ଭୁବନେଶ୍ୱର : ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶା ବିକାଶ ନକ୍ସାକୁ ସାକାର ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି କେ ପାଣ୍ଡିଆନଙ୍କୁ ମିଳିଛି ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ଆନ୍ତର୍ଜାତୀୟ ସ୍ୱୀକୃତି | ରାଜ୍ୟରେ ହକିର ବିକାଶ ତଥା ଏହାକୁ ଆଗକୁ ବଢାଇବା ପାଇଁ ଶ୍ରୀ ପାଣ୍ଡିଆନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେସନ ସମ୍ମାନଜନକ ପ୍ରେସିଡେଣ୍ଟସ ସମ୍ମାନରେ ସମ୍ମାନିତ କରିଛି । ଭର୍ଚୁଆଲ ମୋଡରେ ଆୟୋଜନ ହୋଇଥିବା ୪୭ ତମ ଏଫଆଇଏଚ କଂଗ୍ରେସରେ ଶ୍ରୀ ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ରାଜ୍ୟରେ ହକିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଆଖିଦୃଶିଆ ପଦକ୍ଷେପ ନିଆଯାଇଛି । ଭାରତୀୟ ହକି ଦଳର ପ୍ରୟୋଜକ ଭାବେ ଓଡିଶା ଥିବା ବେଳେ, ୨୦୨୩ରେ ହକି ବିଶ୍ୱକପ ପାଇଁ ଓଡିଶା ପ୍ରସ୍ତୁତି କରୁଛି । ସେହିଭଳି ରାଉରକେଲାରେ ଏକ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପାଇଁ ମଧ୍ୟ ସରକାର କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ୨୦୧୪ରେ କଳିଙ୍ଗ ଷ୍ଟାଡିୟମରେ ହକି ଚାମ୍ପିୟନସ ଟ୍ରଫି, ୨୦୧୭ରେ ହକି ୱାର୍ଲଡ ଲିଗର ଆୟୋଜନ କରି ଆନ୍ତର୍ଜାତୀୟ ହକି ମାନଚିତ୍ରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଅର୍ଜ୍ଜନ କରିପାରିଛି ଓଡିଶା । ଆଉ ଏସବୁ ପଛରେ ପାଣ୍ଡିଆନଙ୍କ ଏକ ମୁଖ୍ୟ ଭୂମିକା ଥିବା ଚର୍ଚ୍ଚା ହେଉଥିଲା । ପାଣ୍ଡିଆନଙ୍କୁ ଏହି ପୁରସ୍କାର ମିଳିବା ପରେ ହକି ଇଣ୍ଡିଆ ତାଙ୍କୁ ଅଭିନନ୍ଦନ ଜଣାଇ କହିଛି "ଏହି ସମ୍ମାନଜନକ ଆୱାର୍ଡ ପାଇବା ପାଇଁ ସେ ହକଦାର । ହକିର ବିକାଶ ପାଇଁ ତାଙ୍କରି ଆନ୍ତରିକ ପ୍ରଚେଷ୍ଟା ବାସ୍ତବିକ ପ୍ରଶଂସନୀୟ ବୋଲି କହିଛି ହକି ଇଣ୍ଡିଆ ।