲା । ବନ୍ୟା ନିୟନ୍ତ୍ରଣ କକ୍ଷ, ସର୍ବୋଚ୍ଚ ଯନ୍ତ୍ରୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ, ବିଭାଗୀୟ ମନ୍ତ୍ରୀ,ଏସ୍.ଆର୍,ସି, ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତେ ଟେଲିଫୋନ୍ ଏବଂ ହ୍ୱାଟ୍ସ୍ ଆପ୍ ମାଧ୍ୟମରେ ଯୋଗାଯୋଗରେ ରହି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ତଥାପି ଯେଉଁ ସବୁ ନଦୀବନ୍ଧର କ୍ଷୟକ୍ଷତି ଘଟିଛି, ବିଭାଗ ପକ୍ଷରୁ ସେସବୁର ରିପୋର୍ଟ ସଂଗ୍ରହ ଚାଲିଛି । ଯାଜପୁର ଜିଲ୍ଲା ଦଶରଥ ପୁର ବ୍ଲକ ଅନ୍ତର୍ଗତ ମଲ୍ଲିକାପୁର ପଂଚାୟତ ବୈତରଣୀ ଶାଖାନଦୀ “କାଣୀ” ବାମପାର୍ଶ୍ୱ ନଦୀବନ୍ଧରେ ଗୋଟିଏ ଘାଇ ସୃଷ୍ଟି ହୋଇଛି । ଘାଇର ମରାମତି କାର୍ଯ୍ୟ ଆଜି ସୁଦ୍ଧା ସଂପୂର୍ଣ୍ଣ କରାଯିବା ନେଇ ସେଠାରେ ଯାଜପୁର ଜଳସଂପଦ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରହି ବନ୍ଧ ମରାମତି କାର୍ଯ୍ୟ ତଦାରଖ କରୁଛନ୍ତି ।
ବାତ୍ୟା ୟାସ ପରବର୍ତ୍ତୀ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏକ ବୈଠକ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନଙ୍କର ବିଭାଗୀୟ କାର୍ଯ୍ୟର ସଫଳତା ନେଇ ପୂର୍ବରୁ ଅଭିଜ୍ଞତା ରହିଛି । ସେମାନେ ଜାଣିଛନ୍ତି ଯେ, କାର୍ଯ୍ୟ କରିବାରେ କେଉଁଠି ଅସୁବିଧା ରହୁଛି । ସେମାନଙ୍କର ଶ୍ରେଷ୍ଠ ଅଭିଜ୍ଞତାକୁ ପାଥେୟ କରି ପୂର୍ବରୁ ଯୋଜନାରେ ରହିଥିବା କାର୍ଯ୍ୟ ଓ ଚଳିତ ବାତ୍ୟାଜନିତ କ୍ଷୟକ୍ଷତି ଆଧାରରେ ଏକ ବ୍ୟାପକ ନକ୍ସା ଓ ଯୋଜନା ପ୍ରସ୍ତୁତ କରି ତଦନୁସାରେ କାର୍ଯ୍ୟ କରିବା ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଦୁର୍ବଳ ନଦୀବନ୍ଧ, ଯେଉଁଠି କାମ ନିତାନ୍ତ ଆବଶ୍ୟକତା ରହିଛି, ସେଠାରେ ନିଷ୍ଠାର ସହ ଅଧିକାରୀ ଓ ଯନ୍ତ୍ରୀମାନେ ଏପରି କାର୍ଯ୍ୟ କରନ୍ତୁ, ଯାହାକି ଆଗାମୀ ଦିନରେ ତାହା ସମ୍ଭାବ୍ୟ ବାତ୍ୟା ବା ବନ୍ୟା ପ୍ରତିରୋଧକ ହୋଇପାରିବ । ଜରୁରୀ ମରାମତି ଆବଶ୍ୟକତା ଥିବା କ୍ଷେତ୍ରରେ ଅର୍ଥ ପ୍ରତିବନ୍ଧକ ହେବ ନାହିଁ ବୋଲି ପ୍ରକାଶ କରିବା ସହିତ ସେ କାମଗୁଡିକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି ।
ଅନ୍ୟ ପକ୍ଷରେ ଉପକୂଳ ୧୦ଟି ଜିଲ୍ଲା ତଟବର୍ତୀ ଅଂଚଳକୁ ସୁରକ୍ଷା ଦେବା ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଉଛି । ପୂର୍ବରୁ ଜାତୀୟ ବାତ୍ୟା ବିପର୍ଯ୍ୟୟ କ୍ଷତି ପରିଚାଳନା ପ୍ରକଳ୍ପ( ନ୍ୟାସନାଲ ସାଇକ୍ଲୋନ୍ ରିସ୍କ ମ୍ୟାନେଜମେଣ୍ଟ ପ୍ରୋଜେକ୍ଟ) ଜରିଆରେ ରାଜ୍ୟର ୪ଟି ଜିଲ୍ଲା ଯଥା କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ୫୨ କିଲୋମିଟର ଦୀର୍ଘ ଲୁଣାବନ୍ଧର ସୁରକ୍ଷା କାର୍ଯ୍ୟ ଜଳ ସଂପଦ ବିଭାଗ ପକ୍ଷରୁ କରାଯାଇଛି । ବିଶ୍ୱ ବ୍ୟାଙ୍କ ସହାୟତାରେ ୨୦୧୩-୨୦୧୬ ଯୋଜନାରେ ଏହି ବନ୍ଧ ନିର୍ମାଣ କରାଯାଇଥିଲା । ଏହା ମଧ୍ୟରେ ୫ଟି ବଡ ଧରଣର ବାତ୍ୟା ଯଥା ତିତ୍ଲି, ଫନି, ବୁଲ୍ବୁଲ୍ , ଅମ୍ଫାନ ତଥା ଏଥରର ୟାସ ପରେ ମଧ୍ୟ ଏହି ଲୁଣା ବନ୍ଧର ବିଶେଷ କ୍ଷୟକ୍ଷତି ହୋଇନାହିଁ । ଲୁଣାବନ୍ଧର ସ୍ଥାୟିତ୍ୱ, ଓ ଦୃଢତାକୁ ଦୃଷ୍ଟିରେ ରଖି ଅଗ୍ରାଧିକାର ଭିତିରେ ଦୁର୍ବଳ ସ୍ଥାନଗୁଡିକୁ ଚିହ୍ନଟ କରି ରାଜ୍ୟରେ ୧୬୫୦ କିଲୋମିଟର ଲୁଣାବନ୍ଧକୁ ପ୍ରାୟ ୬ହଜାରରୁ ୭ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ କରାଯିବା ପାଇଁ ବିଭାଗ ତରଫରୁ ପ୍ରସ୍ତାବ ରହିଛି । ତେଣୁ ଅତୀତର ଅନୁଭୁତି ଓ ସଫଳତା ଆଧାରରେ ଆଗକୁ ଏହି ପ୍ରସ୍ତାବିତ ଉପକୂଳବର୍ତୀ ସମୁଦ୍ରତଟ ବନ୍ଧ ସୁଦୃଢୀକରଣ କାର୍ଯ୍ୟ କରାଯିବ ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂରଥ ପ୍ରକାଶ କରିଛନ୍ତି ।