ଭୁବନେଶ୍ୱର : ଓଡିଶା କନ୍ଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡ୍(ଓଡିଶା ନିର୍ମାଣ ନିଗମ ଲିଃ.)ର ପ୍ରତିଷ୍ଠା ଦିବସ ଗତକାଲି ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନଦ ଦାସ ଯୋଗଦେଇ ଓ.ସି.ସି.ଏଲର ପ୍ରତିଷ୍ଠା ଦିବସ ଉପଲକ୍ଷେ ନିଗମର ପରିଚାଳନା କର୍ତ୍ତୃପକ୍ଷ, ଯନ୍ତ୍ରୀ ଓ କର୍ମଚାରୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ଓଡିଶାରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଓ ଭିତ୍ତିଭୂମିର ବିକାଶ କରିବା ଲକ୍ଷ୍ୟ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୯୬୨ ମସିହା ମେ ମାସ ୨୨ ତାରିଖରେ ଓସିସିଏଲ୍ ଗଠନ କରିଥିଲେ । ସେହି ଅନୁଷ୍ଠାନ ଦୀର୍ଘ ୫୯ ବର୍ଷ ହେଲା ସେବା ଯୋଗାଇଆସୁଛି । ଏବେ ଏହାର କାର୍ଯ୍ୟକାରିତାର ସମୀକ୍ଷା କରିବା ସହ ଏହାର କାର୍ଯ୍ୟଧାରାକୁ ଆହୁରି ଉନ୍ନତତର କରିବାକୁ ସଂକଳ୍ପ ନେବାର ସମୟ ଆସିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀ ଦାସ ଆହୁରି କହିଥିଲେ ଯେ, ଓସିସିଲ୍ ଏହାର ଗଠନ ପରଠାରୁ ରାଜ୍ୟରେ ଜଳସେଚନ, ଶକ୍ତି, ରାସ୍ତା, ସେତୁ ନିିର୍ମାଣ, ଶିଳ୍ପ,ସ୍ୱାସ୍ଥ୍ୟ ଭିତ୍ତିଭୂମି ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ସହିତ ରାଜ୍ୟର ଦୁର୍ଗମ ଅଂଚଳରେ ନିର୍ମାଣ କାର୍ଯ୍ୟ,୧୯୯୯ ମହାବାତ୍ୟା ପରେ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟସ୍ଥଳଆଦିଗୁଡିକ ନିର୍ମାଣ କରି ରାଜ୍ୟର ଭିତ୍ତିଭୂମକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏବେ କୋଭିଡ୍ ମହାମାରୀ ସ୍ଥିତିରେ ମଧ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯେପରି ଏହାର ଯନ୍ତ୍ରୀ ଓ କର୍ମଚାରୀମାନେ ବିଭିନ୍ନ ପ୍ରକଳ୍ପ ଶେଷ କରିବାରେ ପ୍ରୟାସ ଜାରି ରଖିଛନ୍ତି, ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ରାଜ୍ୟରେ ଜଳସଂପଦର ବିକାଶ ଓ ଜଳସେଚନର ସୁବିଧା ପାଇଁ ସେତୁ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରା ଶ୍ରୀ ନବୀନ ପଟ୍ଟନାୟକ ତଥା ଓଡିଶାର ଜନସାଧାରଣ ଓସିସିଏଲ୍ ଠାରୁ ଯେଉଁ ଆଶା ରଖିଛନ୍ତି, ତାହାକୁ ପୂରଣ କରିବା ଦିଗରେ ଏହି କର୍ପୋରେସନ ସମର୍ଥ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ଆଶା ବ୍ୟକ୍ତ କରିଥିଲେ । ବୈଠକରେ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଜ୍ୟୋତିର୍ମୟ ରଥ, ସର୍ବୋଚ୍ଚ ଯନ୍ତ୍ରୀ ( ଯୋଜନା ଓ ନକ୍ସାଙ୍କନ) ଇଂ ଧୀରେନ୍ କୁମାର ସାମଲ ପ୍ରମୁଖ ଯୋଗଦେଇ ଓସିସିଏଲ୍ ଏହା ମାଧ୍ୟମରେ କରାଯାଉଥିବା କାର୍ଯ୍ୟରେ ଗୁଣାତ୍ମକମାନ ବଜାୟ ରଖିବା ଓ ନିର୍ମାଣାଧିନ ପ୍ରକଳ୍ପଗୁଡିକୁ ଆହ୍ୱାନ ଭାବେ ନେଇ ତ୍ୱରିତ ଏବଂ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ଆବଶ୍ୟକ ପରାମର୍ଶ ଦେଇଥିଲେ । ଓସିସିଏଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ମଦନ ସାମନ୍ତରାୟ କର୍ପୋରେସନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯିବା ଓ ପେନ୍ସନ ସୁବିଧା ନଥିବା କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ଓସିସିଏଲ୍ ପରିଚାଳନା ନିର୍ଦ୍ଦେଶକ ଇଂ. ଅସୀମ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ନିଗମର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ତଥ୍ୟ ରଖିଥିବା ବେଳେ ଜେନେରାଲ ମ୍ୟାନେଜର( ମୁଖ୍ୟ କାର୍ଯ୍ୟାଳୟ) ତୁଷାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କ୍ରେନ୍ଦ୍ରୀୟ ଜୋନ୍ ଜେନେରାଲ ମ୍ୟାନେଜର ଅଶୋକ ପରିଡାଙ୍କ ସମେତ ଅନ୍ୟ ସମସ୍ତ ଯନ୍ତ୍ରୀ ଓ କର୍ମଚାରୀମାନେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇଥିଲେ । ଏହି ଅବସରରେ ଓସିସିଏଲ୍ ତରଫରୁ ପ୍ରକାଶିତ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।